କିଏ କହେ ରଖ ରଖ କାଳିଆ ସାଆନ୍ତ,
ଭୁଲିଗଲେ ସୁଭଦ୍ରୀକା କାମ୍ପିଲ୍ୟ ବାସିନୀ
ତାଙ୍କ ଲୀଳା ଅଦଭୁତ ସୁନ୍ଦର ମେଦିନୀ,
ତରଳ କନକ ରୂପ କୋଟି ଜହ୍ନ ଜିଣ,
ରୂପ ହୋଇଛି ପ୍ରକାଶ,
ଦେବ ଦଳନ ରଥରେ ଦେଖରେ ମାନସ ।।
ଶୂନ୍ୟ ପହଣ୍ଡିରେ ଆସେ ଦୁର୍ଲଭ ସେ ଦୃଶ୍ୟ,
ଜଗତ ଜନନୀ ଦେବୀ ହୁଅନ୍ତି ପ୍ରକଟ,
ଆଗୁ ଆସି ସୁଦର୍ଶନ ରଥରେ ଅଛନ୍ତି
ଭଉଣୀ ସୁରକ୍ଷା ପାଇଁ ଆଦେଶ ରହିଛି
ଯୋଗମାୟା ସୁଭଦ୍ରୀକା ରଥରେ ବସିଛି,
ବିଶ୍ଵ କରିବ ଦର୍ଶନ,
ସେହି ଏକା ପତିତଙ୍କୁ କରଇ ପାବନ ।।
ଶକ୍ତିମୟୀ ମହାମାୟୀ ତା'ବିନା ଅଧୁରା,
ହୋଇବ ଯାଣନ୍ତି ପରା ଏ ରଥ ଯାତରା,
ବଡ ସାନ ଭାଇଙ୍କର ଶକ୍ତିର ପ୍ରତୀକ,
ଆଦର ସ୍ନେହ ପ୍ରେମର ଏହା “ଦାର୍ଶନିକ
ଭାବ ଭକ୍ତି” ସ୍ନେହ ପ୍ରେମ ଯହିଁରେ ନିହିତ,
ଆରେ ଅବୋଧ ଜୀବନ,
ମାୟାର ପ୍ରତୀକ କରେ ସଂସାର ପାଳନ ।।
ଭଗବତୀ ସୌଭାଗ୍ୟ ସେ ସଂପଦ ଦାୟିନୀ,
କଟାକ୍ଷ ମାତ୍ରକେ ଧରା ଶଶ୍ୟ ଶାଳିନୀ,
ସୁଜଳା ସୁଫଳା ଶଶ୍ୟ ଶ୍ୟାମଳା ଶୋଭିତ,
ହୋଇବ ଧରିତ୍ରୀ ପାଇ ଦେବୀଙ୍କୁ ପ୍ରତ୍ୟକ୍ଷ
ତେଣୁ ବଡଦାଣ୍ଡେ ଭାଇ ମାନଙ୍କ ସହିତ,
ଯାଇ କରିଲେକ ଲୀଳା,
କୃପା କଟାକ୍ଷେ ମୈସୁମୀ ବର୍ଷଣ ମୁଖରା ।।
ଗୁପ୍ତରୂପୀ ସୁଭଦ୍ରା ସେ ବ୍ରହ୍ମଦେବ ସମ,
ଗଢିଛି ଜୀବଜଗତ ତା' ବାତ୍ସଲ୍ୟ ପ୍ରେମ,
ଜଳରେ ଭକତ କର ତୁ ଅବଗାହନ;
ପାର ହୋଇଯିବ ଭବବନ୍ଧୁ ତୋ ଜୀବନ
ମାନବ ଜାତିର ପ୍ରାଣ ଜୀବର ଜୀବନ,
ଦେବୀ ଶ୍ରୀପଦେ ଶରଣ,
ମଣ୍ଡନ କର ମାଆ ଯାଇ ରତ୍ନ ସିଂହାସନ ।।
ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା