ରଜ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ପହିଲି ଆଷାଢ଼ ବ୍ୟମୋପଥେ ନୀଳ
ନବୀନ ନୀରଦ ସୁନ୍ଦର,
ନିଦାଘ ପିଡିତ ଶୁଷ୍କ ଫଟା ମାଟି 
ତୃସାଲଗ୍ନା ଉର୍ବୀ ଆତୁର,,
ରଜ, ଅମୃତ ଲଗନେ ଆସଇ,
ଜନ ମାନସରେ ସମାଜ ଭିତରେ
ଭାଇଚାରା ଭାବ ରଚଇ
ରଜେ, ମଉଷୁମୀ ପ୍ରେମ ରଚଇ ।।

ପହିଲି ବରଷା ଜଳଧାରେ ରସା 
ସ୍ପର୍ଶେ ଉଲ୍ଲସିତ ସତେ,
ଭିଜା ମାଟି ବାସ୍ନା କରେ ଆନମନା
ମେଘ ଦେଖି ନୃତ୍ୟ ରତେ,
ବନ, ଲତା ଗହଳରେ ମୟୁର,
ପୁଛ୍ଛ ନୃତ୍ୟ ରଙ୍ଗେ ପ୍ରଲୁବ୍ଧେ ଉତ୍ତାଳେ
ପ୍ରକୃତି ଆହାକି ସୁନ୍ଦର
ପିନ୍ଧି, ସବୁଜ ବରଣ ଦୁକୁଳ ।।

ଉଷ୍ମ ଶୀତଳର ମିଳନ ପ୍ରବାହେ
କ୍ଷିତି ସୁନ୍ଦରୀ ରଜସ୍ୱଳା,
ଶଶ୍ୟ ବୀର୍ଯ୍ୟ କ୍ଷେତେ ବପନ କରିବ
ନୀଳ ପରୀ ଶଶ୍ୟ ଶ୍ୟାମଳା,
ତେଣୁ, କୃଷକ ଘରଣୀ ଆନନ୍ଦେ,
ରଜ ସଜବାଜ ଝିଅ ବୋହୁ ମେଳେ
ରଜ ଦୋଳି ଖେଳେ ବିନୋଦେ
ଗାଆଁ, ଉଛୁଳେ ହରଷ ଉତ୍ତାଳେ ।।

ରଜ ଗୀତ ନିଜ ଅନନ୍ୟ ରଚନା
ଗାଆଁ ଝିଅ ବୋହୂ ଗାଆନ୍ତି,
ନିଜ ମହାନତା ଘରର ପ୍ରତିଷ୍ଠା
ସ୍ନେହ ଶ୍ରଦ୍ଧା ପ୍ରୀତି ବାଢ଼ନ୍ତି,
ଆଜି, ଗଜ ବନସ୍ତରେ ଡାକିଲା,
ବରଷକେ ଥରେ ଆସିଛି ରଜ ଲୋ
ସଜବାଜେ ମନ ବଳିଲା
ସହୀ, ସଙ୍ଗାତ ମେଳରେ ଅବଳା ।।

ଜନମ ନିଅନ୍ତି ମାଟିରୁ ସାଧବ
ବୋହୁ ବସୁମତୀ କୋଳରେ,
ନାଲି ଗୁଲୁଗୁଲୂ ମଖମଲୀ ପାଟ
ପିନ୍ଧିଛି ଅଳତା ପାଦରେ,,
ରଜ, ଦୋଳି କଟକଟ ହେଉଛି,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଝଟଝଟ ହୋଇ ଦିଶୁଛି
ରଜ, ଶୁଭ ଲଗନରେ ଆସିଛି ।।

ରଜ ପିଠା ପୋଡ଼ ପାନ ନାଲି ଥୋଡ
ହସ ମଜା ଢଗଢମାଳି,
ଖେଳ କୁତୁହଳ ରୋଳେ ଚାରିଦିନ
ମଉଜେ ଖେଳୁଥାନ୍ତି ଦୋଳି,
କରି, ପୁଜା ଆରାଧନା ନୈବେଦ୍ୟ,
ଖଜୁରୀ ପଣସ ଆମ୍ଵ ଲିଚୁ ଜାମୁ
ସମର୍ପଣେ ଦେବୀ ଆନନ୍ଦ
କରି, ପୁଜା ଆରାଧନା ନୈବେଦ୍ୟ ।।

ରଜସ୍ୱଳା ସତୀ ମଉଷୁମୀ ସଖୀ
ଶୂନ୍ୟ ଦେଶେ ନୀଳ ଜୀମୂତ,
ରଜ ଆସିଗଲେ ଚଳତଞ୍ଚଳ ତା
ମାଟି ମାଆ କୋଳେ ଶୋଭିତ,
ସେତ, ଶୁଭ ସୁଖ ଶାନ୍ତି ସରଜି,
ଉତ୍କଳୀୟ ରଜ ପରବ ସଂସ୍କୃତି
ପାଳିବା ଆନନ୍ଦେ ଆଜି
ଆସ, ରାଗ ରୋଷ ହିଂସା ବରଜି ।। 

ଓଡିଆ ଜାତିର ଗଣ ପରବରେ
କୃଷି ଭିତିକ ଏ ପରବ
ଗାଆଁ କି ସହର ସବୁରି ହୃଦୟେ 
ଜଗାଏ ଭାଇଚାରା ଭାବ
ଆମ ପରମ୍ପରା ସଂସ୍କୃତି ମାନି
ସମାଜ ମଙ୍ଗଳ ସମାଜ “ସମୃଦ୍ଧି-
ପାଇଁ ପୂଣ୍ୟ ପର୍ବ ପର୍ବାଣୀ
ବିହି, ରଚିଛନ୍ତି ଦିବ୍ୟ ସରଣୀ ।।

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ - ୮୨୪୯୨୩୪୧୪୩

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ