ଆଉ ଥରେ ନିର୍ବାଚନ - ଶ୍ୟାମା କିଙ୍କର ମହାନ୍ତି

0

ସାଧାରଣ ନିର୍ବାଚନ ପାଇଁ ତିନି ଦିନର ଟ୍ରେନିଂ ପରେ ତିନିଦିନିଆ ଡ୍ୟୁଟି ପ୍ରିଜାଇଡିଙ୍ଗ ଅଫିସର ଭାବେ । ଏଇ ତିନିଦିନିଆ ଡ୍ୟୁଟି କେତେ କଷ୍ଟକର ଯିଏ ଅଙ୍ଗେ ନିଭେଇଥିବ ସେ ହିଁ କହିପାରିବ । ଆମେ ଭାଇ ହେଲୁ ଛୋଟକାଟିଆ କବି ଲୋକ । ଆମକୁ ଏ ବି.ୟୁ./ସି.ୟୁ./ଭିଭିପ୍ୟାଟ ପାଠ ସାଙ୍ଗକୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଭାରି କଷ୍ଟ । ସେ ଯା ହେଉ ସୁରୁଖୁରରେ କାମ ସାରି ସବୁ ଜିନିଷ ଜିଲ୍ଲାପାଳଙ୍କ ଅଫିସରେ ଦାଖଲ କରୁ କରୁ ରାତି ଵାର । ଘରକୁ ଫେରିଲି ରାତି ଅଢେଇଟାରେ । ଦେହମୁଣ୍ଡ ଦରଜ, ଲାଗୁଥାଏ ଯେମିତି ଦି' ଦିନ ଦି' ରାତି କୋଉଠି ଯାତ୍ରା ଦେଖି ଫେରିଛି । ବିଛଣାରେ ପଡୁ ପଡୁ ଘମାଘୋଟ ନିଦ ।

ଦେଖିଲି, ରାଜ୍ୟରେ ଆଉ ଗୋଟେ କଣ ନିର୍ବାଚନ ପାଇଁ ଘୋଷଣା ହେଲାଣି । ଏଥର ବିଧାନସଭା ପାଇଁ ନୁହେଁ, କବିସଭା ପାଇଁ । ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନୁହେଁ, ମୁଖ୍ୟକବି ଚୟନ ପାଇଁ । ଆଛା କଥା ହେଲା ହୋ ଭାଇ । ଚାହୁଁ ଚାହୁଁ ପ୍ରଚାର ବି ସୁରୁ । ପଦଯାତ୍ରାରେ ବାହାରିଛନ୍ତି ଶହେ ପାଖାପାଖି ବୟସ୍କ କିମ୍ବା ମଧ୍ୟବୟସ୍କ କବି ଆଉ କବୟିତ୍ରୀ । ପ୍ରାୟ ପିନ୍ଧିଛନ୍ତି କୁର୍ତ୍ତା ପାଇଜାମା କିମ୍ବା ଶାଢ଼ୀ । କେହି କେହି ନେହେରୁ କି ମୋଦୀ ଭଳି ଜ୍ୟାକେଟ ଗଳେଇଛନ୍ତି ଉପରେ । ଜଣେ କେହି ଛକ ଦେଖି ଭାଷଣ ଦେଉଛି, 'କବିତା କଣ ଆମେ ହିଁ ଜାଣୁ' । ଗତ ତିନି ଚାରି ଦଶନ୍ଧି ହେଲା ଆମେ ହିଁ ଓଡ଼ିଆ କବିତାର ରୂପରେଖ ତିଆରି କରିଛୁ । ନୂଆ ପିଢି ଲେଖୁଥିବା ଫବିତା ମୋହରେ ପଡନ୍ତୁ ନାହିଁ । ତା' ଛଡା ଆମ ଦଳରେ ବଛା ବଛା ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିତ ସବୁ ଅଛନ୍ତି । ଓଡ଼ିଆ କବିତାର ମାନ ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ଆମ ଦଳକୁ ହିଁ ଭୋଟ ଦେଇ ଜିତାନ୍ତୁ । 

ଆଉ ଗୋଟେ ଛକରେ ଦେଖିଲା ବେଳକୁ ବାଇକ ରାଲି ଚାଲିଛି । କିଛି ସୁନ୍ଦରୀ ଝିଅ ଆଉ କିଛି ହିରୋ ମାର୍କା ପୁଅ ରାଲିରେ । ଝିଅ ସବୁ ଜିନ୍ସ ଟପ ପରିହିତା ଆଉ ପୁଅଙ୍କ କଥା ନ କହିଲେ ଭଲ । କିଏ ବରମୁଡା ତ କିଏ ସ୍ଲିଭଲେସ ବାନିଆନ । ଛକରେ ଗାଡି ଅଟକେଇ ଝିଅଟେ କବିତା ଆବୃତ୍ତି କରୁଛି । ଆବୃତ୍ତି ତ ନୁହେଁ ଗାଉଛି । ପୁଅଟେ ଅଣ୍ଟା ହଲାଉଛି କବିତାର ତାଳରେ । ଜଣେ କିଏ ଭାଷଣ ଆରମ୍ଭ କଲା, ବୁଢୋ କା ଜମାନା ଗୟା । ଏବେ ଟ୍ରେଣ୍ଡି କବିତାର ଯୁଗ । କବିସଭାରେ ଏବେ ଆମ ସରକାର ଆସିବା ଦରକାର । ଆମ ଦଳ ବିଜୟୀ ହେଲେ ପ୍ରେମମନ୍ତ୍ରୀ ହେବେ କବୟିତ୍ରୀ ଆଂଜେଲ ପ୍ରିୟା, ବିରହ ମନ୍ତ୍ରୀ ହେବେ କବି ରକ୍ ବୟ ଗୁଡୁ ଆଉ ପ୍ରଣୟ ମନ୍ତ୍ରୀ ହେବେ ମହାକବି ତପୁ ଦମଦମ । ଆମେ ବିଜୟୀ ହେଲେ ପ୍ରତି ଛକରେ ଖୋଲିବୁ କବିତା ବୁଥ, କବି ଜନଧନ ଯୋଜନାରେ ସବୁ କବିଙ୍କ ଆକାଉଣ୍ଟରେ ଦବୁ ମାସିକ ଭତ୍ତା, ଆହୁରି କେତେ କଣ ।

ଏସବୁ ଦେଖି ମୁଁ ଟେରା । ଘରେ ଆସି ମୋବାଇଲ ଖୋଲେ ତ ସୋସିଆଲ ମିଡିଆରେ ଅନନ୍ୟ ପ୍ରଚାର । ହେ ମୋର କବିତା ପ୍ରେମୀ ଭୋଟର ଗଣ, ଯୁଗ ବଦଳୁଛି । ଟଙ୍କା ଖର୍ଚ୍ଚ କରି ମାଗାଜିନ କି ବହି କିଣିବା ଭୁଲିଯାନ୍ତୁ । ଫେସବୁକ ଓ ହ୍ଵାଟ୍ସଆପରେ ମାଗଣାରେ ପଢନ୍ତୁ ଆମର ହଜାର ହଜାର କବିତା । ଆମ ଦଳ ସବୁଠାରୁ ଉଦାର । ଯେମିତି ସେମିତି କରି ଦି' ଚାରି ଧାଡି ଲେଖିଦେଲେ ଆମେ ତାକୁ କବି ବା କବୟିତ୍ରୀର ମାନ୍ୟତା ଦେଉ । ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ । ତେଣୁ ଯିଏ ବେଶି ଲାଇକ କମେଣ୍ଟ ଯୋଗାଡ଼ କରି ପାରିଲା ତାକୁ ଆମେ ଭଲ କବି ବା କବୟିତ୍ରୀର ମାନ୍ୟତା ଦେଉ । ତେଣୁ ଆମ ଦଳକୁ ବିଜୟୀ କରାନ୍ତୁ ଆମେ ଭେଟି ଦେବୁ ସମାଜକୁ ପ୍ରତିଦିନ ନୂଆ ନୂଆ କବି, ନୂଆ ନୂଆ କବିତା ।

ଏଣେ ଦେଖିଲାବେଳକୁ କବିତାସଭାର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥାଏ । ହ୍ଵାଟ୍ସଆପ କବିତା ଗ୍ରୁପର ଆଡମିନ ମାନଙ୍କୁ ସେକ୍ଟର ଅଫିସର ଆଉ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ମାନଙ୍କୁ ରିଟର୍ନିଙ୍ଗ ଅଫିସର ଭାବେ ଦାୟିତ୍ୱ ଦିଆସରିଥାଏ । ଆମ ଗାଁ ସାହିତ୍ୟ ଅନୁଷ୍ଠାନର ସହ ସମ୍ପାଦକ ଥିବାରୁ ମୋର ପ୍ରିଜାଇଡିଂ ଅଫିସର ଭାବେ ଡ୍ୟୁଟି ପଡିଥାଏ । ସମ୍ପାଦକ ବାବୁ ଫୋନରେ ଡାକି ଅଫିସ ଅର୍ଡରଟି ଧରେଇଦେଲେ ମୋତେ ।

ହେ ଭଗବାନ ! ପୁଣି ଥରେ ଇଲେକ୍ସନ ଡ୍ୟୁଟି !! ପୁଣି ସେଇ କଷ୍ଟ !!!

'ନା... ନା... କ୍ୟାନ୍ସଲ କର ଏ ଅର୍ଡର । କ୍ୟାନ୍ସଲ କର...'  ଜୋରରେ ଚିଲ୍ଲେଇଲି ମୁଁ । କଣ ହେଲା...  କଣ ହେଲା...  କହି ଆର ରୁମରୁ ଦଉଡି ଆସିଲେ ମୋ ପୁଅ ଓ ଶ୍ରୀମତୀ । ଦାଉଁ କିନା ନିଦ ଭାଙ୍ଗିଗଲା ମୋର ।

ଘଣ୍ଟାକୁ ଚାହିଁଲି । ସକାଳ ଆଠଟା ତିରିଶ । ଭଗବାନଙ୍କୁ ଧନ୍ୟବାଦ । ସ୍ୱପ୍ନ ଦେଖୁଥିଲି...

ନୀଳାଚଳ ଇସ୍ପାତ ନିଗମ, ଡୁବୁରୀ, ଯାଜପୁର
ଦୂରଭାଷ : ୯୮୬୧୧୯୧୩୮୦

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ