ରଜ ମଉଜ - ମୀନାକ୍ଷି ପାଢୀ

0

ଝୁମା ଝୁମା ଲଗନରେ ଭସା ଭସା ବାଦଲ
ବରଷକେ ଥରେ ରଜ ଆସେ କରି ଗହଳ ॥
ଟିପି ଟିପି ଚନ୍ଦନକୁ ନାଲି ନାଲି ଅଳତା
କଳା ବଉଦ କାନରେ ଏହି କଥା କହିଥା ॥
ଝୁଲି ଝୁଲି ଯାଏ ଦୋଳି ବାଦଲକୁ ଛୁଅଁଇ
ମୟୂର କଣ୍ଠିଆ ଶାଢୀ ପଣତଟି ଝୁଲଇ ॥
ଖଇର ମିଶା ପାନରେ ଓଠ ନାଲି ଦିଶଇ
ଖିଲି ଖିଲି ହସେ ଆମ୍ବ ତୋଟା ଫାଟି ପଡଇ ॥
ମଲ୍ଲୀକା ବାସଇ, ବାଆ ଥିରି ଥିରି ବହଇ
ଚୂଳଡାଳେ ଫୁଲମାଳେ ଦୋଳି ଶୋଭା ଦିଶଇ ॥
ଟୋପା ଟୋପା ବରଷାର ଛିଟା ପଡି ଭୂଇଁରେ
ଭିଜା ଭିଜା ମାଟି ବାସେ ଆହା ମିଠା ଗନ୍ଧରେ ॥
ଆକାଶର କାନେ କାନେ ବସୁମତୀ ବାରତା
କହିଦିଏ ଦୋଳି ଯାଇ ଆସିବାକୁ ନିଋତା ॥
ଋଣୁ ଝୁଣୁ ଚୁଡି ବାଜେ ଛମ ଛମ ପାଉଁଜି
ମଲ୍ଲୀଫୁଲ ଗଜରାରେ ବେଣୀ ଦେଇଛି ଛନ୍ଦି ॥
ମହ ମହ ବାସନାରେ ପୋଡପିଠା ମହକେ
ମନଛୁଆଁ ଅତର ବାସରେ ଦାଣ୍ଡ ଚହକେ ॥
ଦୋଳି ଖେଳ ସାଙ୍ଗ ସାଥୀ ଥଟ୍ଟା, ମଜା, ଟାପରା
ରାଗ ରୁଷା ମୁହଁ ଫୁଲାଫୁଲି ହସ ପସରା ॥
ଭାଇ ଖେଳଇ କବାଡି, ତାସ ସାଥୀ ମେଳରେ
ଲୁଡୁ, ପୁଚି, ବୋହୁଚୋରୀ ସବୁ ଝିଅ ଭାଗରେ ॥
ଆମ୍ବ, ପଣସ, ସପୁରୀ ଖାଇ ଖାଇ ହାଲିଆ
ତାଳସଜ, ମିଠାପାନ ସୁଆଦିଆ ବଢିଆ ॥
ପିଠାପଣା ଦିଆନିଆ ବନ୍ଧୁ, ସାହି, ପଡିଶା
ବସୁମତୀ ସ୍ନାହାନ କୁ ଚାଷୀ ଭାଇ ଅନିଶା ॥
ରଜ ଭଳି ପରବ ଟି ଆଉ କାହିଁ ନାଇଁରେ
ଏତେ ଖୁସି ଏତେ ମଜା ପାଇବୁ ତୁ କାହିଁରେ ??

ଚିକିଟିପେଣ୍ଠ, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ