କ୍ଷୁଦ୍ରଗଳ୍ପ - ମୁଁ ଶବ କହୁଛି - ଚିତ୍ରା ରାଣୀ ପାତ୍ର

0

ମୋ ନାଁ ଅମର ଚୌଧୁରୀ । ଘର କଟକ । ସେଦିନ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରୁଥିଲି ଅନେକ ଦିନ ପରେ ସେଇ କରମଣ୍ଡଳ ଏକ୍ସପ୍ରେସରେ । ଜାଣେନି କିପରି ଆକସ୍ମିକ ଭାବେ ମୋର ମୃତ୍ୟୁ ହୋଇଗଲା । କୁଢ଼ କୁଢ଼ ଶବ ଭିତରେ ପଡ଼ିଥିଲି ଅଚିହ୍ନା ଅଜଣା ଭାବରେ । ଅମର ନାଁ ଟା କିଏ ଦେଇଥିଲେ କେଜାଣି, ଯାହା ଟିକିଏ ମନେ ଅଛି, ମୋ ଅଜା ମୋର ଜନ୍ମ ପରେ ଖୁସି ହୋଇ ଏଇ ନାଁ ଟା ବୋଧେ ବାଛିଥିଲେ । ଘରେ ଅମୁ ଡାକୁଥିଲେ । ମୋର ବୟସ ତିରିଶ ଟପି ଏକତିରିଶରେ ପହଞ୍ଚି ଯାଇଥିଲା । ଘରେ ବାପା ବୋଉ ଓ ମୋର ନବ ବିବାହିତା ପତ୍ନୀ ମୋର ଆସିବା ବାଟକୁ ଅପେକ୍ଷା କରି ରହିଥିଲେ । କାଞ୍ଚନ ମୋର ପତ୍ନୀ । ସୁବର୍ଣ୍ଣ ରଙ୍ଗ ପରି ଦେହ । ଲକ୍ଷ୍ମୀ ପ୍ରତିମା ପରି ରୂପ । ବାଛି ବାଛି ବାପାବୋଉ ଘରକୁ ବୋହୂ କରି ଆଣିଥିଲେ । କିଛି ଦିନ ଶାଶୁଘରେ ରହିବାକୁ ଇଚ୍ଛା କରି ସେ ରହିଥିଲା । ମୁଁ ଏଇଥର ଘରକୁ ସାଥିରେ ନେଇ ଆସିବା ପାଇଁ ସ୍ଥିର କରିଥିଲି ।

ତା 'ପାଇଁ ଆଣିଥିବା ହଳଦୀ ରଙ୍ଗ ଶାଢ଼ୀରେ ଜରି ଧଡ଼ି, ବାକ୍ସ ଖୋଲି ଛିଟକି ପଡ଼ିଥିଲା । କିଏ ଜଣେ ଆସି ତରବରରେ ଇଆଡ଼େ ସିଆଡେ ଚାହିଁ ବ୍ୟାଗ୍ ରେ ପୁରାଇ ଦେବା ଦେଖିଲି । ବୋଉ ଓ ବାପାଙ୍କ ପାଇଁ ଆଣିଥିବା ଚାଦର କିଏ ନେଇଯାଇଥିଲେ ଜାଣି ହେଲାନି ଭିଡ଼ ଭିତରେ । ମୁଁ ପାଣି ଟିକିଏ ପାଇଁ ଖାଲି ଆର୍ତ୍ତନାଦ କରୁଥିଲି । କିଏ ଜଣେ ସହୃଦୟ ବ୍ୟକ୍ତି ମୋ ମୁହଁ ପାଖରେ ପାଣି ବୋତଲଟିଏ ଟେକି ଧରିଥିଲେ । କିଛି ଢୋକ ପିଇ ଟଳି ପଡ଼ିଲି ନିଃଶବ୍ଦରେ... ।

ଘରେ ବୋଧେ କାନ୍ଦ ବୋବାଳି ପଡ଼ିଥିଲା । ପବନରେ ଭାସି ଆସି କାନରେ ଖାଲି ବାଜୁଥିଲା । ମୁଁ ସେଠିକି ଯାଇ ପାରୁନଥିଲି କାହାରି ଲୁହ ପୋଛି ଦେବାକୁ । କେମିତି ଯାଇଥାନ୍ତି ? ଖୁବ କରୁଣ ଦୃଶ୍ୟଗୁଡିକ ଆକ୍ଷି ଆଗରେ ଦେଖୁଥିଲି । ଭୋକରେ ଆଉଟୁ ପାଉଟୁ ହୋଇ ଛୋଟ ପିଲାଟିଏ ତା' ମାଆର ଶବକୁ ଟାଣୁଥିଲା । ବୋଧେ କ୍ଷୀର ପିଇଥାନ୍ତା... । ଓଃ.. ଆଃ.. ଏମିତି କିଛି ଶବ୍ଦ ଗୁଡିକ ଭିତରେ ଗଭୀର ଦୁଃଖ ଓ ଯନ୍ତ୍ରଣାକୁ ଖୁବ ନିକଟରୁ ଅନୁଭବ କରୁଥିଲି ।

କଥାରେ କହିବା ଓ ସତ ମୃତ୍ୟୁ ଯନ୍ତାରେ ପଡ଼ିବା ଭିତରେ ଆକାଶ ପାତାଳ ଫରକ । କିଛି ଦିନ ସହାନୁଭୂତି ମିଳିବ । ତା'ପରେ ବାସ୍ତବତାକୁ ସମସ୍ତେ ଭୁଲିଯିବେ ଧୀରେ ଧୀରେ । ଏଇତ ଜୀବନ ପ୍ରବାହ... । କିଏ କେତେଦିନ ଧରି ଆହା ଚୁ ଚୁ କରିବେ ? ମୋର ଶ୍ରାଦ୍ଧ ବାର୍ଷିକୀ ଅବସରରେ ସବୁ ବନ୍ଧୁ ବାନ୍ଧବ ଆସିବେ । ଦୁଇ ବୁନ୍ଦା ଲୁହ ନିଗାଡ଼ିବେ । ଏକାଦଶାହ ବି ଅତି କରୁଣ ପରିସ୍ଥିତିରେ ପାଳିତ ହେଲା । କାଞ୍ଚନକୁ ବିଧବା ବେଶରେ ଦେଖି ନିଜ କୋହକୁ ସମ୍ବରଣ କରିପାରିଲି ନାହିଁ । ସାଧା ମୁଁହରେ ବୟସ୍କା ନାରୀ ଭଳି ଦିଶୁଥିଲା ସେ । ଆଉ ବୋଉ ତା ଆଗରେ କମ୍ ବୟସର ଲାଗୁଥିଲା । ତା'ର ଖାଲି ହାତରେ ପଟେ ପଟେ ସୁନା କାଚ ଥିଲା । ଆଉ କିଛି ସଜବାଜ ଦେଖି ପାରିଲିନି । ବାପା କହିବାର କଥାକୁ ଚୁପ୍ ଚାପ୍ ଯାଇ ଶୁଣିଲି । ସିଏ ବୋଧେ ଯୋଜନା କରୁଥିଲେ ମୋ ମାମୁଁଙ୍କ ପୁଅ ସହିତ କାଞ୍ଚନର ହାତକୁ ଛନ୍ଦି ଦେବେ । ସେମାନେ ବୋଧେ ରାଜି ହୋଇଥିବେ ନିଶ୍ଚୟ । କାରଣ ସେ ଏତେ ସୁନ୍ଦରୀ ଯେ, ଭାଷାରେ ବର୍ଣ୍ଣନା କରିପାରିବିନି ।

ମୁଁ କେବଳ ଶାନ୍ତି ପାଠ ଶୁଣୁଥିଲି । ନୀରବରେ ଲୁହ ଧାର ଗୁଡାକ ଗଡି ଯାଉଥିଲା । ବିବାହର ଗୋଟିଏ ବର୍ଷ ବି ସରିନି... ହେଲେ ସେ ଆଉ କାହାର ଘରଣୀ ହେବ । ମୁଁ ସାତ ଜନମର ସାଥୀ ହେବାକୁ ଅଗ୍ନୀ ଚାରିକଡେ ଫେରା ନେବା କଥା ସବୁ ଭୁଲିଯିବେ ଏଇ ଜନମରେ । ହେଲେ ଶବ କଣ କିଛି ପ୍ରତିବାଦ କରିପାରେ... ?

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ