ରଜ ଛୁଟି - ସ୍ଥିତିପ୍ରଜ୍ଞା ସ୍ଵାଇଁ

0

ଖରା ବଢ଼ିଗଲା ରଜ ଛୁଟି ହେଲା
ଘରକୁ ଗଲୁ ତୁ ଛାଡ଼ି,
ଆଜି ବି ନାଚୁଛି ମୋ ଆଖି ଆଗରେ
ବିଦାୟ ଦେବାର ଘଡ଼ି ।

ଝୁରିବନି ମତେ ଫେରି ମୁଁ ଆସିବି
କେଇ ମାସର ତ କଥା,
ଫେରିକି ଆସିଲେ ପୁଣି ଦେଖା ହବ
ଏ କଥା ମନେ ରଖିଥା ।

କଥା ଦେଇ କଥା ରଖିଲୁ ନାହଁ ତୁ 
ସରିଗଲା ଏଠି ଛୁଟି,
ଆଖି ସାଙ୍ଗେ ମୋ'ର ତକିଆ ଭିଜୁଛି
ସତେ ଅବା ଓଦା ମାଟି ।

ସବୁ ପ୍ରତିଶୃତି ଭୁଲି ଗଲୁ ପ୍ରିୟା
ନୂଆବୋହୂ ହୋଇଗଲୁ,
ଯେତେ ସ୍ଵପ୍ନ ମତେ ଦେଖେଇଥିଲୁ ତୁ
ସେ ସବୁ ତୁ ଭାଙ୍ଗି ଦେଲୁ ।

ମୋ ନାଁଆ ରେ ନୁହେଁ ଆଉ କାହା ନାମେ
ପିନ୍ଧିଲୁ ଶଙ୍ଖା ସିନ୍ଦୂର,
ପାଲିଙ୍କିରେ ବସି ଚାଲିଗଲୁ ପ୍ରିୟା
କରି ମତେ ସାତପର ।

ତୁ ଚାଲିଗଲୁ ତୋ ଶାଶୁ ଘରକୁ
ଜିଅନ୍ତା ଶବଟେ କରି,
ଥରୁଟିଏ ତୁ'ତ ପଚାରିଲୁ ନାହିଁ
ମୁଁ ବଞ୍ଚିଛି କି ଗଲି ମରି ।

ନୂଆବୋହୂ ସାଜି ରଜ ପାଳୁଥିବୁ
ପାଦରେ ଅଳତା ନାଇ,
ସେ ଅଳତା ରଙ୍ଗଠୁ ଗାଢ଼ ଲହୁରେ
ମୋ ହୃଦୟ ସ୍ନାନ କରଇ ।

ସବୁ ରାତି ଅଟେ ପୂର୍ଣ୍ଣିମା ତୋ' ପାଇଁ
ପାଇଲୁ ସରଗ ଶଶି,
ମୋ କପାଳେ ଛିଡେ ଦୁଃଖର ବାଦଲ
ରାତି ସରେ ବସି ବସି ।

ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ