ଚଗଲା ପ୍ରେମିକ - ଚିତ୍ରା ରାଣୀ ପାତ୍ର

0

ମୁଁ ଛୁଇଁ ଦେଲେ ତାରା ହୁଏ ଜହ୍ନ 
ତୁମେ ଛୁଇଁଦେଲେ ଦିନ,
ମୁଁ ଦେଖେ ସପନ ରାତିର ଜହ୍ନରେ
ତୁମେ ଦିବା ସ୍ୱପ୍ନେ ମଗ୍ନ ॥

ମୁଁ ଦେଖେ ଢେଉରେ ତୁମରି ମୁହଁକୁ
ତୁମେ ଦେଖ ସରସୀରେ,
ଚହଲା ଜଳର ତରଙ୍ଗ ଭିତରେ
ଖୋଜି ବୁଲ ଅଯଥାରେ ॥

ତୁମ ଘର ରାସ୍ତା ଭାରି ଅନ୍ଧାରିଆ
ଆମ ରାସ୍ତା ଜହ୍ନଭରା,
ସୁନେଲୀ କିରଣ କରେ ଝଲ ମଲ
ତୋଫା ଆଲୁଅରେ ପରା ॥

ମୋ ଛାଇ ପଡ଼ିଲେ ବାଟ ସଫା ହୁଏ
ତୁମେ ଦେଖ ପରା ନିତି,
କେମିତି ଭୁଲିଛ ଏତେ କଥା ସବୁ
କଟିଥିଲା କେତେ ରାତି ॥

ମନେ ନାହିଁ କିଆଁ ଶ୍ରାବଣ ବର୍ଷାରେ 
ଭିଜି ଭିଜି ଆସୁଥିଲ,
ପାଖରେ ପହଞ୍ଚି ପଣତରେ ମୋର
ଓଦା ମୁହଁ ପୋଛୁଥିଲ ॥

ପିଲାଳିଆ ବୁଦ୍ଧି ଏବେବି ଯାଇନି
ଅଝଟ ଚଗଲା ହୁଅ,
ନଈ ପଠା କୂଳେ ପାଉଁଜି ହଳକ 
ରାଗରେ ଫୋପାଡି ଦିଅ ।।

ବାଲେଶ୍ଵର, ଓଡିଶା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ