ହୃଦୟକୁ ଦିଏ ଅଜସ୍ର ବ୍ୟଥା
ଆଖି ବୁଜି ପେଟେ ଲୁହ ପିଇଯାଏ
ମନେପଡେ ପିଲାଦିନର କଥା ।
କି ସୁନ୍ଦର ଆହା ଥିଲା ପିଲାଦିନ
ହସର ସୁଅରେ ଭାସୁଥିଲି ମୁଁ
ଖୁସି ଆନନ୍ଦକୁ ମୁଣିରେ ପୁରାଇ
ବସି ଦେଖୁଥିଲି ଜହ୍ନମାମୁ ।
ପାଇରେ ପାଇଏ ଶୋଲା ଧରି ବସେ
କଂସାରେ କଂସାଏ କ୍ଷୀର
ବସା ଦହି କିମ୍ବା ଘିଅ ମିଶା ଭାତ
ଖାଇବା ଥିଲା ମୋ ଅତି ଆଦର ।
ବୈଶାଖ ଖରା ବି ଦେଖି ଡରୁଥିଲା
ଆମ ଲୁଚା ମେଳେ ବାଟିଖେଳ
ନାଳର ଗାଧୁଆ ଖାପ ଖପ ଡିଆଁ
ପାଣି ହେଉଥିଲା ଦୁଇ ଫାଳ ।
ଜରି ବନା ଫୁଟବଲ ଖେଳ ମଜା
ଆମ୍ବଡା ଟାକୁଆ ହକି ଖେଳ
ବାଉଁଶ ଗଣ୍ଠିର କ୍ରିକେଟ ବଲ ରେ
ଦାଣ୍ଡ ହେଉଥିଲା ଭାରି ବିକଳ ।
ବରଷା ଭିଜା କୁ ନଈ ପହଁରା
କୁଣ୍ଡାରେ ସାଇତା କୁଆପଥର
ନଈ ବାଲି ପରେ ବାଗୁଡି, କୁସ୍ତି
ଲାଗୁଥିଲା ସତେ କେଡେ ମଧୁର ।
ଅଗିରା ପୁନେଇଁ ନିଆଁ ଜଳା ବେଳ
ହିଙ୍ଗୁଳା ଯଜ୍ଞ ଓ ଜାଗର ମେଳା
ରଥଟଣା ସଂଗେ କେତେ ଯାନିଯାତ୍ରା
ଲାଗୁଥିଲା ଯେହ୍ନେ ସମୁଦ୍ର ବେଳା ।
ବର ପତରରେ ରାଜାଙ୍କ ମୁକୁଟ
ବଇଁଚ କୋଳିର ବାଜୁ ଓ ମାଳା
ମିଛି ମିଛିକା ମୋ ଯାତରା ସଂଳାପ
ଆଃ କି ସୁନ୍ଦର ଥିଲା ସେ ବେଳା ।
ମାଆ ପାଟ ଶାଢ଼ୀ ଧୋତି ସମ ପିନ୍ଧି
ଯେବେ ସାଜି ଥାଉ ପାଲା ଗାୟକ
ଝାଡୁ ଚାମରର ଆଶୀର୍ବାଦ ସଂଗେ
ବାହାରୁଥିଲା କି ସଂସ୍କୃତ ଶ୍ଳୋକ ।
ମାଛ ଧରା, ଯାତ୍ରା ଦେଖା, ବଣ ବୁଲା
ପ୍ରତିଯୋଗିତାରେ ପୁସ୍ତକ ପଢ଼ା
ଗୁରୁ ଗୁରୁଜନ ସାବାସି ସତେ କି
ଲାଗୁଥିଲା ଜଗା ମିଠା ଅବଢ଼ା ।
ରଜ ପାନ ଖିଆ ଅଷ୍ଟମୀ ପରୁହାଁ
ଗାଁ ରଙ୍ଗମଞ୍ଚେ ଅଭିନୟ ମଜା
ଶିବରାତ୍ରୀ ମେଳ ପିଚକାରୀ ଖେଳ
ମକର ମେଳାର ଦୋକାନ ସଜ୍ଜା ।
ଗୁରୁ ଙ୍କ ହାତରୁ ପୁରସ୍କାର ନିଆ
ପରୀକ୍ଷା କକ୍ଷ ରେ କାଗଜ ମଗା
ଆଜି ସବୁ ଦୃଶ୍ୟ ଯାଉଅଛି ନାଚି
ଅଥଳ ଜଳରେ ଯେମିତି ଡ଼ଙ୍ଗା ।
ନ ଥିଲା ଚିନ୍ତା କି ଆଶା ଅଭିଳାଷ
ମନ କିନ୍ତୁ ଥିଲା ଶାନ୍ତ ପବିତ୍ର
ବଡ଼ ହେଲା ପରେ ସେ ଦିନ ସରିଲା
ପ୍ରତିକ୍ଷଣ ଲାଗେ ଦ୍ଵନ୍ଦ୍ୱ ବିଚିତ୍ର ।
ଯନ୍ତ୍ରଣା ବିହୀନ ମନ୍ତ୍ରଣା ରହିତ
ଥିଲା କି ମଧୁର ସେ ପିଲାଦିନ
ଆଜି ଏ ଦୁର୍ଦ୍ଦିନେ ମନ କହୁଥାଏ
ଫେରି ଆସନ୍ତା କି ମୋ ପିଲାଦିନ ।
ଜମ୍ଭରା, କେନ୍ଦୁଝର