ସେ ଲବଙ୍ଗ ଦ୍ଵୀପର ରାଣୀ,
ଭିଜିବ ବର୍ଷାରେ ଆସିବ ତା'ଘରେ
ଆଜି ତା'ର ସାନ ଭଉଣୀ,
ଥିଲା କେଉଁ ଅନ୍ତରାଳେ,
ମୈସୁମୀ ସୁନ୍ଦରୀ କଥା ଦେଇଥିଲା
ଆସିବ ଶ୍ରାବଣ ମାସରେ ।।
ବରତା ସେ ଦେଲା ପହିଲି ଆଷାଢେ
ଯିବି ମୁଁ ଭାରତ ମୂଲକେ,
ଆସିବୁ ଲୋ ନାନୀ ଦେଖା ହେବା ଆମେ
ମାଟି ହସୁଥିବ ପୁଲକେ,
ସବୁଜ କେଦାର ବଳୟ,
ଭିତରେ ବିହାର କରିବା ଆନନ୍ଦେ
କଥା ଦେଉଅଛି ନିଶ୍ଚୟ ।।
ପ୍ରଥମ ବାରତା ପହିଲି ଆଷାଢେ
ପାଇ ଯାଇଥିଲା ଶ୍ରାବଣୀ,
ଶ୍ରାବଣେ ଆସିବ ଧୀର ପଦପାତେ
ସାନ ଭଉଣୀ ତା ମୌସୁମୀ,
ଭିଜି ଭିଜାଇବ ଜଗତ,
ଭିଜା ମାଟି ବାସ୍ନା ଅଧୀର କରିବ
ଆନନ୍ଦେ ହସିବ କୃଷକ ।।
ସପନରେ ମସଗୁଲ ହୋଇ ଯେବେ
ଶ୍ରାବଣ ଆସିଲା ଭୂ-ଭାଗେ,
ଶ୍ରାବଣୀ ଖୋଜୁଛି ମୌସୁମୀକୁ ଆଜି
ଲୁଚିଛି ସେ କେଉଁ ମୂଲକେ,
କାହିଁ ସେ ସବୁଜ ବଳୟ,
ନିଦାଘରେ ଧରା ଏବେବି ସିଝୁଛି
ତା ଦେଖି ଶ୍ରାବଣୀ ଅଥୟ ।।
ରଜ ଗଲା, ଗଲା ଗୁଣ୍ଡିଚା ବାହୁଡା଼
ଜମି ପଡିଅଛି ପଡିଆ,
ଶ୍ରାବଣେ ଶ୍ରାବଣୀ ଖୋଜେ ମଉସୁମୀ
ପାହାଡ କାନ୍ତାର ଗଡିଆ,
ସବୁ ସୁସ୍କମୟ ଦିଶଇ,
ମୈସୁମୀ ସେ ନୁହେଁ ଉତ୍ତର ଭାରତେ
ବାଦଲ ଫାଟିଣ ବର୍ଷଇ ।।
ଏହା ଦେଖି ଭାଷା ଲେଖି ପଠାଇଲା
ଶ୍ରାବଣୀ ମୌସୁମୀ ପାଖକୁ,
କହିଥିଲୁ କିଆଁ ନଆସିଲୁ କହ
ଭିଜିବି ମୁଁ ନେଇ କାହାକୁ,
କହଇ ମୌସୁମୀ ସୁନ୍ଦରୀ,
ଯାଇଥିଲି ନାନୀ ପାଇଲିନି କାହିଁ
ରହିବି ମଣିଷ ଭଗାରୀ ।।
ସୁନୀଳ ବନାନୀ ପାହାଡ ପର୍ବତ
ମୋର ବିଚରଣ ଭୂଇଁ,
ସବୁତ ଭାଙ୍ଗିଛି ସବୁତ କାଟିଛି
ଧରିତ୍ରୀ ଅସ୍ଥିର ହୁଅଇ,
କେମିତି ନାନୀଲୋ ରହିବି,
ଭିଜିବୁ ବୋଲିତୁ ଭାବିଥିଲୁ ସିନା
ମଣିଷ ସାଜିଛି ବଇରୀ ।।
ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା