ସେହି ମୋ ଠାକୁର ଜଗନ୍ନାଥ
ଲୁହ ପୋଛି ଟିକେ ହସ ଭରିବାକୁ
ବଢାଇଥାନ୍ତି ସରାଗ ହାତ ।
ତପ୍ତ ବୈଶାଖକୁ ଶ୍ରାବଣ କରନ୍ତି
ସିନାନ କରନ୍ତି କେଡେ ସରାଗେ
ଯନ୍ତ୍ରଣା ଶୋଷି ସେ ପ୍ରେମ ବିତରନ୍ତି
କେମିତି ବର୍ଣ୍ଣିବି କାହାର ଆଗେ ।
ଲଲାଟ ଲିଖନ ପଢି ବୁଝି ସିଏ
କୌଶଳେ ଲାଘବ କରନ୍ତି କଷ୍ଟ
ପତିତ ପାଇଁ ଯେ ଚିନ୍ତା କରୁଥାନ୍ତି
ହୃଦୟ ରାଇଜେ ସେ ନିଶ୍ଚେ ଶ୍ରେଷ୍ଠ ।
ନିଘଞ୍ଚ ଅରଣ୍ୟେ ପଥ ସେ ଦେଖନ୍ତି
ମୋ ପାଇଁ ତ ଦିଗ ବାରେଣୀ ଯନ୍ତ୍ର
ତାଙ୍କ ହାତ ଯଦି ମୋ ମଥା ଉପରେ
କି ଲାଭ ମୋ ପାଇଁ ଶାସ୍ତ୍ର କି ମନ୍ତ୍ର ।
କି କହିବି ତାଙ୍କ ସେନେହ ମମତା
ସାଗର ଜଳ ବି କେତେ ଯେ ଉଣା
ସେ ଥିଲେ ସାଥିରେ ବୀର ଦର୍ପେ ଚାଲେ
କଦାପି ହୁଏନି ମୁଁ ବାଟବଣା ।
ଛଳ ଛଳ ଆଖି ଯେବେ ସେ ଦେଖନ୍ତି
ଛିଡି ଯାଏ ତାଙ୍କ ଛାତି କଲିଜା
କୋହ ଭରା କଣ୍ଠେ ପିଠି ଥାପୁଡ଼େଇ
କହନ୍ତି ମୁଁ ଅଛି ଟିକେ ସହିଯା ।
ସେ ମୋ ଇତିହାସ ମୁଁ ତାଙ୍କ ଭୂଗୋଳ
ନିବିଡ଼ତା ଆମ ମନୋବିଜ୍ଞାନ
ଭାଷା ସାହିତ୍ୟ ବି ଥକ୍କିଯାଇ କହେ
ପାରିବିନି କରି ଲୀଳା ଵର୍ଣ୍ଣନ ।
ଟିକିଏ ସାନ୍ନିଧ୍ୟ ପାଇଁ ଯଦି କେବେ
ହୃଦୟରୁ କାଢି ଅଜାଡେ ଭକ୍ତି
ଆଦରେ କୋଳେଇ ନେଇ ସେ କହନ୍ତି
ତୁ ପରା ମୋହର ନୟନ ଜ୍ୟୋତି ।
ବଡ଼ ଅଭମାନୀ ଠାକୁରଟିଏ ସେ
ତାଙ୍କ ଠାରେ କଲେ ଶରଧା ଉଣା
ରୋଷ କରି ଭକ୍ତ ପ୍ରେମ ଡାକ ଖୋଜି
ଚାହିଁଥାନ୍ତି ଖୋଲି ହୃଦ ଅଗଣା ।
ଏକଲୟେ ପୁଜେ ପ୍ରେମ ପୁଷ୍ପ ଦେଇ
ନିଃସ୍ୱାର୍ଥେ କରଇ ଯେ ସମର୍ପଣ
ସଫଳତା ସହ ଐଶ୍ୱର୍ଯ୍ୟ ଢାଳନ୍ତି
ପ୍ରୀତିର କରରେ ସେ ନାରାୟଣ ।
ଜମ୍ଭରା, କେନ୍ଦୁଝର