ଜଗା ଜଣାଣ - ସିଦ୍ଧେଶ୍ୱର ତ୍ରିପାଠୀ

0

ମହାବାହୁ 
କାଆଗେ  କହିବି ଦୁଃଖ ଆଉ

ମୁଁ ତ ଛୋଟ ଲୋକ ଛୋଟ ଦୁନିଆରେ 
ତୁମେ ବଡ଼ ଦିଅଁ ଏଇ ଜଗତରେ 
ସ୍ୱାର୍ଥପର ଏଇ ସଂସାର ମିଛ
ବାକି ସବୁ ମୋହ ତୁମେ ଏକା ସତ
ତୁମରି  ବିକଳ୍ପ ମିଳେ  କାହୁଁ
ମହାବାହୁ
କାଆଗେ କହିବି ଦୁଃଖ ଆଉ ।   

ରକତ ଠୁ ବନ୍ଧୁ  ଯେତେବା ସମ୍ପର୍କ
ସବୁଠି ଲୁଚିଛି ସ୍ୱାର୍ଥ
ସେ ସ୍ୱାର୍ଥ ଟିକକ ସରିଗଲା ପରେ
ତ୍ୟାଗ ସମର୍ପଣ  ବ୍ୟର୍ଥ
ଅଦେଖା ଦହନ ସେ ଅକୁହା କଥା
ଜୀବନକୁ ସାଧେ ଦାଉ
ମହାବାହୁ 
କାଆଗେ କହିବି ଦୁଃଖ ଆଉ ।

ଛାଈ ଖୋଜି ଏଠି  ଛଳନା ପାଇଛି
ଦୀପରୁ ପାଇଛି ଦୋଷ
ସପନ ଗୁଡାକ ସଜାଡୁ ସଜାଡୁ
ଶେଷ ମେଞ୍ଚେ ଅବଶୋଷ 
ତୁମ ନିର୍ଦ୍ଦେଶରେ  ଏ ଜୀବନ ରଥ
ଅଦିନେ ବାହୁଡ଼ି ଯାଉ
ମହାବାହୁ 
କାଆଗେ କହିବି ଦୁଃଖ ଆଉ ।

କୁଣ୍ଡିଲୋ, କେରଙ୍ଗ, ଖୋରଧା
ଦୂରଭାଷ - ୭୦୦୮୩୧୫୦୪୦

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ