ରଜ ଆମ ପରମ୍ପରା - ରମେଶ ଚନ୍ଦ୍ର ମିଶ୍ର

0

ଆକାଶର ଅଗଣାରେ ମେଘ ପଟୁଆର
ବିରହ ବ୍ୟଥାରେ ସଢିଯାଉଥିବା 
ପ୍ରେୟସୀର ଦୁଃଖ ଲାଘବ ପାଇଁ 
ଆକାଶର ଦୂତହୋଇ
ବାହାରିଲେଣି ଉତ୍ତରକୁ
ପ୍ରଚଣ୍ଡ ତାପରେ ସଢୁଥିବା
ମାନିନୀର ଦୁଃଖ ଫେଡ଼ିବାକୁ ।

ପ୍ରାଣୀସତ୍ତାର ବିକଳରେ ଆନମନା ପୃଥିବୀ 
ଦେହରେ ଖଇଫୁଟୁଚି ତାତି 
ଋତୁମତି ହେବାର ସମୟ 
ତରଳିଗଲେଣି ସୂର୍ଯ୍ୟ 
ପ୍ରଖରତାକୁ ଦୂରେଇଦେଇ
ପ୍ରସାରିଦେଲେଣି ଅନୁରକ୍ତିର 
ସହସ୍ର ବାହୁ 
ଥମିଗଲାଣି ଉତ୍ତାପର ଦାଉ ।

ମେଘଡମ୍ବରୁ ତାଳରେ
ପ୍ରକୃତି ନାଚିବାକୁ ସଜବାଜ ହଉଚି 
ମଲ୍ଲୀଫୁଲ ଆଉ କୁରେହିଁ ଫୁଲରେ
ଉଚ୍ଛୁଳା ପସରା 
କୃତଜ୍ଞତାରେ ଦିବାକରଙ୍କୁ 
ଭେଟି ଅରପୁଚି ।

ମାଟିର ବାସ୍ନାରେ ନାଚିଉଠିଲାଣି ମନ
କୁରେହିଁ ଫୁଲର ବାସ୍ନା 
ଚାବି ହୋଇ ଖୋଲିଦେଲାଣି ସ୍ମୃତିର କୋଲପ
ମନର ରୁଦ୍ଧ କୋଠରୀରେ ପଶି
ଇତିହାସର ଫର୍ଦ୍ଦ ଓଲଟାଉଅଛି 
ମଲ୍ଲୀଫୁଲର ଗଜରାରେ
କୁଆଁରୀ ଝିଅର ଗଭା 
ସମସ୍ତଙ୍କୁ ବିଭୋର କରୁଚି ।

ସାଧବ ଘରର ନାଲି ଗୁଲୁଗୁଲୁ ବୋହୁ
ପୃଥିବୀକୁ ଆସିବାର ସଜ ସାରିଲାଣି 
ସଜ ହେଲାଣି କାଳିଆ 
ଯିବାପାଇଁ ଜନ୍ମ ବେଦୀକୁ, ମାଉସୀ ଘରକୁ
ସ୍ତ୍ରୀ ନୁହେଁ, ଭାଇ ଭଉଣୀ ସାଙ୍ଗରେ,
ରଥ ପ୍ରସ୍ତୁତ କରିବାରେ
ତରତର ହେଲେଣି ସେବକମାନେ 
ମନ ତା'ର ସକସକ 
କୁଣ୍ଡା ପୋଡପିଠା ଖାଇବାକୁ,
"ସମ୍ପର୍କର ପାଟଡୋରିରେ ଛନ୍ଦାଛନ୍ଦି ହୋଇ ଚଳିବା 
ଆମ ଆବହମାନ ପରମ୍ପରା"
ମୁକ୍ତ ଉଦଘୋଷଣା କରିବାକୁ  ।

କେଁ କଟକଟ ଶବ୍ଦରେ ରଜଦୋଳି
ଝୁଲିଲାଣି ଗାଁ ଦାଣ୍ଡରେ 
କିଶୋର କିଶୋରୀ 
ପ୍ରଜାପତି ଭଳି ଘୂରିବୁଲୁଛନ୍ତି
ନୂଆ ବେଶ ପୋଷାକରେ ଏ ଘର ସେ ଘର, ଗାଁ ଦାଣ୍ଡ ଚଳଚଞ୍ଚଳ
ଆମ୍ବତୋଟାରେ ଜମିଗଲାଣି
ଦୋଳି, ବାଗୁଡି, କବାଡି,
ବୋହୁଚୋରି ଆଉ ପୁଚି ଖେଳ ।

ମହକିଉଠିଲାଣି ଗାଁ ଦାଣ୍ଡ 
ବିରି ଚକୁଳିର ମହ ମହ ବାସ୍ନାରେ
ପବନ ଗାଉଚି ଏଠି ଗୁଣୁଗୁଣୁ ହେଇ
ଭାଇଚାରାର ମଧୁର ସଙ୍ଗୀତ 
ସ୍ନେହ-ପ୍ରେମ, ଦିଆନିଆର ଏ ପର୍ବ 
ଦୁଃଖୀ ସୁଖୀ ନିର୍ବିଶେଷରେ 
କୀଟରୁ ବ୍ରହ୍ମ ପରିଯନ୍ତେ
ସଭିଏଁ ଉଲ୍ଲାସ ବିଭୋର
ଅତି ଆମୋଦିତ ।

ରଜ ଆମ ପରମ୍ପରା 
ସଂସ୍କୃତିର ଗୁଣ ଗାଇଥାଏ
ଆମ ଉତ୍କଳର ଗଣ ପର୍ବ
ଏଠି ପବନରେ ବି
ବସୁଧା ପ୍ରତି ମାଆର ସମ୍ମାନ ମନ୍ତ୍ର
ଆଉ ଭାଇଚାରାର ଗୀତ ଶୁଭୁଥାଏ 
ରଜ ଆମ ପରମ୍ପରା 
ସଂସ୍କୃତିର ମନ୍ତ୍ର ଗାଇଥାଏ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ