ବର୍ଷା ଗୋ ତୁମେ ଧରଣୀ କନ୍ୟା ପରା - ରମେଶ ଚନ୍ଦ୍ର ମିଶ୍ର

1

ବର୍ଷା ଗୋ, ତୁମେ କୋଟିଏ ପ୍ରାଣର
କଳିତ ଲଳିତ ଛନ୍ଦ 
ତୁମ ଆଗମନେ ବିଶ୍ଵ ବୁକୁରେ
ଝରେ ମଧୁ ମକରନ୍ଦ
ତୁମେ ଉଆଁସ ରାତିର ଜହ୍ନ 
ନିଖିଳ ଜଗତ ତପ୍ତ ଜୀବନେ
ତୁମେ ଶୀତଳ ଚନ୍ଦନ ।

ଦେହରେ ତୁମର କଳାମେଘି ଶାଢ଼ୀ
ଚାଲୁଥାଅ କେଡେ ରଙ୍ଗେ
ବିଜୁଳି କନ୍ୟା ଆଲୋକ ଦେଖାଏ
ନାଚୁଥାଅ କେତେ ଢଙ୍ଗେ
ଆଗୋ ଲୀଳାମୟୀ କନ୍ୟା !
ତୁମ ଆଗମନେ ନିରାଶ ବୁକୁରେ 
ଖେଳେ ମହାନନ୍ଦ ବନ୍ୟା ।

ଚାରୁ କମନୀୟ ଛମ୍ ଛମ୍ ତାନେ
ନୃତ୍ୟ ତୁମର ସୁନ୍ଦର
ବଉଦ ଓଢଣା ତଳୁ ଗୋ ରୂପସୀ
ଗାଅ ହୃଦଜିଣା ମନ୍ତର
ପବନ ବଜାଏ ବଂଶୀ
ମେଘ ଡମ୍ବରୁ ଶବ୍ଦ ପାଦରୁ 
ଆଳସ୍ୟକୁ ଦିଏ ଧ୍ଵଂସୀ ।

ରଜନୀ ରାଣୀର ଗାଢ଼ ଅନ୍ଧାରେ 
ବିରହୀ ବିଧୁର ଭେକ 
ପଞ୍ଚମ ରାଗେ ଆଳାପନା କରେ
ସାଥି ସହ ହେବ ଏକ
ଝିଲ୍ଲୀ ମିଳାଏ ସୁର
କୃଷ୍ଣ ରଜନୀ ପ୍ରେମ-ପୂରବୀରେ
ମୁଖରିତ ଗ୍ରାମ ପୁର ।

ଦୀର୍ଘ ପ୍ରତୀକ୍ଷା ପରେ ପୂର୍ଣ୍ଣତା 
ପାଏ ଚାତକର ଆଶା
ତୁମ ରୂପଶୋଭା ଦେଖି ବନଭୂମେ
ମୟୁର ପଢଇ ଭାଷା
ଦେଖାଇ ନୃତ୍ୟ ଛଇ, 
ଶସ୍ୟକ୍ଷେତରୁ କୃଷକ କଣ୍ଠୁ
ଗୀତ ଲହର ଶୁଭଇ ।

ବନଭୂମେ ନୀଳ ସବୁଜିମା ଭରେ
ଭରିଯାଏ ଜଳାଶୟ 
ସାଧବ ବୋହୂଟି ଥିରି ଥିରି ଚାଲି
ଦିଶେ ଭାରି କମନୀୟ
ମୁଗ୍ଧ ମଧୁର ଧରା 
ବିପୁଳ ପୁଲକ ଖେଳାଇ ଦିଅ ଗୋ
ତୁମ ଋଣ ଅପାଶୋରା,
ବର୍ଷା ଗୋ !
ତୁମେ ଧରଣୀ କନ୍ୟା ପରା !

ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୮୪୮୧୧୩୬ 

Post a Comment

1Comments
  1. ବର୍ଷା ଗୋ, ତୁମେ କୋଟିଏ ପ୍ରାଣର
    କଳିତ ଲଳିତ ଛନ୍ଦ
    ତୁମ ଆଗମନେ ବିଶ୍ଵ ବୁକୁରେ
    ଝରେ ମଧୁ ମକରନ୍ଦ
    ତୁମେ ଉଆଁସ ରାତିର ଜହ୍ନ
    ନିଖିଳ ଜଗତ ତପ୍ତ ଜୀବନେ
    ତୁମେ ଶୀତଳ ଚନ୍ଦନ ।

    ବର୍ଷା କୁ ନେଇ ଆପଣଙ୍କ ଭାବ ଓ ଶଦ୍ଦ ସଂଯୋଜନା କବିତାଟିକୁ ଖୁବ ସୁନ୍ଦର କରି ଗଢି ତୋଳିଛି ।

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ