ଭକ୍ତ ଦାସିଆ ବାଉରୀ - ଘନଶ୍ୟାମ ସାହୁ

0

ନୂଆ ଛୋଟ ମାଟିହାଣ୍ଡିରେ ରୋଷେଇ କରାଯାଇଥିବା ଭାତ ଏବଂ ଉପରେ ଧଳାରଙ୍ଗର ପେଜ ଉପରେ ପରଷା ଯାଇଥିବା ଶାଗ ମେଞ୍ଚାଏ ସ୍ୱାମୀଙ୍କ ଆଗରେ ଥୋଇଦେଲେ ଘରଣୀ । ବିଞ୍ଛଣା ଧରି ସ୍ୱାମୀଙ୍କୁ ଖାଇବାକୁ ବାରମ୍ବାର କହିଲେ ମଧ୍ୟ ଭାତ ହାଣ୍ଡିକୁ ଅନାଇଁ ଡେଇଁ ପଡ଼ିଲେ ଦାସ । ଗିନି ଦୁଇଟି ବାଡ଼େଇ ନାଚି ନାଚି କହିଲେ,
          
          "ସୁରଙ୍ଗ ଦିଶେ ହାଣ୍ଡି ଧାର
            ତହିଁ ଧବଳ ପେଜ ସର,
            ତା ମଧ୍ୟେ ଶାଗ ଦିଶେ କଳା
            ବୋଲେ ଏ ଶ୍ୱେତ ପଦ୍ମ ଡୋଳା ।"

"ଆରେ କିଏ କେଉଁଠି ଅଛ, ମୋ ସଂସାର ଭାସି ଗଲା । ମୁଁ ଏବେ କରିବି କ'ଣ ? କିଏ ଗୁଣୀ କରିଦେଲା କି କ'ଣ ଅନ୍ନ ଗ୍ରହଣ ନକରି ବାୟାଙ୍କ ପରି ଇଏ ଖାଲି ଡେଇଁ ଡେଇଁ ନାଚୁଛନ୍ତି ।" ଏହି ପରି ଛାନିଆଁରେ ସାଇ ପଡ଼ିଶାଙ୍କୁ ଡ଼ାକ ଛାଡ଼ିଲେ ଦାସଙ୍କ ସ୍ତ୍ରୀ ।

ଦାସଙ୍କୁ ପାଖ ପଡିଶା ଦାସିଆ ବୋଲି ହିଁ ଡାକୁଥିଲେ । ଦାସିଆ ବାଉରୀ ଏକ ନିମ୍ନ ଶ୍ରେଣୀର  ଖଦାଳ ଜାତିରେ ତାଙ୍କର ଜନ୍ମ । ଘର ପୁରୁଷୋତ୍ତମ କ୍ଷେତ୍ର ଠାରୁ କିଛି କୋଶର ବ୍ୟବଧାନରେ ବାଲି ଗ୍ରାମ । ପରିବାରରେ ପୁତ୍ର ବା କନ୍ୟା କେହି ନଥିବାରୁ ପତି ଏବଂ ପତ୍ନୀ ଉଭୟ କେବଳ ସବୁ କିଛି ମହାପ୍ରଭୁଙ୍କ ଇଚ୍ଛା ବୋଲି ମନେ କରି ଲୁଗା ବୁଣି ବିକ୍ରି କରି ସେ ଯାହା ପାଉଥିଲେ ସେହିଥିରେ ସେମାନେ କୌଣସି ପ୍ରକାର ଚଳି ଯାଉଥିଲେ । ଗ୍ରାମ ଭିତରେ ଥିବା ବ୍ରାହ୍ମଣ ପରିବାରରେ କିଛି ଉତ୍ସବ ପାଳନ ହେଲେ ସେଠାରେ ଯେଉଁ ଶାସ୍ତ୍ର ଆଲୋଚନା ହେଉଥିଲା ତାହା ସେ ମନଯୋଗ ସହକାରେ ଶୁଣିବାକୁ ଭଲ ପାଉଥିଲେ । ଅଶିକ୍ଷିତ ହୋଇ ମଧ୍ୟ ଏହି ସବୁ ଶୁଣି ଶୁଣି ତାଙ୍କ ମନରେ ଠାକୁରଙ୍କ ପ୍ରତି ଅପୂର୍ବ ଭକ୍ତି ଭାବ ଜାଗ୍ରତ ହୋଇଥିଲା । ଗ୍ରାମର କିଛି ବ୍ୟକ୍ତି ରଥଯାତ୍ରା ଦେଖିବା ଉଦ୍ଦେଶ୍ୟରେ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଶୁଣି ସେ ତାଙ୍କ ସହିତ ଯାଇଥିଲେ ପୁରୀ । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କଲେ । କଳା ଚକାଡୋଳା ଚର୍ମ ଚକ୍ଷୁରେ ଦେଖି ଭକ୍ତି ଭାବରେ ତଲ୍ଲୀନ ହୋଇ ପଡିଲେ ଦାସିଆ । ଚକ୍ଷୁରୁ ଝରି ପଡ଼ିଲା ଧାର ଧାର ଭାବାଶ୍ରୁ । "ହେ ମହାବାହୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ.. ଏ ମହାପାପୀକୁ ଉଦ୍ଧାର କର ପ୍ରଭୁ । ନୀଚ କୂଳରେ ଜନ୍ମ ନେଇ ଆଜନ୍ମ ମୂର୍ଖ ମୁଁ । ଧର୍ମ କର୍ମ କିଛି ଜାଣିନାହିଁ ପ୍ରଭୁ । କେବଳ ଏତିକି ମାତ୍ର ମୁଁ ଜାଣେ ଯେ ଯାହା କିଛି ହେଉଛି ସବୁ ତୁମର ନିର୍ଦ୍ଦେଶରେ ହିଁ ହେଉଛି । ମୋ ହୃଦୟରେ ଜ୍ଞାନ ଆହରଣ କରିବା ପାଇଁ ସକ୍ଷମ କରାଅ ପ୍ରଭୁ । ଏ ଅଜ୍ଞାନ ମୂର୍ଖ ହୋଇ ବଞ୍ଚି ରହିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର । ମୋ ପ୍ରତି କୃପା କରନ୍ତୁ ପ୍ରଭୁ ।" ଏହିପରି ନାନା ଭାବରେ ସ୍ତୁତି କରି ଠାକୁରଙ୍କ ଠାରୁ ମେଲାଣି ଘେନି ଘରେ ପହଞ୍ଚି ଥିଲେ ଦାସିଆ । କ୍ଷୁଧା ନିବାରଣ ପାଇଁ ପତ୍ନୀ ପରଷି ଦେଇଥିଲେ ଛୋଟ ସରେଇରେ ସାମାନ୍ୟ ପେଜ ସର ମିଶା ଅନ୍ନ ଏବଂ ତା' ଉପରେ କଳା କଳା ମେଞ୍ଚାଏ ଶାଗ । ସେ ତାକୁ ଗ୍ରହଣ ନକରି ଡେଇଁ ନାଚ କରିବା ଦେଖି ପତ୍ନୀ ଡ଼ାକ ଛାଡିଥିଲେ ସାଇ ପଡ଼ିଶାଙ୍କୁ । ସାହି ଲୋକ ମାନେ ଦାସିଆର ଅବସ୍ଥା ଦେଖି ଅନୁମାନ କରିନେଲେ ପରିସ୍ଥିତିକୁ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେଲେ ଯେ, ଏ ପ୍ରକାର ଜ୍ଞାନ ସେ ପାଇଲେ କେବେ ? କେହି ଜଣେ ବୟସ୍କ ବ୍ୟକ୍ତି ଅନ୍ନ ଉପରେ ଥିବା ଶାଗ ଅଲଗା ଦେବାକୁ ପରାମର୍ଶ ଦେଲେ । ଦାସିଆଙ୍କ ପତ୍ନୀ ସେଇୟା କରିବା ମାତ୍ରେ ଦାସିଆ ବାଉରୀଙ୍କ ନାଚ ବନ୍ଦ ହେଲା ଏବଂ ସେ ଅନ୍ନ ଭୋଜନ କଲେ ।

ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ଲାଭ ପରଠାରୁ ଦାସିଆଙ୍କ ହାବଭାବର ଅନେକ ପରିବର୍ତନ ହୋଇ ଯାଇଥିଲା । ତାଙ୍କ ଚକ୍ଷୁ ସମ୍ମୁଖରେ କେବଳ ସେ ଦେଖି ପାରୁଥିଲେ ମହାପ୍ରଭୁଙ୍କ ଦିବ୍ୟ ସ୍ୱରୂପ । ଏପରିକି ଅନ୍ନ ଜଳ ମଧ୍ୟ ସେ ଭୁଲିଗଲେ । ପୂର୍ବପରି ନିଜ ନିତ୍ୟ ନୈମିତ୍ତିକ କାର୍ଯ୍ୟ କରିବାପାଇଁ ତାଙ୍କର କୌଣସି ଆଗ୍ରହ ରହିଲା ନାହିଁ । ତାଙ୍କ ପତ୍ନୀ ଦାସଙ୍କ ଅବସ୍ଥା ଦେଖି ବିଚଳିତ ହେବା ସ୍ଵାଭାବିକ । ସବୁବେଳେ ପ୍ରଭୁ ଜଗନ୍ନାଥଙ୍କ କଥା ଭାବି ଭାବି ସେ ନିଦ୍ରା ଯାଉଥିଲେ । ଭକ୍ତ ଦାସିଆର ଅବସ୍ଥା ଦେଖି ମହାପ୍ରଭୁ ରତ୍ନ ସିଂହାସନରେ ସ୍ଥିର ହୋଇ ରହି ପାରିଲେ ନାହିଁ । ଦିନେ ଅର୍ଦ୍ଧରାତ୍ରରେ ଦାସିଆଙ୍କୁ ମହାପ୍ରଭୁ ସ୍ୱୟଂ ସ୍ଵପ୍ନରେ ଦର୍ଶନ ଦେଇ କହିଲେ, "ତୋର ଭାବଭକ୍ତିରେ ମୁଁ ଅତ୍ୟନ୍ତ ପ୍ରିତ । ଯଦି କିଛି କାମନା ଥାଏ ପ୍ରକାଶ କର ‌। ମୁଁ ନିଶ୍ଚୟ ତାହା ପୂରଣ କରିବି । ତୁ ମୋର ଦର୍ଶନର ଇଚ୍ଛା ପ୍ରକାଶ କରିଛୁ ତେଣୁ ତୁ ଯେଉଁ ରୂପରେ ଚାହିଁବୁ ସେହି ରୂପରେ ମୋର ଦର୍ଶନ କରି ପାରିବୁ ‌। ତୁ ଶ୍ରଦ୍ଧାରେ ମୋତେ ଯାଚିଥିବା ଦ୍ରବ୍ୟ ମୁଁ ସଙ୍ଗେ ସଙ୍ଗେ ଗ୍ରହଣ କରିବି ।" ଭକ୍ତ ଦାସିଆ ଭାବରେ ବିହ୍ୱଳ କହିଲେ, "ହେ ମହାପ୍ରଭୁ ମୁଁ ଅତି ମୁର୍ଖ, ଅଜ୍ଞାନ । ଆପଣ ମୋତେ ମୋ କୁଡିଆରେ ଦର୍ଶନ ଦେଇ ମୋତେ ଧନ୍ୟ କଲେ । ମୁନି ଋଷିମାନେ ଯୁଗ ଯୁଗ ତପସ୍ୟା କରି ସୁଦ୍ଧା ଯାହାଙ୍କ ଦର୍ଶନ ପାଇ ପାରନ୍ତି ନାହିଁ ମୋ ପରି ଅଧମକୁ ଦର୍ଶନ ଦେଲେ ଏହାଠାରୁ ବଳି ସୌଭାଗ୍ୟ ଆଉ କିଛି ହିଁ ନାହିଁ । ଚାହିଁଲେ ଆପଣଙ୍କୁ ଦର୍ଶନ କରି ପାରିବି ଏବଂ ମୋ ଠାରୁ ଭୋଗ ଗ୍ରହଣ କରିବେ ଏହାଠାରୁ ଅଧିକ ମୁଁ କିଛି ଚାହେଁନା ପ୍ରଭୁ । ଆପଣଙ୍କ ନାମ ଭଜନ କରି ଏ ଜୀବନ ଚାଲିଯାଉ ଏତିକି ହିଁ କାମନା ।" ତଥାସ୍ତୁ  କହି ମହାପ୍ରଭୁ ଅଦୃଶ୍ୟ ହୋଇଗଲେ । ବଡ଼ି ଭୋରରୁ ନିତ୍ୟ କର୍ମ ସାରି ବୁଣା ହୋଇ ଥିବା ଲୁଗା ଖଣ୍ଡିକ ଏବଂ କିଛି ମୁଦ୍ରା ଧରି ଗ୍ରାମ ଆଡ଼କୁ ଆଗେଇ ଚାଲିଲେ ଦାସିଆ । ବ୍ରାହ୍ମଣ ଗୋସେଇଁଙ୍କ ଦ୍ୱାର ନିକଟରେ ଠିଆ ହୋଇ ଡ଼ାକ ପକାଇଲେ । ବ୍ରାହ୍ମଣ ଆସିବା ପୂର୍ବରୁ ବାଡ଼ି ପଟକୁ ଅନାଇଲେ । ଦେଖିଲେ ଯେ ଏକ ଛୋଟ ନଡ଼ିଆ ଗଛରେ ଗୋଟାଏ ମାତ୍ର ନଡ଼ିଆ ଫଳିଛି । ବ୍ରାହ୍ମଣ ଆସିବା ପରେ ଦାସିଆ ଲୁଗା ଖଣ୍ଡିକ ବଢାଇ ଦେଇ କିଛି ଅର୍ଥ ଆଶା କରି ରହିଲେ । "ବ୍ରାହ୍ମଣ ଗୋସେଇଁ ଯଦି କିଛି ନ ଭାବିବେ ତେବେ କିଛି ଅର୍ଥ ବଦଳରେ ମୋତେ ସେହି ନଡ଼ିଆଟି ଦେଲେ ମୁଁ  ନିଅନ୍ତି ।" ଦାସିଆ କହିଲେ । ସବୁ ଶୁଣି ମଧ୍ୟ କିଛି ସମୟ ଚିନ୍ତା କରି ବ୍ରାହ୍ମଣ କହିଲେ ଯେ, ଯେହେତୁ ଗଛର ପ୍ରଥମ ଫଳ ତେଣୁ ନଡ଼ିଆ ବଦଳରେ ଯଦି ଲୁଗା ମିଳେ ସେ ଏହି ନଡ଼ିଆକୁ ଦେଇ ପାରିବେ ବୋଲି କହିଲେ । ଅଗତ୍ୟା ଲୁଗା ବଦଳରେ ଦାସିଆ ନଡ଼ିଆକୁ ଧରି ଫେରିବା ସମୟରେ ଜଣେ ପଥଚାରୀ ବ୍ରାହ୍ମଣଙ୍କୁ ଦେଖିଲେ । ଭାରରେ ଛେନା, ଦୁଗ୍ଧ, ଲହୁଣୀ, ଘିଅ ଇତ୍ୟାଦି ମହାପ୍ରଭୁଙ୍କ ମଣୋହି ନିମନ୍ତେ ଶ୍ରୀକ୍ଷେତ୍ରକୁ ଯାଉଥିଲେ । ତାଙ୍କୁ ପ୍ରଣାମ ଜଣାଇ ଅନୁରୋଧ କଲେ ଦାସିଆ, "ହେ ବ୍ରାହ୍ମଣ ଗୋସେଇଁ ଆପଣ ଏସବୁ ପ୍ରଭୁଙ୍କ ମଣୋହି ପାଇଁ ନେଉଛନ୍ତି । ଦୟାକରି ମଣୋହି ସରିଲା ପରେ ମୋ କଥା ମନେ ପକାଇବେ । ମହାପ୍ରଭୁଙ୍କୁ ଏହି ନଡ଼ିଆକୁ ଦେବେ । ଗରୁଡ଼ଙ୍କ ପଛରେ ରହି ବାଲି ଗ୍ରାମ ଦାସିଆର ନଡ଼ିଆ ଗ୍ରହଣ କରନ୍ତୁ ବୋଲି କହିବେ । ଯଦି ହାତ ବଢ଼େଇ ସେ ଗ୍ରହଣ ନକରିବେ ତେବେ ଫେରାଇ ଆଣିବେ ।" ଦାସିଆ ନଡ଼ିଆ ସହ କିଛି ଅର୍ଥ ମଧ୍ୟ ବ୍ରାହ୍ମଣଙ୍କୁ ଦେଲେ । ବ୍ରାହ୍ମଣ ନଡ଼ିଆ ସହ କିଛି ଅର୍ଥ ନେଇ ହସିଦେଇ ଶ୍ରୀକ୍ଷେତ୍ର ଆଡ଼କୁ ଆଗେଇଲେ । ଦାସିଆ ଘରକୁ ଫେରି ଆସିଲେ ।

ମହାପ୍ରଭୁଙ୍କ ମଣୋହି ଦ୍ରବ୍ୟ ସବୁ ପ୍ରଭୁ ସେବକ ମାନଙ୍କୁ ଅର୍ପଣ କରିବା ପରେ ଏବଂ ପରେ ପରେ ପ୍ରଭୁଙ୍କର ମଣୋହି ସରିବା ପରେ ବ୍ରାହ୍ମଣଙ୍କର ଦାସିଆ କଥା ମନେ ପଡ଼ିଲା । ମନେ ମନେ ହସିଦେଇ ଗରୁଡ଼ ସ୍ତମ୍ଭ ପଛରେ ରହି ନଡ଼ିଆକୁ ଦୁଇ ହାତରେ ଉପରକୁ ଟେକି ଧରି ବ୍ରାହ୍ମଣ ଚକ୍ଷୁ ବନ୍ଦ କରି ମହାପ୍ରଭୁଙ୍କୁ କହିଲେ, "ହେ ମଣିମା, ବାଲି ଗାଁ ଦାସ ଦେଇ ଥିବା ନଡ଼ିଆ ନିଜ ହାତରେ ଗ୍ରହଣ କରନ୍ତୁ । ନଚେତ୍ ତା' କଥା ଅନୁଯାୟୀ ମୁଁ ଏହାକୁ ଫେରାଇ ନେବି ।" ଏତିକି କହିଛନ୍ତି କି ନାହିଁ ହଠାତ୍ ବଡ଼ ଅଦ୍ଭୁତ ଘଟଣା ଘଟିଲା । କେହି କିଛି ଜାଣିବା ପୂର୍ବରୁ ଏକ ଲମ୍ବା ହାତ ମନ୍ଦିର ମଧ୍ୟରୁ ବାହାରି ବ୍ରାହ୍ମଣଙ୍କ ହସ୍ତରୁ ନଡ଼ିଆ ନେଇ ଅଦୃଶ୍ୟ ହୋଇଗଲା । ଅଶ୍ରୁଳ ନୟନରେ ଭାବ ଗଦ୍ ଗଦ୍ ଚିତ୍ତରେ ବ୍ରାହ୍ମଣ କହିପକାଇଲେ, "ଧନ୍ୟ ଭକ୍ତ ଦାସିଆ । ପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ନହେଲେ ଏହା କ'ଣ ସମ୍ଭବ ?"

କିଛି ଦିନ ବିତିଗଲା ପରେ ଦିନେ ହଠାତ୍ ଦାସିଆଙ୍କ ମନ ହେଲା ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ । କିନ୍ତୁ ଖାଲି ହାତରେ ପ୍ରଭୁଙ୍କ ପାଖକୁ ଯିବେ କିପରି ? ସେହି ସମୟରେ ଜଣେ ଆମ୍ବ ବିକାଳୀ ଆମ୍ବ ବିକ୍ରି କରିବାକୁ ଆସିଲା । ସୁନ୍ଦର ସୁନ୍ଦର ନାଲି ରଙ୍ଗର ମିଠା ପାଚିଲା ଆମ୍ବ ଦେଖି ଝୁଡିଏ ଆମ୍ବ କିଣି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ବାହାରିଲେ । ମନ୍ଦିର ବେଢ଼ା ଭିତରେ ପ୍ରବେଶ କରିବା ମାତ୍ରେ ପଣ୍ଡା ସେବକମାନେ ଚାରିପଟେ ଘେରିଗଲେ । ସମସ୍ତଙ୍କର ଗୋଟିଏ ଜିଦ୍ ଭୋଗ ଲାଗି କରିବା ପାଇଁ । ଟଣା ଓଟରା କରି ପରସ୍ପର ଝଗଡ଼ା କରିବା ଆରମ୍ଭ କରିଦେଲେ । ଦାସିଆ ସମସ୍ତ ସେବକମାନଙ୍କୁ ହାତ ଯୋଡ଼ି ଶାନ୍ତ ହେବାକୁ ଅନୁରୋଧ କଲେ ଏବଂ ସେ ଏସବୁ ମହାପ୍ରଭୁଙ୍କ ଦ୍ରବ୍ୟକୁ କାହା ହାତରେ ନଦେବାକୁ ଘୋଷଣା କଲେ । ପଣ୍ଡା ସେବକମାନେ ଅଯଥାରେ ଦାସିଆଙ୍କୁ ମନ ଇଚ୍ଛା ଗାଳି କରି କେମିତି ଭୋଗ ଲଗାଇବୁ ଦେଖିବା ବୋଲି କହିଲେ । ଦାସିଆ ବାଉରୀ ଊର୍ଦ୍ଧ୍ଵବାହୁ ହୋଇ ନୀଳଚକ୍ର ଆଡ଼କୁ ଚାହିଁ ରହି ମହାପ୍ରଭୁଙ୍କ ନିକଟରେ ଗୁହାରି କଲେ ଏବଂ ଦୁଇ ହାତରେ ଦୁଇଟି ଆମ୍ବ ଧରି ନୀଳଚକ୍ର ଆଡ଼କୁ ବଢାଇଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଆମ୍ବ ଅଦୃଶ୍ୟ ହୋଇଗଲା । ଏହିପରି ଭାବେ ସବୁ ଆମ୍ବ ସରିବା ପରେ ଠାକୁରଙ୍କୁ ବାରମ୍ବାର ପ୍ରଣାମ ଜଣାଇ ନାନା ସ୍ତୁତି କଲେ ଦାସିଆ । ଭଗବାନଙ୍କ ଦଶାବତାର ଦର୍ଶନ କରିବା ପାଇଁ ହୃଦୟରେ ଆଶା ପ୍ରକାଶ କରିବା ମାତ୍ରେ ମହାପ୍ରଭୁ ସେହି ନୀଳଚକ୍ର ଉପରେ ହିଁ ଦଶାବତାର ଦୃଶ୍ୟ ଭକ୍ତ ଦାସିଆଙ୍କୁ ଦେଖାଇଥିଲେ ।

"ନିସ୍ତରିଲି, ନିସ୍ତରିଲି ମହାପ୍ରଭୁ ।ମୋ ପରି ମୁର୍ଖ ଅଜ୍ଞାନକୁ ଏତିକି କରୁଣା କଲେ ମହାପ୍ରଭୁ ‌। ମୋ ଜୀବନ ଧନ୍ୟ ହୋଇଗଲା । ଆପଣଙ୍କୁ କୋଟି କୋଟି ଧନ୍ୟବାଦ ପ୍ରଭୁ ।"

ଏହିପରି ସ୍ତୁତି କରୁଥିଲେ ସେ । ଏଣେ ପଣ୍ଡା ସେବକମାନେ ବିସ୍ମୟରେ ଚାହିଁ ରହିଲେ ଭକ୍ତ ଦାସିଆଙ୍କୁ । ତେଣେ ମନ୍ଦିର ମଧ୍ୟରେ ଗହଳ ଚହଳ ଶୁଣାଗଲା । ମହାପ୍ରଭୁଙ୍କ ନିକଟରେ ଗଦା ହୋଇ ରହିଥିଲା ଆମ୍ବ ଟାକୁଆ ଓ ଚୋପା ସବୁ । "ଧନ୍ୟ ଭକ୍ତ ଦାସିଆ ବାଉରୀ, ଧନ୍ୟ ମହାପ୍ରଭୁଙ୍କ କୃପା । ସାମାନ୍ୟ ନୀଚ କୂଳରେ ଜନ୍ମ ଗ୍ରହଣ କରି ମଧ୍ୟ ଭକ୍ତିଭାବରେ ମହାପ୍ରଭୁଙ୍କ ଆପଣାର ହୋଇ ପାରିଛ । ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ ।" ପ୍ରଭୁ ଜଗନ୍ନାଥଙ୍କ ଧଣ୍ଡାମାଳ ଦାସିଆ ବାଉରୀଙ୍କ ଗଳାରେ ପକାଇ ଦିଆଗଲା । ମହାପ୍ରଭୁଙ୍କ ଲାଗି ଅଙ୍ଗ ବସ୍ତ୍ର ତାଙ୍କୁ ପ୍ରଦାନ କରି ସମ୍ମାନିତ କରାଗଲା । ଦାସିଆ ସମସ୍ତ ସେବକମାନଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କଲେ । ଅନ୍ତକାଳରେ ମହାପ୍ରଭୁଙ୍କ ଦିବ୍ୟ ସାନ୍ନିଧ୍ୟ ଲାଭ କରିବାକୁ କଲ୍ୟାଣ କଲେ ସମସ୍ତ ପ୍ରଭୁ ସେବକ । ଜୟ ଜଗନ୍ନାଥ ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ