ପ୍ରମତ୍ତ ଯାଦବ - ରମେଶ ଚନ୍ଦ୍ର ମିଶ୍ର

0

ପୃଥିବୀର ଏ ଏରକାର ବନରେ
ଆଜି କୋକୁଆ ମାତିଛି
କ୍ଷମତାନ୍ଧ ପାଗଳମାନଙ୍କୁ
ବିଭ୍ରମର ମାୟାଜାଲ ବେଢାଇ 
ପରସ୍ପର ବିଭେଦର ପ୍ରାଚୀର ତୋଳିଛି
ହିଂସା ଅସୂୟାର,  
ସାମ୍ରାଜ୍ୟବାଦର କାଦମ୍ବରୀ ପାନରେ
ବିଭ୍ରାନ୍ତ କରିଛି ।
ଅଶୁଭ ଲଗ୍ନରେ ଆଜି 
କୋକୁଆ ମାତିଛି ।

ଯୁଦ୍ଧର ଦାବାନଳରେ ସଂତ୍ରସ୍ତ ଏ ମାଟି
ପବନରେ ମହାକାଳର ବିକଟ ଚିତ୍କାର
ବିଭତ୍ସ ମୃତ୍ୟୁର ଗମ୍ଭୀର ନିର୍ଘୋଷରେ 
ସ୍ତବ୍ଧ ଜନପଦ
ସାଧାରଣ ମଣିଷର ବୁକୁ ଯାଏ ଫାଟି ।

କଣ ପାଇଁ ଏ ବଡିମା, ଏ ମହତ୍ଵାକାଂକ୍ଷା
ଜୀବନ ତ ଆତଙ୍କିତ ସାପଟିଏ ଭଳି
ଆତ୍ମରକ୍ଷା ପାଇଁ ବିବର ଖୋଜୁଛି,
ସେଦିନ ହିରୋସୀମା, ନାଗାସାକୀର
ପ୍ରଳୟର ଉଦ୍ଧତ ତାଣ୍ଡବକୁ କ'ଣ
ପାଶୋରି ଦେଇଛି
ନିଶ୍ଚିତ ମୃତ୍ୟୁକୁ ହାତଠାରି ସାଦରେ ଡାକୁଛି ।

ଆମେ ଖୋଲିଛେ ପୃଥିବୀର ଇତିହାସ ପୃଷ୍ଠା 
ଆମେ ପଢିଛେ ତା'ର ପ୍ରତିଟି ଅଧ୍ୟାୟ 
ସୂଚ୍ୟଗ୍ର ମାଟିର ଲୋଭ
ଟାଣିନିଏ ରକ୍ତ ନଦୀର ପ୍ରଖର ସୁଅକୁ
ପୁଅର ଶବ ବି କାଠଗଣ୍ଡି ହୁଏ,
ଅହଂସର୍ବସ୍ଵ ମନ, ସାମ୍ରାଜ୍ୟବାଦୀ ଚେତନା
ଧସାଇଦିଏ ବିରାଟ ସାମ୍ରାଜ୍ୟ 
ରାଜା ବି ଭିକାରୀ ହୁଏ
ନିଜକୁ "ଦେଶ" ବୋଲି ହୁଂକାରୁଥିବା ସମ୍ରାଟ
ଆତ୍ମଶ୍ଳାଘାରେ ବିଷପାନ କରେ ।

କେଡେ ବାମନ ଏ ଯାଦବ
ପାଣିଫୋଟକାର ଏ ଜୀବନ 
ଆଜି ଅଛି-କାଲି ନାହିଁ 
କାଦମ୍ବରୀ ପାନ ପରେ
ଏ ସତ୍ୟକୁ ତା'ର ହାତ ପାଉନାହିଁ 
ଜୀବନର ସତ୍ୟ ଠାରୁ 
ବାଟବଣା ଏ ମଣିଷ 
ପ୍ରମତ୍ତ ଯାଦବ
ନିଜକୁ ନିଜେ ଦେଖିପାରୁନାହିଁ । 

ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୮୪୮୧୧୩୬

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ