ପ୍ରବନ୍ଧ - ବହି ସହ ସମ୍ପର୍କ - ରବିନ ଖଣ୍ଡାୟତରାୟ

0

ବ୍ୟାସକବି ଫକିରମୋହନ ସେନାପତିଙ୍କ ରଚିତ ଏହି ଦୁଇପଦ-

"ଜଗତ ଗରଳ ବୃକ୍ଷେ ଦୁଇ ସୁଧାଫଳ,
ନିତ୍ୟ ଗ୍ରନ୍ଥପାଠ ସାଧୁ ସଙ୍ଗମ କେବଳ ।"

ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଅମୂଲ୍ୟ ବାଣୀ-

"ପରମ ଶାସ୍ତ୍ର ଭାଗବତ, 
ଅଭ୍ୟାସ କରୁଥିବ ନିତ୍ୟ ।"
 
ଏବଂ  "There is no Friend as loyal as a book" -Ernest Hemingway ଙ୍କ ମତ ଆମକୁ ବହିଟିର ଗୁରୁତ୍ୱ ସମ୍ପର୍କରେ ଯଥେଷ୍ଟ ସୂଚନା ପ୍ରଦାନ କରିଥାଏ । ସେଥିପାଇଁ ପୂର୍ବପୁରୁଷ ଆମ ପାଇଁ ଗଢ଼ିଥିଲେ ଭାଗବତ ଟୁଙ୍ଗୀ, ଆଉ ବହି ଉପହାର ଦେଉଥିଲେ ବାହାଘର ପରେ ଝିଅ ବିଦା ସମୟରେ । ଭାଗବତ ଟୁଙ୍ଗୀ ଗାଆଁ ଲୋକଙ୍କୁ ସଂସ୍କାର ଶିଖାଉଥିଲା । ଯେଉଁ ସଂସ୍କାର ବାପଘରୁ ଶିଖି ଝିଅ ବୋହୂରୁ ମାଆ ହୋଇ ଆଦର୍ଶ ସନ୍ତାନଟିଏ ସମାଜକୁ ପ୍ରଦାନ କରୁଥିଲା । ଆଜି ସିନା ଭାଗବତ ଟୁଙ୍ଗୀ ସବୁଠାରେ ନାହିଁ କି ସବୁ ଝିଅଙ୍କ ବାକ୍ସରେ ବହି ଦିଆ ଯାଉନାହିଁ । ତଥାପି ବହିର ଆଦର କମିନାହିଁ କି କମିବା ଉଚିତ୍ ମଧ୍ୟ ନୁହେଁ । କାରଣ ବହି ବିପଦ ସମୟର ଭଲ ପରାମର୍ଶଦାତା ବନ୍ଧୁଟିଏ । ଏକାକୀ ସମୟର ଅଥବା ଦୂରଯାତ୍ରା ପଥର ଭଲ ସାଥିଟିଏ । ବହି ଅଜ୍ଞାନ ଅନ୍ଧାର ମୂଲକରେ ଜ୍ଞାନର ବତୀଘରଟିଏ । ଯାହାର ମାର୍ଗଦର୍ଶନରେ ଆମ ଜୀବନ ତରୀ ଉଚିତ ଭାବରେ ପରିଚାଳିତ ହୋଇଥାଏ । ବହି ସହ ସମ୍ପର୍କ ବଢ଼ାଇବାକୁ ଚିନ୍ତାନାୟକ ମାନେ ସବୁବେଳେ ପରାମର୍ଶ ଦେଇ ଆସିଛନ୍ତି । ଆଉ ଆଜିକାଲି ଅନେକ ସ୍ଥାନରେ ପୁସ୍ତକ ମେଳାର ଆୟୋଜନ ହେବା ଦ୍ୱାରା ବହୁ ଗ୍ରନ୍ଥଙ୍କ ସହିତ ଆମର ପରିଚୟ ହୋଇଥାଏ । ସମ୍ପର୍କ ବଢ଼ିଥାଏ । ଆଉକିଛି ଏତେ ଆପଣାର ହୋଇଯାଆନ୍ତି ଯେ, ଆମ ସହିତ ଘରକୁ ଆସନ୍ତି ଆଉ ପୂଜା ଆସ୍ଥାନ ନହେଲେ ବହିଘର ଥାକରେ ରହି ଆମକୁ ମାର୍ଗଦର୍ଶନ କରାନ୍ତି । ଏହିପରି ଜ୍ଞାନ ଯଜ୍ଞକୁ ପ୍ରୋତ୍ସାହିତ କରୁଥିବା ସବୁ ବହିମେଳାର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ସାଧୁବାଦ । ଆଉ ତାକୁ ଧରି ରଖିଥିବା ପାଠାଗାର ମାନଙ୍କୁ ଅଜସ୍ର କୃତଜ୍ଞତା ।

ଆବ୍ରାହମ୍‌ ଲିଙ୍କନ ଙ୍କ ମତରେ, ‘ମୋର ପରମ ବନ୍ଧୁ ସିଏ, ଯିଏ ମୋତେ ମୁଁ ନ ପଢ଼ିଥିବା ବହିଟିଏ ଉପହାର ଦିଅନ୍ତି’ । ଭଲ ବନ୍ଧୁ ପାଇଁ ମିଳେ ଭଲ ବହିଟିଏ । ଆଉ ଭଲ ବହି ପାଇଁ ସମାଜ ଭଲ ମଣିଷଟିଏ ପାଇଥାଏ । ଭଲ ବହିର ବାସ୍ନା ସତରେ ନିଆରା । ତା’ର ପୁଲକ ପ୍ରକୃତରେ ଅପାସୋରା ଯାହା ପାଠକଙ୍କୁ ବିମୋହିତ କରି ଦେଇଥାଏ । ପଢ଼ୁପଢ଼ୁ ଛାତି ଉପରେ ବହି ଖଣ୍ଡେ ରଖି କାହା ଆଖିକୁ ନିଦ ଆସିଯାଏ ତ ଆଉ କାହାର ମନଲାଖି ବିଷୟଟି ନସରିବା ଯାଏ ଆଖି ପତା ପଡ଼େନାହିଁ...  ବହିର ଏମିତି ସମ୍ମୋହନ ଶକ୍ତି ଅଛି, ପାଠକଙ୍କୁ ଜାବୁଡ଼ି ଧରି ରଖିବାର କ୍ଷମତା ଅଛି । ଯାହାକୁ ଯେତେ ସେ କ୍ଷମତାରୂପୀ ମମତା ଆଉ ସମ୍ମୋହନରୂପୀ ଭଲପାଇବା ଜାବୁଡ଼ି ଧରିଛି, ସେ ତା’ପାଇଁ ସେତେ ପାଗଳ । ଆଉ କେହି ତ ମନର ଦୁଃଖ ଦୂର କରିବାକୁ ବହି ସହିତ ସମ୍ପର୍କ ଯୋଡ଼ିଦିଅନ୍ତି । ଯେପରି ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ଆପେ ଦୂର ହୋଇଯାଏ ଠିକ୍‌ ସେହିପରି ବହି ପଢ଼ିବାରେ ମନ ମଜ୍ଜିଗଲେ, ଦୁଃଖ ଅବସାଦ ଆପେ ଘୁଞ୍ଚିଯାଏ । ଏହା ମୋର ମନର କଥା ନୁହେଁ ବରଂ ବହି ସହ ସମ୍ପର୍କ ଯୋଡ଼ିଥିବା କେଇ ଜଣ ପାଠକଙ୍କ ଅଭିମତ । ଅନନ୍ତ ବଟ ବେପାର କରି ସିନା ପରିବାର ପୋଷେ, ହେଲେ ବହି ନପଢ଼ିଲେ ତା’ମନ ରୁଷେ । ତେଣୁ ଗରାଖ ନଆସିବା ସମୟତକ ସେ ବହି ପାଇଁ ଦେଇଦିଏ ଆଉ ଖୁସି ପାଇବା ସହିତ କିଛି ଜ୍ଞାନ ମଧ୍ୟ ପାଇଥାଏ । ସେମିତି ମାନା ଭାଉଜ କହିଲେ, ମନ ଦୁଃଖ ହେଲେ ମୁଁ ବହି ପଢ଼ିଥାଏ । ଆମ ପରିବାରରେ ତ ସବୁବେଳ ସମାନରେ ଯାଏ ନାହିଁ, କେବେ କେମିତି ରାଗ ଅଭିମାନ ତ ନିଶ୍ଚୟ ଥାଏ । ସେ ସମୟର ଦୁଃଖିତ ମନକୁ ଯଦି ବହିପଢ଼ା କାମରେ ଲଗାଇ ଦିଆଯାଏ ତେବେ ମନ ନିଶ୍ଚୟ ହାଲ୍‌କା ହୋଇଯିବ ବୋଲି ତାଙ୍କ ମତ । ଏହିପରି ଅନେକ ଚରିତ୍ର ଆମଗହଣରେ ଅଛନ୍ତି ଯେଉଁମାନେ ବହି ସହିତ ସମ୍ପର୍କ ଯୋଡ଼ି ମାନସିକ ଶାନ୍ତି ପ୍ରାପ୍ତ ହୋଇ ପାରୁଛନ୍ତି । ଯାହା ସୁସ୍ଥ ମନ, ସୁସ୍ଥ ଜୀବନ ଆଉ ସୁସ୍ଥ ସମାଜ ଗଠନ ପାଇଁ ଏକାନ୍ତ ଜରୁରୀ । ଦୁନିଆର କୌଣସି ଧାତବ ପଦାର୍ଥର ମୂଲ୍ୟ ତୁଳନାରେ ବହିର ମୂଲ୍ୟ ଯଥେଷ୍ଟ ଅଧିକ । କାରଣ ଚୋରି ହେବାର ଭୟ ଥିବା ଧନସମ୍ପତ୍ତିକୁ ଆମେ ସୁରକ୍ଷା ଦେବାକୁ ପଡ଼ୁଥିବା ବେଳେ ଜ୍ଞାନ ବର୍ଦ୍ଧକ ପୁସ୍ତକ ଆମକୁ ସୁରକ୍ଷା ପ୍ରଦାନ କରିଥାଏ । ଆହୁରି ମହାପୁରୁଷ, କବି, ଲେଖକ ମାନଙ୍କ କଲମ ମୁନରୁ ସୃଷ୍ଟି ହେଉଥିବା ଲେଖା ପ୍ରକାଶିତ ପୁସ୍ତକ ମାଧ୍ୟମରେ ଯଦି ଜନମାନସରେ ଜ୍ଞାନ ବିତରଣ କରୁ ନ ଥାଆନ୍ତା, ତେବେ ଅଜ୍ଞାନୀଙ୍କ ମତ ତଥା ଦୁର୍ଜନଙ୍କ ଆଦେଶ ବହୁମାତ୍ରାରେ ଆସ୍ଥାନ ଜମାଇ ବସନ୍ତା । ଆଉ ସମାଜର ହିତ ସାଧନ କରୁଥିବା ସାହିତ୍ୟ ମାଧ୍ୟମରେ ଯଦି ସତ୍ୟ ଓ ନ୍ୟାୟର ବହୁଳ ପ୍ରଚାର, ପ୍ରସାର ହେଉ ନ ଥାଆନ୍ତା, ତେବେ ଅସତ୍ୟ, ଅନ୍ୟାୟର ପରିସର ବ୍ୟାପକ ହୋଇ ଯାଉ ଥାଆନ୍ତା । ଫଳତଃ ସନ୍ତୁଳନ ପ୍ରିୟ ପ୍ରକୃତିରେ ଅସନ୍ତୁଳନ ଆଉ ସାମାଜିକ ବିଧି ଓ ବ୍ୟବସ୍ଥାରେ ଅବନତି ଘଟୁ ଥାଆନ୍ତା । ତେଣୁ ବହି ସହ ସୁସମ୍ପର୍କ ସ୍ଥାପନ ଏକ ସୁସ୍ଥ ସମାଜ ଗଠନର ସର୍ବକାଳୀନ ଆବଶ୍ୟକତା । ନୋବେଲ୍‌ ଶାନ୍ତି ପୁରସ୍କାର ବିଜୟୀ ନିମାଲାଲା ୟୁସଫ୍‌ କହିଲେ, ‘ଆମର ମନେ ରଖିବା ଉଚିତ୍‌.. ଗୋଟିଏ ବହି, ଗୋଟିଏ କଲମ, ଗୋଟିଏ ପିଲା ଏବଂ ଜଣେ ଶିକ୍ଷକ ପୃଥିବୀକୁ ବଦଳାଇ ଦେଇ ପାରନ୍ତି’ ।

ବହିଟିଏ ବିନା ଭଗବାନ ନୀରବ, ନ୍ୟାୟ ସୁପ୍ତ, ବିଜ୍ଞାନର ଗତି ରୁଦ୍ଧ, ଦର୍ଶନ ପଙ୍ଗୁ, ବିଦ୍ୟା ମୂକ ଏବଂ ଅନ୍ୟ ସବୁକିଛି ଅନ୍ଧକାର ଗର୍ଭରେ ସମ୍ପୂର୍ଣ୍ଣ ଅସ୍ପଷ୍ଟ । ମାତ୍ର ଆଜିକାଲି ଅନେକ ବହିମାନେ ଖାଲି ଥାକରେ ରହି ଧୂଳି ଖାଉଛନ୍ତି ସିନା ପାଠକର ମୁଖ ଦର୍ଶନ କରି ପାରୁନାହାଁନ୍ତି । ଯାହାର ପ୍ରଥମ କାରଣ ହୁଏତ ପାଠକୀୟ ଅନାଗ୍ରହ ଆଉ ଦ୍ୱିତୀୟ କାରଣ, ହାତ ପାପୁଲିରେ ଉପଲବ୍ଧ କ୍ଷୁଦ୍ର ଯନ୍ତ୍ରଟିରେ ଟିପ ଚାଳନା କରି ଅତି ସହଜରେ ସମଗ୍ର ପୃଥିବୀକୁ ଖେଦିଯିବା, ପାଇଯିବା ଅଥବା ପଢ଼ି ଦେବାର ବିଚିତ୍ର ନିଶା । ମାତ୍ର ସେ ମାଦକତା ସମସ୍ତଙ୍କ ପାଖରେ ନାହିଁ କି ସେ ସୁବିଧା ସବୁଠାରେ ଉପଲବ୍ଧ ନୁହେଁ । ପରନ୍ତୁ ଯେଉଁ ସୁବିଧା ଆମ ହାତ ପାହାନ୍ତାରେ ରହିଛି, ବହି ମାନଙ୍କର ଘର ପାଠାଗାରକୁ ଆସିବା ଅଥବା ନିଜେ ବହି ଖଣ୍ଡିଏ କିଣି ଉକ୍ତ ସତ୍ ପୁସ୍ତକ ସଂସ୍ପର୍ଶରେ ଆସି ସତ୍‌ମାର୍ଗ ପ୍ରାପ୍ତି ହୋଇଯିବା । ପାଠାଗାର କେବଳ ବହି ଅଧିଗ୍ରହଣର ସ୍ଥାନ ନୁହେଁ ବରଂ ଜ୍ଞାନର ଜୀବନ୍ତ ଭଣ୍ଡାର, ଯେଉଁଠି ନୂଆ ଜୀବନ ସୃଷ୍ଟି ହୁଏ ଆଉ ଅସଜଡ଼ା ସଜାଡ଼ି ହୁଏ । ସେହିପରି ଗ୍ରନ୍ଥାଗାରିକ ହେଉଛନ୍ତି, ଦୁନିଆର ସବୁଠାରୁ ସାହାଯ୍ୟକାରୀ, ଚିନ୍ତାଶୀଳ ଏବଂ ବିଚାରବନ୍ତ ବ୍ୟକ୍ତି ଓ ବିନା ଶ୍ରେଣୀଗୃହରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷକ । ଯାହାଙ୍କ ସହିତ ପରିଚୟ ଆଉ ବହି ସହ ସମ୍ପର୍କ ଜୀବନର ମୋଡ଼ ବଦଳାଇ ଦେଇଥାଏ । ଆମ ସମସ୍ତଙ୍କ ଜୀବନରେ କେବେ ନା କେଉଁଠି ବହି ସହିତ ଏମିତି ସମ୍ପର୍କ ନିଶ୍ଚୟ ସୃଷ୍ଟି ହୋଇଥାଏ । ଆଉ ହେବା ମଧ୍ୟ ଉଚିତ୍ । ତେବେ ଆସନ୍ତୁ ଚେଷ୍ଟା କରି ତାକୁ ଆହୁରି ମଜବୁତ୍‌ କରିବା, ଆଉ ତା’ ସେବାରେ କିଛି ସମୟ ଲଗାଇବା । ଦିନ ଆସିବ ଆମ ସମୟ ଧରାପୃଷ୍ଠରେ ସରି ଯାଇଥିଲେ ମଧ୍ୟ, ବହି ପୃଷ୍ଠାରେ ଆମ ସମୟର କିଛି ପ୍ରତିଛବି ଇତିହାସ ହୋଇ ଶୋଭା ପାଉଥିବ ।
କିସ୍‌ ମାନିତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ଦୂରଭାଷ -୯୭୭୬୬୯୨୨୦୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ