ସୀତାଙ୍କ ବନ ଗମନ ଓ ଉଦ୍ୟାନର ଶୋଭା ବର୍ଣ୍ଣନା

0

(ରାଗ - ମିଶ୍ର ଦେଶାକ୍ଷ)

ଲକ୍ଷ୍ମଣ ରେ କିଶୋଭା
ଦିଶେ ଏ ବନ
ବହୁଛି ମନ୍ଦ ମଳୟ ବାସୁଛି ଚନ୍ଦନ
ଲକ୍ଷ୍ମଣ ରେ କିଶୋଭା ଦିଶେ ଏ ବନ ॥୦॥

ଫୁଟିଛି ନା ନା କୁସୁମ
ସରଗ ଉଦ୍ୟାନ ସମ
ଚୂତଡାଳେ ପିକ କରେ ପଞ୍ଚମରେ ଗାନ
ଲକ୍ଷ୍ମଣ ରେ କି ଶୋଭା ଦିଶେ ଏ ବନ ॥୧॥

ମଲ୍ଲୀ ମାଳତୀ ଟଗର
ଜୁଇ ଜାଇ କୁ ମନ୍ଦାର
କୃଷ୍ଣଚୂଡ଼ା ସଙ୍ଗେ ହୁଏ ପଳାସ ଉଚ୍ଛନ
ଲକ୍ଷ୍ମଣରେ କିଶୋଭା ଦିଶେ ଏ ବନ ॥୨॥

ସରିତ ଯାଉଛି ଝରି 
ବିମ୍ବିତେ ଖେଳେ ଲହରୀ
କୁଳୁ କୁଳୁ ତାନେ ଦେଖ ମୋହିନିଏ ମନ
ଲକ୍ଷ୍ମଣ ରେ କି ଶୋଭା ଦିଶେ ଏ ବନ ॥୩॥

ଦୂରରେ ଦେଖ ସରସୀ
କି ସୁନ୍ଦର ଜଳ ରାଶି
ସରସିଜ କୋଳେ ଶୁଭେ ଭ୍ରମର ଗୁଞ୍ଜନ
ଲକ୍ଷ୍ମଣ ରେ କି ଶୋଭା ଦିଶେ ଏ ବନ ॥୪॥

ହରିତ ବର୍ଣ୍ଣ ଏ ବନ
ମର୍ତ୍ତ୍ୟେ ନନ୍ଦନ କାନନ
ସଦା ବସନ୍ତ କି ଏଠି କରେ ବିଚରଣ
ଲକ୍ଷ୍ମଣ ରେ କିଶୋଭା ଦିଶେ ଏ ବନ ॥୫॥

ନାହିଁ ଏଠି ହିଂସା ବାଦ
ମୃଗ ସାଥେ ଭ୍ରମେ ବ୍ୟାଘ୍ର
ଶିଖୀ ନିକଟେ ଭୁଜଗ କରିଛି ଶୟନ
ଲକ୍ଷ୍ମଣ ରେ କି ଶୋଭା ଦିଶେ ଏ ବନ ॥୬॥

କେଉଁ ପୂଣ୍ୟ ବନ୍ତ ସତେ
ରହିଛନ୍ତି ଏ ବନସ୍ତେ
ନାରାୟଣ ଭାଷେ ସେହୁ ଦେବତା ସମାନ
ଲକ୍ଷ୍ମଣ ରେ କି ଶୋଭା ଦିଶେ ଏ ବନ ॥୭॥

ରାମେଶ୍ୱର, ଖୋରଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ