ଅଣୁଗଳ୍ପ - ଛାତ୍ର - ଶ୍ୟାମା କିଙ୍କର ମହାନ୍ତି

0

ହାଇସ୍କୁଲର ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଭିତରେ ଥିଲେ ପୂର୍ବତନ ପ୍ରଧାନଶିକ୍ଷକ ରମେଶ ସାର ଓ ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ଏମ. ଏଲ. ଏ. ସୁରେଶ ବାବୁ । ବକ୍ତାମାନେ ସେମାନଙ୍କ ଅଭିଭାଷଣରେ ରମେଶ ସାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସ୍କୁଲର ବହୁତ ପିଲା କିପରି ବଡ଼ମଣିଷ ହୋଇପାରିଛନ୍ତି ସେ ବିଷୟ ବର୍ଣ୍ଣନା କରିଥିଲେ । ଉପସ୍ଥିତ ଜନତାଙ୍କ କରତାଳିରେ ନିଜକୁ ଗର୍ବିତ ମନେ କରୁଥିଲେ ରମେଶ ସାର । ଶେଷରେ ସ୍ଥାନୀୟ ଏମ. ଏଲ. ଏ. ସୁରେଶ ବାବୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଠିକ୍ କଥା, ରମେଶ ସାର ବହୁତ ଭଲ ମଣିଷ ଏ ସ୍କୁଲରୁ ତିଆରି କରିଛନ୍ତି । ତଥାପି ସେ ତ ଭଗବାନ ନୁହନ୍ତି, କିଛି ଛାତ୍ର ବି ବେକାର, ବେରୋଜଗାର ରହିଯାଉଛନ୍ତି । ମୁଁ ସେମାନଙ୍କୁ ଆହ୍ୱାନ କରୁଛି । ସେମାନେ ମୋ ସହ ଆସନ୍ତୁ, ମୋ ଦଳରେ ଯୋଗ ଦିଅନ୍ତୁ । ସେମାନଙ୍କୁ ଜୀବନ, ଜୀବିକା ମୁଁ ଦେବି । ଦୁଇଗୁଣ କରତାଳିରେ ସଭାସ୍ଥଳ କମ୍ପି ଉଠୁଥିଲା । କ୍ଲାସର ସବା ପଛ ବେଞ୍ଚରେ ବସୁଥିବା ଓ ପ୍ରାୟ ପ୍ରତିଦିନ ତାଙ୍କ ଠାରୁ ବେତମାଡ ଖାଉଥିବା ସୁରିଆ ଓରଫ ସୁରେଶ ବାବୁଙ୍କ ଏହି କଥା ଶୁଣି ନିଜ ଅଜାଣତରେ ରମେଶ ସାର ବି ତାଳି ମାରି ଚାଲିଥିଲେ ।

ଯମୁନା ରୋଡ଼, ମାର୍କଣ୍ଡେଶ୍ଵର ସାହି , ପୁରୀ
ଦୂରଭାଷ - ୯୮୬୧୧୯୧୩୮୦

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ