ଭକ୍ତ ସାଲବେଗ - ଘନଶ୍ୟାମ ସାହୁ

0

"ଓଃ କି ଯନ୍ତ୍ରଣା ! ୟା ଆଲ୍ଲା ! ନା ନା ମୁଁ ଆଉ ସମ୍ଭାଳି ପାରୁନି । ଏ ଭଳି ବଞ୍ଚିବା ଅପେକ୍ଷା ମରିଯିବା ହିଁ ଶ୍ରେୟସ୍କର ।" କୋଡିଏ ବାଇଶି ବର୍ଷର ଯୁବକଟିଏ ଶଯ୍ୟାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହୋଇ କହି ଚାଲିଥିଲା । ପାଖରେ ବସି ରହି ଅଶ୍ରୁଳ ନୟନରେ ଆଉଁଶି ଦେଉ ଦେଉ ମାଆ କହି ପକାଇଲେ, "ଛି ଛି ସେହିପରି ନିଆଁଲଗା କଥା କହନ୍ତି ନି ଧନ । ତୁ ହିଁ ମୋର ଏକମାତ୍ର ସାହାରା । ତୋ ବିନା ଏ ସଂସାରରେ ମୋର କିଏ ଆପଣାର ଅଛି କହିଲୁ ? କିନ୍ତୁ ତୁ କ'ଣ ମୋ କଥାକୁ କର୍ଣ୍ଣପାତ କରିବୁ ? ତୁ ତ ତୋ ବାପାଙ୍କ ପରି କେବଳ ନିଷ୍ଠୁରତାର କଥା ହିଁ ଜାଣିଛୁ । କାରଣ ତୋ ଦେହରେ ବାପାଙ୍କ ପରି ପଠାଣର ରକ୍ତ ହିଁ ପ୍ରବାହିତ ହେଉଛି ।  ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ମୋର । ମୁଁ ସେ ନିଷ୍ଠୁରତା ଠାରୁ ବହୁତ ଦୂରରେ । ଏବେ ବି ସମୟ ଅଛି । ଯଦି ମୋର କଥା ଅନୁଯାୟୀ ଚଳିବୁ ତେବେ ଏ ଯନ୍ତ୍ରଣା ଶୀଘ୍ର ଉପଶମ ହେବ ଏଥିରେ ସନ୍ଦେହ ନାହିଁ ।" ଯନ୍ତ୍ରଣା ହେଉଥିଲେ ମଧ୍ୟ ଯୁବକ ତାଙ୍କ ମାଆ ର ହାତକୁ ଧରି ଅନୁନୟ ବିନୟ ସ୍ୱରରେ କହିଲେ, "ମୁଁ ଏହି ଗୋଟିଏ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ପାଇ ପାରିଲି ନାହିଁ । ଯେତେବେଳେ ମୁଁ ଏ ପ୍ରଶ୍ନ ପଚାରିଛି ତୁମେ ତାକୁ ବାରମ୍ବାର ଏଡାଇ ଯାଇଛ । ଆଜି କିନ୍ତୁ ତୁମକୁ କହିବାକୁ ପଡ଼ିବ ସେ ରହସ୍ୟ । ତେବେ ଯାଇ ମୁଁ ତୁମ ପରାମର୍ଶ ନିଶ୍ଚୟ ଗ୍ରହଣ କରିବି ।" ତେବେ ଠିକଅଛି, ମନଦେଇ ଶୁଣ, ମୁଁ କହୁଛି ଏକ ଲୋମହର୍ଷଣକାରୀ ଘଟଣା । ଯେଉଁ ଘଟଣାଟି କାହା ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ" କହିଲେ ଯୁବକଟିର ମାଆ ।

କିଛି ବର୍ଷ ପୂର୍ବର କଥା । ଦାଣ୍ଡମୁକୁନ୍ଦପୁର ଗ୍ରାମ ଦାଣ୍ଡ । ସମୟ ସକାଳ । ଗ୍ରାମ ମନ୍ଦିରରୁ ସକାଳ ଆଳତୀ ସମୟର ଘଣ୍ଟ ଶଙ୍ଖ ଧ୍ୱନି ମଧ୍ୟରେ ଅନତି ଦୂରରୁ ସୈନ୍ୟ ମାନଙ୍କ କୋଳାହଳ ଏବଂ ଅଶ୍ୱ ମାନଙ୍କ ହ୍ରେସ୍ରା ରବ ଅନୁମାନ କରି ହେଉଥିଲା । କେହି ଜଣେ ଗ୍ରାମ ଦାଣ୍ଡରେ ଧଇଁସଇଁ ହୋଇ ଦୌଡ଼ି ଦୌଡ଼ି କହି ଚାଲିଥିଲା ବଡ଼ ପାଟିରେ, "କିଏ କେଉଁଠି ଅଛ ! ପ୍ରାଣ ବଞ୍ଚାଇ ପଳାଇ ଯାଅ..., ଯବନ ମାନେ ଗ୍ରାମ ଆଡ଼କୁ ମାଡି ଆସୁଛନ୍ତି !!" ଖୁବ୍ କମ୍ ସମୟ ମଧ୍ୟରେ ଯବନ ମାନେ ଗ୍ରାମ ଭିତରେ ପଶି ତାଙ୍କ ଅତ୍ୟାଚାର ଆରମ୍ଭ କରି ଦେଇଥିଲେ । ସବୁ କିଛି ଲୁଟ୍ ତରାଜ୍ କରି ଯିବା ସମୟରେ ଗ୍ରାମ ନିକଟରେ ବହି ଯାଇଥିବା ଏକ କ୍ଷୁଦ୍ର ଝରଣା ପାର ହୋଇ ନିକଟସ୍ଥ ଗ୍ରାମ ଗୁଡିକରେ ତାଙ୍କ ଲୁଟ୍ ତରାଜ୍ ଜାରି ରଖିବାକୁ ଚିନ୍ତା କରି ସେ ଦିଗରେ ଅଗ୍ରସର ହେଲେ । ଝରଣା ର ସ୍ୱଚ୍ଛ ଜଳଧାରାରେ ନିଜ ସମଗ୍ର ଶରୀର ଲେଟେଇ ଦେଇ ଦେହ ମନର ଉଷ୍ଣତାକୁ ଶୀତଳ କରିବାର ପ୍ରୟାସ କରୁଥିଲା ସଦ୍ୟ ବିବାହିତା ବିଧବା ବ୍ରାହ୍ମଣ ପରିବାରର ବୋହୁ ଟିଏ । ଅତୀତର ସ୍ମୃତି ତଥା ସେ ସମୟରେ ବିଧବା ବୋହୁ ମାନଙ୍କୁ ଦିଆ ଯାଉଥିବା ତଥା ନିଜ ପ୍ରତି ଯେଉଁ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦିଆ ଯାଉଥିଲା, ସେ ବିଷୟ ଚିନ୍ତା କରୁକରୁ ଆତ୍ମ ବିସ୍ମୃତ ହୋଇ ପଡ଼ିଥିଲା ସେ । ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ଦୂରରେ ରହିଥିବାରୁ ସେ କୌଣସି କୋଳାହଳ ବିଷୟ ଏବଂ ଗ୍ରାମରେ ଘଟିଥିବା ଏ  ଯବନ ଆକ୍ରମଣ କଥା ଆଦୌ ଜାଣି ପାରିଲା ନାହିଁ । ଝରଣା ମଧ୍ୟକୁ ପ୍ରବେଶ କରିବା ସମୟରେ ଯବନ ସୈନ୍ୟ ମାନଙ୍କ କୋଳାହଳ ଶୁଣି ସେ ପ୍ରକୃତିସ୍ଥ ହୋଇ ଓଦା ବସ୍ତ୍ରରେ କୌଣସି ପ୍ରକାର ନିଜର ନଗ୍ନତାକୁ ଆବୃତ କରିବାକୁ ଚେଷ୍ଟା କରୁଥିଲା ସେ । କିନ୍ତୁ ଦଳପତିଙ୍କ ଦୃଷ୍ଟିରୁ ତା'ର ନିଖୋଜ ଯୌବନକୁ ରକ୍ଷା କରି ପାରିଲା ନାହିଁ ବଧୂ ଜଣକ । ଦଳପତି ନିଜେ ତା ପାଖରେ ପହଞ୍ଚି ନିକାହ (ମୁସଲିମ ବିବାହ) କରିବା ପାଇଁ ପ୍ରସ୍ତାବ ଦେଲେ ଏବଂ ନିଜର ଅଶ୍ୱ ଉପରେ ବସେଇ ଆଖି ପିଛୁଳାକେ ଚାଲିଗଲେ । ଦଳପତି ବିଧବା ବୋହୁଟିର ସବୁ ସର୍ତ୍ତରେ ସମ୍ମତି ପ୍ରଦାନ କଲେ ଏବଂ ସୈନ୍ୟ ମାନଙ୍କ ଶିବିରରେ ହିଁ ନିକାହ କାର୍ଯ୍ୟ ସମ୍ପନ୍ନ କରାଗଲା । ସେହି ଦିନଠାରୁ ବୋହୁଟିର ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଏହା ବୋଧହୁଏ ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶ ଭାବି ଜଗନ୍ନାଥଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଏବଂ ଭରସା ରଖୁଥିବା ବୋହୁ ଟି ସବୁ କିଛି ମହାପ୍ରଭୁଙ୍କ ଉପରେ ଛାଡି ଦେଇଥିଲା ।" ଏତିକି କହି ପୁତ୍ରକୁ ଲକ୍ଷ୍ୟ କରି ମାତା ପଚାରିଲେ, "ଏଥର ତୁ କହି ପାରିବୁ ନିଶ୍ଚୟ । ଏ ଗଳ୍ପର ନାୟକ ନାୟିକା କିଏ ‌?"

"ଆଉ ଜାଣିବାକୁ ବାକି ନାହିଁ ମା ସେ ବ୍ରାହ୍ମଣ ବିଧବା ବୋହୁ ତୁ ନିଜେ ଏବଂ ଦଳପତି ନିଜେ ଆବାଜାନ୍ ।" ପୁତ୍ର ଉତ୍ତର ଦେଲା । "ହଁ.. ମୋ ଧନ, ତୁ ମୋର ସ୍ଵପ୍ନ । ତୋତେ ବଞ୍ଚିବାକୁ ପଡ଼ିବ । ତୋ ବାପା ଯବନ ଦଳପତି ଲାଲବେଗଙ୍କ ପୁତ୍ର ହେଲେ ମଧ୍ୟ ତୋ ଦେହ ମୋ ରକ୍ତ ମାଂସରେ ଗଢା । ତୁ କେବଳ ଏହି ହିଂସାର ମାର୍ଗ ପରିତ୍ୟାଗ କରି ଶୁଦ୍ଧ ପବିତ୍ର ଭକ୍ତି ଭାବରେ ମୁଁ ଦେଇଥିବା ମନ୍ତ୍ରକୁ ଜପ କର ଏବଂ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କରି ଦେ । ତୋର ସବୁ ଯନ୍ତ୍ରଣା ନିଶ୍ଚୟ ଦୂର ହୋଇଯିବ ।" କହିଲେ ମାତା ଜଣକ ‌। ପୁତ୍ର ସାଲବେଗ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀକୃଷ୍ଣ ଅବତାର ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ହେବାରୁ ମାଆ ତାକୁ ଶ୍ରୀକୃଷ୍ଣ ଙ୍କ ଜନ୍ମ, ରୂପ ଓ ବିଭିନ୍ନ ଲୀଳା ବିଷୟ ବର୍ଣ୍ଣନା କରିବା ସହିତ ଏବେ ମଧ୍ୟ ଶ୍ରୀକୃଷ୍ଣଙ୍କ ଉପସ୍ଥିତି ବୃନ୍ଦାବନରେ ଉପଲବ୍ଧି କରି ହେବ ଏକଥା ସାଲବେଗକୁ କହିଲେ । ସାଲବେଗ ମାତାଙ୍କ ବ୍ୟାକୁଳତା ଠିକ୍ ବୁଝି ପାରୁଥିଲା । ତେଣୁ ମାଆଙ୍କ ସବୁ କଥା ମାନି କାର୍ଯ୍ୟ କରିବାପାଇଁ ସେ ସ୍ଥିର କରିନେଲା । ସେହି ସମୟରେ ଲାଲବେଗ ମୁଖ୍ୟ ସେନାପତିଙ୍କ ଡକରା ପାଇ କିଛି ଦିନ ପାଇଁ ଶିବିରରେ ଅନୁପସ୍ଥିତ ଥିବାରୁ ଏହି ନିଷ୍ପତ୍ତି ନେବା ପାଇଁ କିଛି ମଧ୍ୟ ଅସୁବିଧା ନଥିଲା ।

ଶିବିରର ପ୍ରକୋଷ୍ଠରେ ଶଯ୍ୟାରେ ପଡ଼ି ରହିଥିଲା ଯନ୍ତ୍ରଣାସିକ୍ତ ସାଲବେଗ । ଶଯ୍ୟା ପାର୍ଶ୍ଵରେ ମାଆ ନିଜେ ଉପସ୍ଥିତ ରହି କ୍ଷତ ସ୍ଥାନରେ ପ୍ରଲେପ ଦେବା ସହ ପୁତ୍ରକୁ ଆଶ୍ୱାସନା ଦେଉଥିଲେ । ସାଲବେଗ ସମ୍ମୁଖରେ ଥିଲା ମହାପ୍ରଭୁଙ୍କ ତୈଳଚିତ୍ର । ଚକାଡୋଳାକୁ ଚାହିଁ ରହି ମାଆ ଦେଇଥିବା ମନ୍ତ୍ରକୁ ଅନବରତ ଜପି ଚାଲିଥିଲା ସାଲବେଗ । କ୍ଷୁଧା ତୃଷ୍ଣା ସବୁ କିଛି ଭୁଲି ସାରିଥିଲା ସେ । ମୁଖରେ ଭାସି ଉଠୁଥିଲା ମହାପ୍ରଭୁଙ୍କ ନାମ ମନ୍ତ୍ର କେବଳ । ମହାପ୍ରଭୁଙ୍କ ବାଳମୁକୁନ୍ଦ ରୂପ ଆଖି ଆଗରେ ଭାସି ଉଠୁଥିଲା । ଏହି ପରି କିଛି ଦିନ ବିତିଗଲା ପରେ ଦିନେ ଅର୍ଦ୍ଧରାତ୍ରରେ ହଠାତ୍ ଏକ ଅପୂର୍ବ ସୁଗନ୍ଧ ଏବଂ ଦିବ୍ୟ ଆଲୋକରେ କୋଠରୀଟି ଉଦ୍ଭାସିତ ହୋଇ ଉଠିଲା । ବାଳମୁକୁନ୍ଦ ସ୍ୱରୂପରେ ଦର୍ଶନ ଦେଇ ପ୍ରଭୁ କହିଲେ, "ଉଠ ଭକ୍ତ ! ଉଠ ସାଲବେଗ... । ତୁମର ଦୁର୍ଦ୍ଦିନର ଅନ୍ତ ହୋଇ ସାରିଛି । ମୋର ନିତ୍ୟ ଲୀଳା ସ୍ଥଳ ବୃନ୍ଦାବନ ଯାଅ । ସେଠାରୁ ଦର୍ଶନ କରି ଫେରିବା ପରେ ମୋତେ ରଥ ଉପରେ ଏହି ଶ୍ରୀକ୍ଷେତ୍ର ଧାମରେ ଦର୍ଶନ କରିବ । ଅସୀ ର ଲହୁ ଲୁହରେ ହିଂସାର କବିତା ନଲେଖି ମସୀ ଚଳାଇ ମୋର ଲୀଳା ଏବଂ ଗୁଣ ଗାନର ଭକ୍ତି ପ୍ରେମର କବିତା ଲେଖି ଭକ୍ତି ତରଙ୍ଗ ଖେଳାଇ ଦିଅ । ଯାଅ ।" ହଠାତ୍ ସେହି ବାଳମୁକୁନ୍ଦ ସ୍ୱରୂପ ଏବଂ ଗୁରୁ ଗମ୍ଭୀର ନିର୍ଦ୍ଦେଶ ବନ୍ଦ ହେବା ସହ ଉଜ୍ଜ୍ୱଳ ଆଲୋକ ସ୍ତୀମିତ ହୋଇଗଲା । କ୍ଷତ ଯନ୍ତ୍ରଣା ସବୁ କେଉଁ ଆଡେ ସୂର୍ଯ୍ୟ ଆଲୋକରେ କୁହୁଡି ଦୂରେଇ ଗଲା ଭଳି ଉଭେଇ ଗଲା । ନବୀନ ଉତ୍ସାହରେ ପୁଲକିତ ହୋଇ ଯୁବକଟି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇ କହି ଉଠିଲା "ହେ ପ୍ରଭୁ ! ହେ ଜଗତର ନାଥ ଜଗନ୍ନାଥ ମୁଁ ଧନ୍ୟ ହୋଇଗଲି ପ୍ରଭୁ । ଆପଣଙ୍କର ନିର୍ଦ୍ଦେଶକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି । ଜୟ ଜଗନ୍ନାଥ ।" ଯୁବକ କୋଠରୀ ବାହାରକୁ ଆସି ଚିତ୍କାର କରି ଉଠିଲା, "ମା.. ମା.. ! ଦେଖ ମା ପ୍ରଭୁ ମୋର ଡାକ ଶୁଣିଲେ । ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ । ପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ବୃନ୍ଦାବନ ଯାତ୍ରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବି ।" ମାଆ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ପ୍ରଣତି ଜଣାଇଲେ ଏବଂ କହି ଉଠିଲେ, ସବୁ ସେଇ ଇଚ୍ଛାମୟ ଶ୍ରୀହରିଙ୍କ ଇଚ୍ଛା ।"

ବଡ଼ଦାଣ୍ଡ ଆଜି ଜନସମୁଦ୍ର । ଭକ୍ତ ଜନତାଙ୍କର ମୁଣ୍ଡମାଳର ଲହରୀ ଖେଳିଯାଇଛି । ଠାକୁର ମାନଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇ ସାରିଛି । ଗଜପତି ତାମଯାନରେ ବିଜେ କରି ଛେରାପହଁରା ନୀତି କରି ସାରିଛନ୍ତି । ଚାରିଆଡେ ଜୟ ଜଗନ୍ନାଥ ଧ୍ଵନି ସହିତ ଭଜନ କୀର୍ତ୍ତନ ଚାଲିଛି । ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ଠାକୁର ମାନଙ୍କର ସମ୍ମୁଖରେ ତାଙ୍କ ନୃତ୍ୟ ନିପୁଣତା ପ୍ରଦର୍ଶନ କରୁଛନ୍ତି । ସାରଥି ପ୍ରସ୍ତୁତ । ରଥ ପ୍ରସ୍ତୁତ । ସୈନ୍ୟ ବାହିନୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ସମ୍ପୂର୍ଣ୍ଣ ଭାବେ ନିଜ ନିଜକୁ ପ୍ରସ୍ତୁତ କରିନେଇଛନ୍ତି । ସ୍ଵେଚ୍ଛାସେବକ ମାନେ ଯେ କୌଣସି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । କିଛି ସମୟ ପରେ ରଥ ଟଣା ଆରମ୍ଭ ହେବା ସହ ଭକ୍ତ ମାନଙ୍କ ଭାବାବେଗ ବୃଦ୍ଧି ପାଇବାରେ ଲାଗିଲା । ଜୟ ଜଗନ୍ନାଥ ଧ୍ଵନି ପରିବେଶକୁ ମୁଖରିତ କଲା । ଉର୍ଦ୍ଧ୍ଵ ବାହୁ ହୋଇ ଭକ୍ତଗଣ ସ୍ୱ ସ୍ୱ ଙ୍କୁ ସମର୍ପଣ କରିବାକୁ ଲାଗିଲେ । ବଳଗଣ୍ଡି ପାଖରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିଲା । ସାରଥି ବହୁତ ଚେଷ୍ଟା କଲା ପ୍ରୋତ୍ସାହିତ କରିବା ପାଇଁ ଭକ୍ତ ମଣ୍ଡଳୀ । କିନ୍ତୁ ରଥ ଇଞ୍ଚେ ସୁଦ୍ଧା ଘୁଞ୍ଚିଲା ନାହିଁ । ସବୁ ପ୍ରକାର ଚେଷ୍ଟା ବିଫଳ ହେଲା ପରେ ଗଜପତି ମହାରାଜାଙ୍କ ପାଖରେ ସେବକମାନେ ଗୁହାରି କଲେ । ରାଜା ନିଜେ ଶ୍ରୀନଅର ତ୍ୟାଗ କରି ରଥ ସମ୍ମୁଖରେ ଠିଆ ହୋଇ ଯେତେ ଚେଷ୍ଠା କଲେ ମଧ୍ୟ ରଥ ଆଦୌ ହଲିଲା ନାହିଁ । ଗଜପତି ମହାରାଜା ମହାପ୍ରଭୁଙ୍କ ନିକଟରେ ଗୁହାରି କଲେ । ତାଙ୍କୁ ଠାକୁରଙ୍କ ନିର୍ଦ୍ଦେଶ ଆସିଲା, "ହେ ରାଜା ! ମୋର ପରମ ଭକ୍ତ ସାଲବେଗ ବୃନ୍ଦାବନରୁ ଫେରି ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛି । ତା'ର ମୋତେ ରଥ ଉପରେ ଦର୍ଶନ କରିବା ଆକାଂକ୍ଷାକୁ ମୁଁ କିପରି ଅନାଦର କରିଥାନ୍ତି ? ସେ ଯେବେ ବଡ଼ଦାଣ୍ଡରେ ପହଞ୍ଚିବ ତେବେ ଯାଇ ମୋ ରଥ ଗଢ଼ିବ ।" ଏ ପ୍ରକାର ଠାକୁରଙ୍କ ନିର୍ଦ୍ଦେଶ ଶୁଣି ରଥ ପ୍ରସ୍ତୁତ କରି ଭକ୍ତ ସାଲବେଗଙ୍କୁ ଆଣିବା ପାଇଁ ମହାମନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଗଲା । କିଛି ସମୟ ପରେ ସାଲବେଗ ବଡ଼ ଦାଣ୍ଡରେ ପହଞ୍ଚି ଭକ୍ତି ଗଦ୍ ଗଦ୍ ଚିତ୍ତରେ ଠାକୁରଙ୍କୁ ସ୍ତୁତି କରିବାକୁ ଲାଗିଲେ ଏବଂ ମାଉସୀ ମା'ଙ୍କ ଅଭିମୁଖେ ଅଗ୍ରସର ହେବାକୁ ପ୍ରାର୍ଥନା କଲେ । ତାଙ୍କ ମୁଖରୁ ଝରି ଆସିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନେକ ଭଜନ ଓ ଜଣାଣ । ଜୟ ଜଗନ୍ନାଥ ଧ୍ଵନିରେ ବଡ଼ଦାଣ୍ଡ କମ୍ପି ଉଠିଲା । ତା ସହିତ ଭକ୍ତକବି ସାଲବେଗଙ୍କ ଜୟ ଧ୍ୱନି ମଧ୍ୟ ଶୁଣାଗଲା । ଲୋକ ମାନେ ପରସ୍ପର କହିବାକୁ ଲାଗିଲେ, "ଧନ୍ୟ ଭକ୍ତ ସାଲବେଗ । ତୁମ ଅନନ୍ୟ ଭକ୍ତି ଜଗନ୍ନାଥଙ୍କୁ ମଧ୍ୟ ଅଟକାଇ ଦେଇ ପାରିଲା ।" ଯେଉଁ ସ୍ଥାନରେ ନନ୍ଦିଘୋଷ ରଥ ଅଟକିଥିଲା ଠିକ୍ ସେହି ସ୍ଥାନରେ ଆଜି ମଧ୍ୟ ଭକ୍ତ ସାଲବେଗଙ୍କ ସମାଧି ତା'ର ସ୍ମୃତି ବହନ କରୁଛି ଓ ପ୍ରତ୍ୟେକ ରଥଯାତ୍ରା ସମୟରେ ରଥ କିଛି ସମୟ ସେଠାରେ ଅଟକି ରହିଥାଏ । ସେଇ ଭକ୍ତକବି ସାଲବେଗ ଅନେକ ଭଜନ, ଜଣାଣ ଏବଂ ଭକ୍ତି ସଙ୍ଗୀତ ରଚନା କରି ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରି ଯାଇଛନ୍ତି । ଜୟ ଜଗନ୍ନାଥ ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ