ଆସିଲା ବରଷା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

କଦମ୍ବ ବନରେ ବରଷା ଆସିଲା
ପ୍ରେମର କଦମ୍ଵ ଫୁଲ
ହସି ହସାଇଲା ବାସେ ରସାଇଲା
ଶୋଭା ତା' ଅମୂଲ ମୂଲ ।।

ମାଳତୀ ଲତାରେ ବର୍ଷା ମତୁଆଲା 
ଭୁରୁ ଭୁରୁ ମିଠା ବାସ
ଶେଫାଳୀ କଳିକା ବାତୁଳୀ ବାଳିକା
ବିଛାଇଛି ଅବା ଶେଯ
ବରଷା ସେ ଶେଯେ ମଉସୁମୀ ସଙ୍ଗେ
ରତି ରଙ୍ଗେ ହେଲା ଭୋଳ, କଦମ୍ବ ବନରେ...।।

ବଉଦ ସ୍ୟନ୍ଦନ ସଜାଇଛି ଘନ
ଘୋର ଗରଜନ କରି
ବର୍ଷା ଆଗମନ ତଡିତ୍ କେତନ
ଉଡେ କଳା ମେଘ ଚିରି
ବରଷା ରେ ରସା କହେ ପ୍ରିତୀ ଭାଷା 
ହୋଇ ଅଧୀରେ ଉତ୍ଫୁଲ୍ଲ, କଦମ୍ବ ବନରେ...।।

ବରଷା ଭରସା କୃଷକର ଆଶା
କେଦାରେ ଗାଏ ସଙ୍ଗୀତ
ସବୁଜ କ୍ଷେତରେ ନବୀନ ନୀଳାଭ
ରମଣ ଚିତ୍ରକି ଶୋଭିତ
ଦେଖି ସେ ରମଣ ଦିଗାଙ୍ଗନା ଗଣ
ପ୍ରେମେ ହେଲେ ମସଗୁଲ, କଦମ୍ବ ବନରେ...।।

ସତୀ ସୀମନ୍ତିନୀ ସାଗର ଦୁଲ୍ଲଣୀ 
ଆସି କଲେକି ବିହାର
ଅପରୂପ ଶୋଭା ଛବିଳ ଧରିତ୍ରୀ
ଇନ୍ଦ୍ରଧନୁ ଚମତ୍କାର
ବିଳାସୀ ମେଘର ବିଳାସ କକ୍ଷରେ
ବକାଳିକା ଶୁଭ୍ର ମାଳ, କଦମ୍ବ ବନରେ...॥

ଭେକ ହୁଳହୁଳି ପକାଏ ରୋଷଣୀ
ଜାଳି ଦେଇଛି ଖଦ୍ୟୋତ
ରସା ବରଷାର ସଙ୍ଗମେ ଅଙ୍କୁରେ
ଥିଲା ଯେତେ ଭୃଣ ସୁପ୍ତ
ମାଟିରୁ ଜନମି ସରିସୃପ କେତେ
ମଣ୍ଡିଲେ ଧରଣୀ କୋଳ, କଦମ୍ବ ବନରେ...॥

ନବ ଦୂର୍ବାଦଳ କାଦମ୍ବିନୀ ରଙ୍ଗ 
ରୂପ ଦେଖି ହୋଇ ଉତ୍ତାଳ
ନାଚେ ଅହିଭୁଜ ଉତ୍ତଳି ଚନ୍ଦ୍ରିକା
ବନ ଲତା କୁଞ୍ଜ “ଗହଳ
ତଳରେ” ରଚଇ ଆନମନା ନୃତ୍ୟ  
ପ୍ରେମରେ ହୋଇଣ ବିହ୍ଵଳ, କଦମ୍ବ ବନରେ...॥

ବହଇ ଶୀତୁଆ ପୂବେଇ ପବନ 
ବିରହରେ ଯକ୍ଷ ଦିନେ
ଲେଖିଲା ଚିଟୋଉ ପ୍ରିୟା ପାସେ ତାର
ବିଦେଶେ ପକାଇ ମନେ
ପ୍ରେମର ଚିଟାଉ ଜୀମୂତ ଦେଇକି
ପ୍ରେମେ କରିଲା ପାଗଳ, କଦମ୍ବ ବନରେ..॥

ଆଷାଢ଼ ଶ୍ରାବଣ ବରଷା ବିଜନ
ନୀରବତା ଦେଲା ଭାଙ୍ଗି
ହସିଲା ବନାନୀ ହସିଲା ଧରଣୀ
ନୀଳ ପାଟ ଶାଢ଼ୀ ପିନ୍ଧି
ଉଦ୍ଭିଦର ମିତ ଏ ନୀଳ ବାରିଦ
ନଦୀ ନାଳ ଛଳ ଛଳ, କଦମ୍ବ ବନରେ...॥

ଅଟେ ଋତୁରାଣୀ ବର୍ଷାରେ ମୌସୁମୀ
ଋତୁରାଜ ଯେ ବସନ୍ତ
ଶରତ ହେମନ୍ତ ଗ୍ରୀଷ୍ମ ଶୀତ ତାଙ୍କୁ 
କରିଥାନ୍ତି ଅଳଙ୍କୃତ 
ଏ ସମୁହ ଦୃଶ୍ୟ କବିର ଲେଖନୀ
ଲେଖିବ ହୁଏ ତତ୍ପର, କଦମ୍ବ ବନରେ...॥

ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ