ଯେଉଁ ରଜରେ ତୁମେ ଥିଲ
ଗାଁ ଶେଷ ମୁଣ୍ଡ ତୋଟାରେ ଦୋଳି ଥିଲା
ଆଉ ତୁମେ ସଜେଇ ହୋଇ
ଟିକେ ଅଧିକ ସୁନ୍ଦର ଦିଶୁଥିଲ...
ସେ ରଜ ଆଉ ନାହିଁ
ଯେବେ ତୁମେ ଜହ୍ନ ହୋଇ
ଖସି ପଡିଥିଲ ମୋ ଆୟତ୍ତର ଖୁଆଡ଼ରେ
ଆଉ ମୁଁ ସାଇତି ନେଇଥିଲି
ମନ ସିନ୍ଦୁକରେ ଥିବା
ଫରୁଆ ଭିତରେ...
ସେ ରଜ ଆଉ ନାହିଁ
ଯେଉଁ ରଜରେ ତମେ ହସୁଥିଲ
ଖିଲି ପାନ ଖାଇ
ମନେ ଅଛି.. ସେଦିନ ରଜରେ
କିଣି ନେଇଥିଲ ନିଜପାଇଁ ମୋତେ
ଖଣ୍ଡେ ଚାମଚରେ ରାବିଡ଼ି ଦେଇ
ସେ ରଜ ଆଉ ନାହିଁ
ଯେଉଁ ରଜରେ ମୋ ପସନ୍ଦର
ମେରୁନ୍ ରଙ୍ଗର ଶାଢ଼ୀ ତୁମେ ପିନ୍ଧୁଥିଲ
ଆଉ ସୋନପୁର ବେଳାଭୂମିର
ମେରାଇନ୍ ରୋଡରେ
ପାଦରେ ପାଦ ମିଶାଇ ଚାଲୁଥିଲ
ସେ ରଜ ଆଉ ନାହିଁ
ଯେବେ ତୁମେ ସମାଜର
ସବୁ ଦ୍ରାଘିମାକୁ ଡେଇଁ ଆସିଥିଲ
ମାଇଲ୍ ମାଇଲ୍ ଦୂର ଅତିକ୍ରମ କରି
ଲକ୍ଷ ଏକ ଆଉ ସ୍ଵପ୍ନ ଅସୁମାରୀ
ଠିକ୍ ରେଳ ଧାରଣାର ଦୁଇ
ସମାନ୍ତରାଳ ରେଖା ପରି...
ହଁ.. ଏବେ ପୁଣି ରଜ ଆସିଛି
ସେ ପୁରୁଣା ଘୁର୍ଣ୍ଣିଝଡ଼କୁ ନେଇ
କିଛି ଅତୀତର ପୋଡା ଗନ୍ଧକୁ ନେଇ
କିଛି ପାଉଁଶ ତଳର ନିଆଁକୁ ନେଇ
ବୋଧେ ଏଥର..
ତୁମକୁ କେଜାଣି କେଉଁଠି ହଜେଇ ଦେଇ...
କିନ୍ତୁ ଆସିଛି.. ସେ !!