
ସରି ସରି ଆସେ ଆୟୁ
ଯୌବନର ଛିଟା ଲିଭି ଲିଭି ଯାଏ
ବୟସ ସାଧଇ ଦାଉ
ଦିନୁ ଦିନ ଅଣାୟତ
ମୟା ମୋହେ ପଡି ଜୀବନ ଜୀବିକା
ଅଣଚାଶ ଶ୍ଵାସ ଘାତ ।୧।
ସମୟ ଘୋଷାଡି ଆଗକୁ ନିଅଇ
ପଛକୁ ଫେରେନି କେବେ
ପଥ ବହୁ ଦୂର ଭାରାକ୍ରାନ୍ତେ କ୍ଲାନ୍ତି
ଲାଘବ ନ ହୁଏ କେବେ
ମୁଦିବା ଆଗରୁ ଆଖି
ପଡି ଉଠି ଚାଲେ ଆଶ୍ରିତା ଲତାଟି
ସବୁ ରହିଯାଏ ବାକି ।୨।
ସବୁ ଶେଷ ପରେ ଖାଲି ଅବସୋସ
ଅବସାଦ ଛାୟା ଖେଳେ
ଯେତେ କରୁଥିଲେ ଊଣା ପଡୁଥାଇ
ମୂଲ ମୁଲକରୁ କାଳେ
ଅସାର ସଂସାରୁ ସାର
ନେବା ପାଇଁ ଆସି ଆଙ୍କି ଦେଇଯାଏ
କାଳିମାର କଳା ଗାର ।୩।
ପରମାନନ୍ଦ ତ୍ରିପାଠୀ
ବିଦୁ, ବାହାନଗା, ବାଲେଶ୍ଵର