ନା'ପାଇଲି ଅମୃତ, ମୁକ୍ତା ଭାବି ମୁଠାଇ ଧରି
ଦେଖିଲି ଶାମୁକା ଖୋଳପା ଢେଉର ନୀଳବର୍ଣ୍ଣ
ତରଙ୍ଗରେ ନିଜକୁ ପଖାଳି ନେଲି ।
ହାତ ଯୋଡ଼ି ଈଶ୍ଵରଙ୍କୁ ଖୋଜିଲି ମନ୍ଦିରର ନିବୁଜ କୋଠରୀରେ
ଯୀଶୁଙ୍କୁ ପ୍ରେମ ଟିକେ ମାଗିଲି ଦୂରେଥାଇ ଆଲ୍ଲା ହସୁଥିଲେ
ମେଘମୁକ୍ତ ଆକାଶରେ ଯେମିତି ଏକ ଝଡ଼ ଆସୁଥିଲା
କେଉଁ ଏକ ତରୁଣୀର ତେରେଛା ଚାହାଣି ପାଦ ଖସୁଥିଲା ।
ଏବେ କ୍ଳାନ୍ତ ଅବସନ୍ନ ଶରୀର ଉଦାସୀନ ମନ
ଅନ୍ଧାର କୋଠରୀରେ ଅଣ୍ଡାଳୁଥିବା ଲୋଭିଲା ଦେହର
ନାଭି, ସ୍ତନ, ଓଠ, କପାଳ ଟିକିଏ ପାପର ବୋଝ ନଥିଲା
ତମ ଦେହର ଆକର୍ଷଣରୁ ସବୁ ମିଳେଇ ଯାଉଥିଲା
ସମୁଦ୍ର ଗର୍ଭରେ ଯେମିତି ଅକାତ ଜଳରାଶିରେ ।
ଏଣିକି ଯୋଗୀଟିଏ ହୋଇ ଭଜିବାକୁ ହେବ
ମାଲ୍ୟାଣୀର ସମାଧିରେ ପ୍ରେମ ପ୍ରଣୟର ସ୍ମାରକୀ
ନିଅହଂକାରୀ ମନର ସଂଗୀତ କେନ୍ଦରାର ସ୍ୱରରେ
ବଂଶୀର ଧ୍ୱନିରେ ରାଧା ଭାବ ନେଇ
ମୀରା ର ଉଦାସ ନୃତ୍ୟରେ, ଦେହହୀନ, ଆଶାହୀନ
ପରମ ପ୍ରାପ୍ତି ଶାନ୍ତିର ଆତ୍ମ ତୃପ୍ତିରେ ।
ନିର୍ବାହ ଚେତନାର ଉନ୍ମେଷ ଭିତରେ
ନା' ଯୋଗୀଟିଏ ହୋଇ କେନ୍ଦରା ଧରିବାରେ
ଭଜୁ କିନା ରାମ ନାମରେ କୁମର
ବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ ହେବାକୁ,
ହେଲେ ତମ ସମର୍ପଣ ଶିଖାଇ ଦେଇଛି
ମହାମୁକ୍ତିର ମହାନିର୍ବାଣର ସରଳ ଆଲୋକ ପଥକୁ
ପ୍ରାପ୍ତି ଅପ୍ରାପ୍ତିର ଅମୃତ ଧାରକୁ ।।