ଆନ ଭାଷା ନୁହେଁ ତାହା ସରି
ଓଡିଶା ମୋ ଜନ୍ମ ମାଟି
ମହ ମହ ମହକାଏ ଜୀବନ ମୋ
ଆଉ କିଏ କହ ତା'ଠୁ ବଳି ?
ମୋ ମାଟିର ଦାରୁ ଦିଅଁ ଜଗତର ନାଥ
ଦୁଃଖୀ ଦୁଃଖ ବୁଝେ ବୋଲି
ଉଡାଏ ତା ମନ୍ଦିର ଚୂଳରେ
ପତିତପାବନ ନାମେ
ବାରହାତ ନେତ ।
ବସୁଧା କୁଟୁମ୍ବ ଭାବ
ଆନନ୍ଦ ବଜାରେ ବିଘୋଷିତ ହୁଏ
ଚଣ୍ଡାଳ ବ୍ରାହ୍ମଣ ମିଶି
ଗୋଟିଏ ପାତ୍ରରେ ଏଠି
ଏକାକାର ହୋଇ ଭୁଞ୍ଜିଥାଏ
ଓଡିଆ ସଂସ୍କୃତି ମୋର ବିଶ୍ଵମୈତ୍ରୀ ଗାଏ
ଜଗତ ଉଦ୍ଧାର ପାଇଁ
ଏ ମାଟିର ଅନ୍ଧ କବି
ଜଗତ ଦୁଃଖକୁ ଆପଣା ଛାତିରେ ବୋହି
ନରକକୁ ଯାଏ ।
ମୋ ମାଟି, ମୋ ଭାଷା
ମୋ ଠାକୁର, ମନ୍ଦିର, ଦାଣ୍ଡ ଆଉ ନେତ
ସବୁ ଏଠି ବଡ ବୋଲି
ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷେ
ପୁରୁଷ ପୁରୁଷ ଧରି ଘୋଷୁଛି ଜଗତ
ଆସ ଆସ ଭାଇ ବନ୍ଧୁ ଯେତେକ ଓଡିଆ
ଏକ କଣ୍ଠେ ସମ ତାଳେ
କାୟ ମନବାକ୍ୟେ ଉଚ୍ଚାରିବା
ଓଡିଆ ମୋ ମାତୃଭାଷା ସବୁଠୁ ବଢିଆ ।
ତାପସ କୁଟୀର, ବଇଣ୍ଡା, ଅନୁଗୋଳ