ପ୍ରତିଦାନ - ରମେଶ ଚନ୍ଦ୍ର ମିଶ୍ର

0

ବଇଶାଖୀ ଖରା ମୁଣ୍ଡ ଫଟା ତାତି
ଝାଞ୍ଜି ମାରେ ଝାଇଁଝାଇଁ 
ଘର ଭିତରେ ମୁଁ ପିଲାଙ୍କ ସାଥିରେ
ଆରାମରେ ଥିଲି ଶୋଇ ।

କେମିତି ଯେ ଏକ ବେସୁରା ରାଗିଣୀ 
କାନରେ ଆସି ପଡିଲା 
ବିକଳ ସ୍ଵରର କରୁଣ କାନ୍ଦଣା
ନିଦ ମୋର ଭାଙ୍ଗିଦେଲା ।

ଦୁଆର ମୁହଁକୁ ଆସି ମୁଁ ଦେଖିଲି
ଛୋଟିଆ କୁକୁରଟିଏ 
କବାଟ ପାଖରେ ମୁଣ୍ଡକୁ ଆଉଜି 
ବିକଳରେ କ'ଣ କହେ ।

ପେଟପିଠି ତା'ର ସମାନ ଦିଶୁଛି
ଆଖିରେ କରୁଣ ଭାବ
ଲାଞ୍ଜକୁ ହଲାଇ ଭାବୁଛି ସେ ବୋଧେ
କେତେ କଥା କହିଦେବ ।

କୁଁ କୁଁ ସ୍ଵର ବାହାରୁନି ତା'ର
ପାଟି ଥିଲା ଅଠା ଅଠା
ଆଚରଣେ ତା'ର ଦୁଃଖ ଫୁଟୁଥିଲା 
ଗୋଳେଇ ହେଲା ମନଟା ।

ଥଣ୍ଡା ପାଣିରୁ ଦୁଇ କଂସା ଆଣି
ତା' ମୁହଁରେ ଥୋଇଦେଲି 
କେଡେ ଝଅଟରେ ପିଇଦେଲା ତାକୁ
ଅପଲକେ ଦେଖୁଥିଲି । 

ଶୋଷିଲା ପ୍ରାଣୀଟି କହି ପାରୁନାହିଁ
ଶୋଷରେ ଆତୁର ଥିଲା
ପାଣିତକ ପିଇ କେଡେ ଆନନ୍ଦରେ
ମୋ ମୁହଁକୁ ଚାହିଁଥିଲା । 

ଡାଲିଗୋଳା ଭାତ କିଛି ମୁଁ ଆଣିଲି
ତା' ଆଗରେ ଦେଲି ଥୋଇ
ସେଇତକ ଖାଇ ଲମ୍ବଦଣ୍ଡ ହୋଇ
ମୋ ଆଗରେ ଗଲା ଶୋଇ । 

ବୁଝିଲି ମୋ ଠାରୁ ଆହାର ପାଇ ସେ
ମୁଣ୍ଡିଆ ମାରୁଅଛି 
ପଶୁ ହୋଇଲେ ବି କୃତଜ୍ଞତା ଭାବ
ଏମିତି ଜଣାଉଅଛି ।

ସେଇଦିନଠାରୁ ଦିନ ଯାକ ସିଏ
ଏଣେତେଣେ ହୋଇ ବୁଲେ
ଦୁଆରକୁ ମାଡି ଜଗେ ଏ କୁକୁର
ବେଳବୁଡି ସଞ୍ଜ ହେଲେ ।

ବାଟରେ ଘାଟରେ ଯୋଉଠି ବି ଦେଖେ
ଲମ୍ବ ମୁଣ୍ଡିଆ ମାରେ
ଦିନେ ଖାଇ ଯୁଗେ ମନେ ରଖେ ବୋଲି
ବିଶ୍ଵସ୍ତ ଦୁନିଆରେ ।

ମଣିଷ ଭୁଲଇ ଉପକାର ସିନା
ପଶୁ କେବେ ଭୁଲେନାହିଁ 
ଯୋଉବାଟେ ହେଲେ ପ୍ରତିଦାନେ ତା'ର
ନିଶ୍ଚୟ ଦିଏ ଫେରାଇ । 

ସେଇଦିନଠାରୁ ଏ ଖରା ଦିନରେ
ପାଣିର ପାତ୍ରଟିଏ
ଶୋଷିଲା ପ୍ରାଣୀର ଶୋଷ ମେଣ୍ଟିବାକୁ 
ଦ୍ଵାର ମୁହେଁ ଥୁଆହୁଏ ।

ତାପସ କୁଟୀର, ବଇଣ୍ଡା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ