ଗର୍ବ ଗଞ୍ଜନ - ଘନଶ୍ୟାମ ସାହୁ

0

"ମହାରାଜା ଦ୍ୱାରକାଧୀଶ ଶ୍ରୀକୃଷ୍ଣ ଙ୍କର ଜୟ", ପ୍ରହରୀ ଆସି କିଛି ଜରୁରୀ ସମ୍ବାଦ ଦେବାକୁ ପ୍ରତୀକ୍ଷା କଲା । "କି ସମ୍ବାଦ ପ୍ରହରୀ ? କିଛି ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ନଥିଲେ ଏମିତି ଅସମୟରେ ଆସି ନଥାନ୍ତ ?" ଶ୍ରୀକୃଷ୍ଣ ସ୍ମିତ ହାସ୍ୟରେ ପ୍ରଶ୍ନ କଲେ ‌। "ହଁ  ମଣିମା ଏକ ଦୁଷ୍ଟ ବାନର ଦ୍ଵାରକାର ସୁନ୍ଦର ଉଦ୍ୟାନରେ ପ୍ରବେଶ କରି ଯାହା ଫଳମୂଳ ତ ଖାଉଛି ! ପୁଣି ଅନେକ ବୃକ୍ଷ ସବୁ ନଷ୍ଟ କରି ଦେଉଛି । ଆମ ରକ୍ଷୀ ମାନଙ୍କୁ ସେ ଜମାରୁ ବି ଖାତିରି କରୁନାହିଁ । ଏହା ଆପଣଙ୍କୁ ଜଣାଇଲି । ଶୀଘ୍ର କିଛି ନକଲେ ସମୁଦାୟ ଉପବନକୁ ସେ ଧୂଳିସାତ କରିଦେବ ମଣିମା ।" ପ୍ରହରୀ ମୁଣ୍ଡ ନୁଆଇଁ ଜଣାଇଲା । ପ୍ରହରୀକୁ ଯିବାକୁ ଦେଇ ମନ୍ଦ ମନ୍ଦ ହସି ନିକଟରେ ଥିବା ଗରୁଡ଼କୁ ଲକ୍ଷ୍ୟ କରି କହିଲେ ଶ୍ରୀକୃଷ୍ଣ, "ଗରୁଡ଼ ଶୀଘ୍ର ସୈନ୍ୟ ମାନଙ୍କୁ ଧରି ଯାଅ । ସେ ବାନରକୁ ବାନ୍ଧି ମୋ ପାଖରେ ଉପସ୍ଥିତ କରାଅ ।" "ଏଇ ସାଧାରଣ ବାନରକୁ ଆଣିବା ପାଇଁ ସୈନ୍ୟ ଦରକାର ନାହିଁ । ମୁଁ ଏକୁଟିଆ ତାକୁ ସଙ୍ଗେ ସଙ୍ଗେ ନେଇ ଆସୁଛି ପ୍ରଭୁ ।" ଏହା କହି ବିଜୁଳି ବେଗରେ ଗରୁଡ଼ ଉପବନରେ ପହଞ୍ଚି ବାନରକୁ ତାଗିଦ୍ କରି ଫଳବୃକ୍ଷ ନଷ୍ଟ ନକରି ଶୀଘ୍ର ତା ସହିତ ଯାଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିବା ପାଇଁ କହିଲେ ।

ସେ ବାନର ଆଉ କେହି ନଥିଲେ । ହନୁମାନ ହିଁ ପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ଦ୍ଵାରକାକୁ ଆସିଥିଲେ । ପ୍ରଭୁ କାହାର ଗର୍ବ ସହ୍ୟ କରି ପାରନ୍ତି ନାହିଁ । ସେହି ଗର୍ବ ଗଞ୍ଜନ ପାଇଁ ସେ ତାଙ୍କ ଭକ୍ତ ହନୁମାନଙ୍କୁ ସ୍ମରଣ କରିଥିଲେ । ହନୁମାନଙ୍କୁ କିଛି ବୁଝାଇବାକୁ ପଡ଼ି ନଥିଲା । ସେ ପ୍ରଭୁଙ୍କ ଅନନ୍ୟ ଭକ୍ତ ହୋଇଥିବାରୁ ନିଜେ ନିଜର କର୍ତ୍ତବ୍ୟ ଜାଣି ନିଜ ଶୈଳୀରେ କରି ଚାଲିଥିଲେ । ତେଣୁ ଗରୁଡ଼ଙ୍କ କଥା ଶୁଣି ମଧ୍ୟ ସେ ଭୃକ୍ଷେପ ନକରି ଫଳ ଖାଇବାକୁ ଲାଗିଲେ ଏବଂ କହିଲେ, "ମୁଁ ମୋ ଏକ ମାତ୍ର ପ୍ରଭୁ ଶ୍ରୀରାମଙ୍କ ସେବକ ହନୁମାନ । ଶ୍ରୀକୃଷ୍ଣ କିଏ ମୁଁ ଜାଣିନି । ମୁଁ ଜଣେ ବାନର ହୋଇ ମୋର ସ୍ୱଭାବ ଛାଡ଼ି ପାରିବି କିପରି ? ଏହା ମୋର ଧର୍ମ । ତୁମେ ଅଯଥାରେ ମୋ ଖାଇବାରେ ବ୍ୟାଘାତ ସୃଷ୍ଟି କରୁଛ । ଯାଅ ଏଠାରୁ ଶୀଘ୍ର ଚାଲିଯାଅ ।" ଏହି କଥା ଶୁଣି ଗରୁଡ଼ କ୍ରୋଧ ପ୍ରକାଶ କରି କହିଲେ, "ମୁର୍ଖ ବାନର ମୋତେ ଚିହ୍ନିନାହୁଁ ବୋଧହୁଏ । ମୁଁ ଶ୍ରୀକୃଷ୍ଣଙ୍କ ବାହନ ପକ୍ଷୀରାଜ ଗରୁଡ଼ । ଚାହିଁଲେ ତୋତେ ଧରି ନେବାପାଇଁ ମୋତେ କିଛି କ୍ଷଣ ବି ଲାଗିବ ନାହିଁ ।" ଏହା କହି ଗରୁଡ଼ ହନୁମାନଙ୍କୁ ଧରି ନେଇ ଯିବାକୁ ପାଖକୁ ଯିବା କ୍ଷଣି ହନୁମାନ ନିଜ ଲାଙ୍ଗୁଳରେ ଏମିତି ଏକ ପ୍ରହାର କଲେ ଯେ, ଗରୁଡ଼ ମୂର୍ଚ୍ଛା ହୋଇ ବହୁତ ଦୂରରେ ସମୁଦ୍ର କୂଳରେ ପଡ଼ିଲେ । ବହୁତ କଷ୍ଟରେ ମୂର୍ଚ୍ଛା ରୁ ସଂଜ୍ଞା ପାଇ ସବୁଠାରୁ ଶକ୍ତିଶାଳୀ ହେବା ଅଭିମାନ ତାଙ୍କର ଚାଲିଗଲା । ଲଜ୍ଜା ଓ ଅପମାନରେ ମୁଣ୍ଡ ତଳକୁ କରି କୌଣସି ପ୍ରକାରେ ପହଞ୍ଚି ଗଲେ ଶ୍ରୀକୃଷ୍ଣଙ୍କ ପାଖରେ । ସବିଶେଷ ତଥ୍ୟ ପ୍ରଦାନ କରି ନିଜ ଅସଫଳତା ପାଇଁ ନିଜକୁ ଅପରାଧୀ ବୋଲି ଭାବି କ୍ଷମା ଯାଚନା କଲେ ବୈନତେୟ । ଶ୍ରୀକୃଷ୍ଣ କିନ୍ତୁ ପ୍ରତିକ୍ରିୟା ପ୍ରକାଶ ନକରି ପୁଣି ଥରେ ତାଙ୍କୁ ମଳୟ ପର୍ବତରେ ଅବସ୍ଥାନ କରୁଥିବା ହନୁମାନଙ୍କ ନିକଟକୁ ପ୍ରେରଣ କଲେ । ଏଥର କିନ୍ତୁ ଶ୍ରୀକୃଷ୍ଣ ନୁହେଁ "ପ୍ରଭୁ ରାମଚନ୍ଦ୍ର ଡାକୁଛନ୍ତି" ବୋଲି କହିବାକୁ ନିର୍ଦ୍ଦେଶ ଦେଲେ ।

ପୂର୍ବରୁ ଏକ ଦୁଃସାହସିକ ଅଭିଯାନର ସହଯୋଗୀ ହୋଇଥିଲେ ପକ୍ଷୀରାଜ ଗରୁଡ଼ ଏବଂ ରାଣୀ ସତ୍ୟଭାମା । ଶ୍ରୀକୃଷ୍ଣଙ୍କ ଅଷ୍ଟ ପ୍ରଧାନ ରାଣୀଙ୍କ ମଧ୍ୟରେ ସତ୍ୟଭାମା ଥିଲେ ସମ୍ଭ୍ରାନ୍ତ ଧନୀକ ସକ୍ରାଜିତଙ୍କ କନ୍ୟା । ନିଜକୁ ଶ୍ରେଷ୍ଠ ସୁନ୍ଦରୀ ଭାବି ଗର୍ବ ଅନୁଭବ କରୁଥିଲେ ସେ । ସ୍ୱର୍ଗକୁ ଶ୍ରୀକୃଷ୍ଣଙ୍କ ସହିତ ଗରୁଡ଼ ପୃଷ୍ଠରେ ଯାଇ ପାରିଜାତ ବୃକ୍ଷକୁ ନେଇ ଆସିଥିଲେ ଦ୍ୱାରକା । ଅବଶ୍ୟ ଏଥି ସକାଶେ ଶ୍ରୀକୃଷ୍ଣଙ୍କୁ ଦେବରାଜ ଇନ୍ଦ୍ରଙ୍କ ସହ ଯୁଦ୍ଧ ମଧ୍ୟ କରିବାକୁ ପଡ଼ିଥିଲା । ଇନ୍ଦ୍ର ପରାସ୍ତ ହୋଇ କ୍ଷମା ଭିକ୍ଷା କରିଥିଲେ ଏବଂ ସସମ୍ମାନେ ପାରିଜାତ ବୃକ୍ଷ ସହ ଅନ୍ୟାନ୍ୟ ଉପଢ଼ୌକନ ଦେଇ ବିଦାୟ ଜଣାଇଥିଲେ । ଏହି ଘଟଣା ପରେ ଗରୁଡ଼ ନିଜକୁ ଶକ୍ତିଶାଳୀ ଏବଂ ଦୃତ ବେଗରେ ଗତି କରେ ବୋଲି ଗର୍ବ କରିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ହସ୍ତରେ ଶୋଭା ପାଉଥିବା ସୁଦର୍ଶନ ଚକ୍ର ମଧ୍ୟ ଏଥିରୁ ବାଦ୍ ପଡିଲେ ନାହିଁ । ପ୍ରଭୁଙ୍କ ଆୟୁଧ ହୋଇ ଥିବାରୁ ସର୍ବଶକ୍ତିମାନ ବୋଲି ନିଜକୁ ଭାବୁଥିଲେ । ସେହିପରି ସତ୍ୟଭାମା ନିଜକୁ ପରମ ସୁନ୍ଦରୀ ତଥା ଶ୍ରୀକୃଷ୍ଣଙ୍କ ସବୁଠାରୁ ପ୍ରିୟ ରାଣୀ ଭାବୁଥିଲେ ଏବଂ ସେଥିପାଇଁ ତାଙ୍କ ଗୋଡ଼ ତଳେ ପଡ଼ୁ ନଥିଲା । ଏମାନଙ୍କ ଗର୍ବ ଖଣ୍ଡନ କରି ଉଚିତ୍ ଶିକ୍ଷା ଦେବାପାଇଁ ପ୍ରଭୁ ଶ୍ରୀକୃଷ୍ଣ ହନୁମାନଙ୍କ ସାହାଯ୍ୟ ଲୋଡ଼ିଥିଲେ । ହନୁମାନ ପ୍ରଭୁଙ୍କ ଇଚ୍ଛାମତେ କାର୍ଯ୍ୟ କରି ଚାଲିଥିଲେ । ହନୁମାନ ଆଉ କିଛି ଲୀଳା ଦେଖାଇବା ପାଇଁ ମଳୟ ପର୍ବତକୁ ଫେରିଗଲେ । ଗରୁଡ଼ ଖୋଜି ଖୋଜି ମଳୟ ପର୍ବତରେ ହନୁମାନଙ୍କୁ ଦେଖିଲେ ।ଏଥର ବିନମ୍ରତାର ସହିତ କହିଲେ, "ହେ ଭକ୍ତ ଶ୍ରେଷ୍ଠ ହନୁମାନ, ଆପଣଙ୍କୁ ପ୍ରଭୁ ଶ୍ରୀରାମ ଡକାଇ ପଠାଇଛନ୍ତି । ବୟସାଧିକ୍ୟ ହେତୁ ଆପଣଙ୍କ ବିଳମ୍ବ ହୋଇପାରେ, ତେଣୁ ମୋର ପୃଷ୍ଠରେ ବସି ଯାଆନ୍ତୁ । ମୁଁ ଆପଣଙ୍କୁ ଶୀଘ୍ର ପହଞ୍ଚାଇ ଦେବି ।" ହନୁମାନ ବ୍ୟଗ୍ର ହୋଇ କହିଲେ, "ମୋ ପ୍ରଭୁ ମୋତେ ଡାକୁଛନ୍ତି ମୁଁ ଏବେ ସଙ୍ଗେ ସଙ୍ଗେ ଯାଉଛି, ତୁମେ ଆଗରେ ଯାଅ ।" ଅଗତ୍ୟା ଆଉ ଅଧିକ କହିବାକୁ ଉଚିତ୍ ମନେ ନକରି ଶୀଘ୍ର ସେଠାରୁ ଫେରିଆସିବାକୁ ଗରୁଡ଼ ପ୍ରସ୍ତୁତ ହେଲେ ।

ହନୁମାନ ଆସୁଛନ୍ତି ଜାଣି ପ୍ରଭୁ ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ ପାଖକୁ ଡାକିଲେ । ନିଜେ ରାମଚନ୍ଦ୍ରଙ୍କ ଭଳି ଧନୁ ଧାରଣ କରି ବାମପଟେ ସତ୍ୟଭାମାଙ୍କୁ ବସାଇ ଅପେକ୍ଷା କରି ରହିଲେ । ସୁଦର୍ଶନକୁ ପାଖକୁ ଡାକି କାହାକୁ ମଧ୍ୟ ଏ କୋଠରୀ ମଧ୍ୟକୁ ଛାଡ଼ି ନଦେବାକୁ ନିର୍ଦ୍ଦେଶ ଦେଲେ । ସୁଦର୍ଶନ କୋଠରୀ ଦ୍ୱାର ସମ୍ମୁଖରେ ଦୃଢ଼ ଭାବେ ଜଗି ରହିଲେ । ଗରୁଡ଼ ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ବିଜୁଳି ବେଗରେ ଦ୍ୱାର ସମ୍ମୁଖରେ ପହଞ୍ଚି ଗଲେ ହନୁମାନ । ଦ୍ଵାର ଛାଡ଼ି ଦେବାକୁ ସୁଦର୍ଶନଙ୍କୁ ବାରମ୍ବାର ଅନୁରୋଧ କଲେ । ବହୁତ ବୁଝାଇବା ପରେ ମଧ୍ୟ ନ ବୁଝିବାରୁ ସୁଦର୍ଶନକୁ ଧରି ଆହାର ପରି ନିଜ ଗର୍ଭକୁ ଠେଲି ଦେଲେ ହନୁମାନ । ପ୍ରଭୁଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରଣାମ କରିବା ପରେ ବିଳମ୍ବ ଯୋଗୁଁ ପ୍ରଥମେ ଆଣ୍ଠୁମାଡ଼ି କ୍ଷମା ମାଗିଲେ ଏବଂ ସତ୍ୟଭାମାଙ୍କୁ ଲକ୍ଷ୍ୟ କରି କହିଲେ, "ଏ କି ଅନ୍ୟାୟ ପ୍ରଭୁ ମୋ ମାତାଙ୍କ ବଦଳରେ ଏ ସାଧାରଣ ସ୍ତ୍ରୀ ଲୋକଟିକୁ କାହିଁକି ବସାଇ ଛନ୍ତି ? ମୋ ମାତା ଆଜି କୁଆଡେ଼ ଗଲେ ? "ପ୍ରଭୁ ଲକ୍ଷ୍ୟ କଲେ ହନୁମାନଙ୍କ କଥା ଶୁଣି ଦେବୀ ସତ୍ୟଭାମାଙ୍କ ମୁଖ ମଣ୍ଡଳ କିପରି ମଳିନ ପଡି ଯାଇଛି । ତାଙ୍କ ସୁନ୍ଦରତାର ଅହଙ୍କାର ଦୂର ହୋଇ ଯାଇଛି । କଥା ଏଡ଼ାଇବା ପାଇଁ ଶ୍ରୀକୃଷ୍ଣ କହିଲେ, "ସେ କଥା ଛାଡ଼ ହନୁମାନ, ପ୍ରଥମେ କୁହ ଦ୍ୱାରପାଳ ସୁଦର୍ଶନ ତୁମକୁ ଛାଡ଼ି ଦେଲା କିପରି ? ମୁଁ ତ ତାକୁ କକ୍ଷ ଭିତରକୁ କାହାକୁ ମଧ୍ୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲି ।" ହନୁମାନ କିଛି କହିବା ପୂର୍ବରୁ ଗରୁଡ଼ ଧଇଁସଇଁ ହୋଇ କକ୍ଷ ମଧ୍ୟରେ ପ୍ରବେଶ କଲେ ଏବଂ ହନୁମାନଙ୍କୁ ପ୍ରଭୁଙ୍କ ସହିତ କଥା ହେଉଥିବା ଦେଖି ନିଜକୁ ଲଜ୍ଜିତ ମନେ କଲେ । ତୀବ୍ର ବେଗରେ ଗତି କରେ ବୋଲି ମନରେ ଥିବା ଗର୍ବ ତାଙ୍କର କେଉଁ ଆଡେ ଉଭେଇ ଗଲା । ମୁଣ୍ଡ ତଳକୁ ପୋତି ସେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଲେ । "ହଁ ହନୁମାନ କିଛି କହିଲ ନାହିଁ ମୋ ସୁଦର୍ଶନ କେଉଁଠି ?" ପ୍ରଭୁ ପଚାରିଲେ । ହନୁମାନ କହିଲେ, "ପ୍ରଭୁ ଦ୍ୱାର ନିକଟରେ ଜଗି ରହିଥିବା ସୁଦର୍ଶନଙ୍କୁ ମୁଁ ଭିତରକୁ ଛାଡ଼ି ଦେବାକୁ ଅନେକ ଅନୁନୟ ବିନୟ ହୋଇ କହିଲି, କିନ୍ତୁ କ୍ଷମା କରିବେ ପ୍ରଭୁ ଆପଣଙ୍କୁ ଦେଖା କରିବାରେ ବିଳମ୍ବ ହେବ ଭାବି ଆଉ କିଛି ଯୁକ୍ତି ତର୍କ ନକରି ତାଙ୍କୁ ଗିଳି ପକାଇଛି । ଏବେ ତାଙ୍କୁ ବାହାର କରି ଦେଉଛି" କହି ବାନ୍ତି କରି ସୁଦର୍ଶନଙ୍କୁ ବାହାର କଲେ । ଶ୍ରୀକୃଷ୍ଣଙ୍କ ଦିବ୍ୟ ଦୃଷ୍ଟିରୁ ମୂର୍ଚ୍ଛିତ ଅବସ୍ଥାରେ ବାହାରି ଥିବା ସୁଦର୍ଶନ ହାତଯୋଡି ନିଜ ଅହଙ୍କାର ପାଇଁ କ୍ଷମା ପ୍ରାର୍ଥନା କଲେ । ହନୁମାନଙ୍କୁ କୁଣ୍ଢେଇ ଧରିଲେ ପ୍ରଭୁ ଶ୍ରୀକୃଷ୍ଣ । "ତୁମ ପରି ଭକ୍ତ ଏ ସଂସାର ରେ ବିରଳ" ବୋଲି କହିବା ସହ ସାହାଯ୍ୟ ପାଇଁ ହନୁମାନଙ୍କୁ ଧନ୍ୟବାଦ ଦେଲେ । ପ୍ରଭୁଙ୍କ ଆଶୀର୍ବାଦ ପାଇ  ମାତା ସତ୍ୟଭାମାଙ୍କୁ କ୍ଷମା ମାଗି ହନୁମାନ ମଳୟ ପର୍ବତକୁ ପ୍ରତ୍ୟାବର୍ତ୍ତନ କଲେ । ଏହିପରି ଭାବରେ ଏକାବେଳେ ପ୍ରଭୁ ଶ୍ରୀକୃଷ୍ଣ ସତ୍ୟଭାମା, ଗରୁଡ଼ ଏବଂ ସୁଦର୍ଶନଙ୍କ ଗର୍ବ ଗଞ୍ଜନ କରିଥିଲେ ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ