କ୍ଷୁଦ୍ରଗଳ୍ପ - ସ୍ମୃତିର ଫର୍ଦ୍ଦ - ଚିତ୍ରା ରାଣୀ ପାତ୍ର

0

ବିଳମ୍ବିତ ରାତ୍ରୀରେ ସ୍ମୃତିର ଫର୍ଦ୍ଦକୁ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଛି ମିନୁ ଶୁଭକାନ୍ତଙ୍କ  ଅବର୍ତ୍ତମାନରେ । କେଉଁଠୁ ଆରମ୍ଭ କରି କେଉଁଠି ଶେଷ କରିବି ? ତୁମେ ଖୁବ୍ ମନେ ପଡୁଛ । ମୁଁ ସବୁଦିନ ଏମିତି । ଡେରି ରାତିରେ ଶୋଇବି । ଲେଖା ଲେଖି ଅବଶ୍ୟ କରେ । କିନ୍ତୁ ରାତି ହେଲେ ଚେସ ଖେଳିବାକୁ ଭୁଲେନି । ତୁମେ ଖୁବ୍ ବୋର ହୁଅ । ମୁଁ କିଛି ଧ୍ୟାନ ଦିଏନି ତୁମ କଥାରେ । ଅଭିମାନରେ ଶୋଇଯାଅ ପିଠିକୁ ବୁଲାଇ । ତୁମର ଖୁବଶୀଘ୍ର ନିଦ ହୋଇଯାଏ । ଭଲ ଗୁଣ ସେଇଟା । ସବୁ ଖରାପ ଅଭ୍ୟାସ ମୋର । ନିଜ ଦେହ ପ୍ରତି ଯତ୍ନବାନ କେବେବି ନୁହେଁ । ତୁମେ କୁହ ହାର୍ଟ ପେସେଣ୍ଟ ହୋଇ ଏତେ ଖାମଖିଆଲି ପଣ ଯାଉନି । ବ୍ୟସ୍ତ ହୁଅ ସବୁବେଳେ ମୋ ଦେହକୁ ନେଇ । ମୁଁ କିନ୍ତୁ ବିନ୍ଦାସ୍ ।

ଆଜି ମନେ ପଡିଯାଉଛି ସେଇଦିନର ଭୟଙ୍କର ରାତି । ସବୁଦିନ ଭଳି ଚେସ ଖେଳୁଥିଲି ଡେରି ରାତି ଯାଏଁ ମୋବାଇଲରେ । ତୁମେ ହଠାତ ନିଦରୁ ଉଠି ବାଥରୁମ୍ ଗଲ । ବହୁତ ସମୟ ଯାଏଁ ନଫେରିବାରୁ ଉଠି ଦେଖିଲି, ଏ କଣ ? ଚମକି ପଡ଼ିଲି । ବାଥରୁମ୍ କବାଟ ଖୋଲି ତଳକୁ ମୁହଁ କରି ପଡ଼ି ଯାଇଛ । ହୋସ ନାହିଁ । ମୋର ବୁଦ୍ଧି ହଜିଗଲା । ରାତି ତିନିଟା ବାଜିଥିଲା ସେତେବେଳକୁ । ଚାରିଆଡ଼େ ଶୂନଶାନ । ମୁଁ ପ୍ରଥମେ ଡାକ୍ତର ବାବୁଙ୍କୁ ଫୋନ କରି ସବୁ ଗୋଟିଏ ନିଃଶ୍ୱାସରେ କହିଗଲି । ସେ କହିଲେ, ଆପଣଙ୍କ ଡ୍ରାଇଭରକୁ ଡାକନ୍ତୁ, ଡାକ୍ତରଖାନା ନେବାକୁ ପଡିପାରେ । ମୁଁ ସ୍ଵୟଂଚାଳିତ ମେସିନ ଭଳି ଫୋନ କରି ବୁଲୁକୁ ଡାକିଲି । ତଳ ଘରେ ଗୋଟିଏ ବଖରା ତା'ପାଇଁ ଥିଲା ଓ ନିଦରେ ଶୋଇଯାଇଥିଲା ସେ । ମୋ ଡାକରେ ଉପରକୁ ଆସିଲା । ତମକୁ ଲେଉଟାଇ ପାଣି ଛିଟିକା ମାରିଲା, ମାତ୍ର ଆଖି ଖୋଲୁନଥିଲ । ମୁଁ ଏତେ ଡରି ଯାଇଥିଲି ଯେ, ମୋର ସର୍ବାଙ୍ଗ ଥରୁଥିଲା । କଲିଙ୍ଗବେଲ୍ ଶବ୍ଦରେ ବୁଲୁ ତଳକୁ ଯାଇ କବାଟ ଖୋଲିଲା । ଡାକ୍ତର ପ୍ରଭାସ ରଞ୍ଜନ ଆସି ଯାଇଥିଲେ । ତାଙ୍କ ହାତରୁ ବ୍ୟାଗ୍ ଧରି ଆଣିଲା ବୁଲୁ । ସେ ପରୀକ୍ଷା କଲେ । ତାଙ୍କର ମୁଖର ମୁଦ୍ରା ସ୍ଵାଭାବିକ ଲାଗୁନଥିଲା । ନେବାକୁ ହେବ ଡାକ୍ତରଖାନା । ବୁଲୁ ଗାଡି ବାହାର କରିବାକୁ ତଳକୁ ଗଲା । ସଙ୍ଗେ ସଙ୍ଗେ ଫେରି ଆସି ତୁମକୁ ଦୁହେଁ ସେମାନେ ବହୁ କଷ୍ଟରେ ଉଠାଇ ତଳକୁ ଗାଡି ପର୍ଯ୍ୟନ୍ତ ନେଇଗଲେ । ପଛ ସିଟରେ ଶୁଆଇ ଦେଲେ । ପାଖରେ ମୁଁ ଓ ଆଗରେ ପ୍ରଭାସ ବାବୁ । ବେଶ୍ ଦୂର ଥିଲା ଡାକ୍ତରଖାନା । ସେତେବେଳକୁ ରାତି ପାହି ଆସୁଥିଲା । ଫରଚା ଫିତିବା ଉପରେ । ସେ ଯାହା କରିବା କଥା କରୁଥିଲେ ଦାୟିତ୍ତ୍ୱର ସହ ।

ତୁମକୁ ଆଇ.ସି.ୟୁ ରେ ଭର୍ତ୍ତି କରାଗଲା । ମୁଁ ନୀରବ ନିଶ୍ଚଳ ହୋଇ ବସି ପଡ଼ିଥିଲି ବାହାରେ ପଡ଼ିଥିବା ଚେୟାର ଉପରେ । ସକାଳ ହୋଇଗଲା । ମାତ୍ର ସେଇ ରାତିର କଥା ଏବେବି ମନରୁ ଯାଉନି । ମୋ'ପାଇଁ ଭିନ୍ନ ଦୁନିଆ ଅପେକ୍ଷା କରିଥିଲା । ସକାଳ ସିନା ଖୁସିର ନୂତନ ବାର୍ତ୍ତା ଆଣେ, କିନ୍ତୁ ଦୁଃଖର ପାହାଡ଼ ଉପରେ ମୋତେ ବସାଇ ତୁମେ ବିଦାୟ ନେଇଗଲ ସ୍ୱାର୍ଥପର ଭଳି । ମୋ ମଥାର ସିନ୍ଦୂର ଲିଭାଇ ଦେଲ ଅତି ନିର୍ଦ୍ଦୟ ଭାବରେ । ଏତେ ଯତ୍ନଶୀଳ ହୋଇ ମୁହୂର୍ତ୍ତକରେ ସବୁ ଖେଳ ଶେଷ କରିଦେଲ । ମୋତେ ଅସହାୟ କରି ଛାଡ଼ି ଚାଲିଗଲ । ମୁଁ ସବୁବେଳେ ନିର୍ଭର କରୁଥିଲି ସବୁ କଥାରେ ତୁମ ଉପରେ । କେମିତି ଏ ଦୁର୍ବିସହ ଜୀବନ କାଟିବି ଚିନ୍ତା ନଥିଲା ତୁମର । ସବୁ ଲେଖା କପାଳର । ଭାଗ୍ୟ ମୋର ଦାଉ ସାଧୁଥିଲା ସଉତୁଣୀ ପରି । ଜୀବନର ଯନ୍ତ୍ରଣା କଣ ଶିଖାଇ ଦେଲ ତୁମେ ଚାଲି ଯିବାପରେ । ତୁମକୁ କିଛିବି ସହିବାକୁ ହୋଇନି । ସବୁ ମୋ ଭାଗରେ ଦେଇ ଦେଲ ନିଶ୍ଚିନ୍ତ ହୋଇ । କାହିଁକି ଶୁଭ ? ଏତେ ନିଷ୍ଠୁର ହୋଇଗଲ ବୟସର ଅପରାହ୍ନରେ ?? ଯେତେବେଳେ ମଜବୁତ୍ ସାହାରା ଦରକାର, ସେତିକି ବେଳେ କଣ ତୁମର ଚାଲିଯିବାର ଥିଲା ???

ସ୍ମୃତିର ଫର୍ଦ୍ଦ ଖୁବ୍ ଲମ୍ବା... । ସାରି ବି ହେଉନି । କେତେ ସୁଖ, ଦୁଃଖ, ତିକ୍ତ, ମଧୁର ମିଶ୍ରିତ ଅନୁଭୂତି । ସବୁବେଳେ ତୁମ ଉପସ୍ଥିତି ମୋର କାମ୍ୟ ଥିଲା । ମୁଁ ଏକା ଚାଲିବା ଦରକାର ହୋଇ ନଥିଲା ତୁମେ ଆସିଲା ପରେ । ବିକ୍ଷିପ୍ତ ଭାବନାରେ ବୁଡ଼ିଯାଇ ଶୀତ ରାତିଟାରେ ବି ଆଜି ଖୁବ ଗରମ ଲାଗୁଛି ।  ତମେ ସିନା ଦେହରୁ ଟିକିଏ ଶାଲ ଖସିଲେ ଘୋଡାଇ ଦେଉଥିଲ, ଏବେ କିଏ କରିବ କୁହ ? ସମୟ ଟା କଟୁନି । ଲେଖା ଲେଖି ଛାଡ଼ି ଦେଇଛି । ଆଉ ଖେଳ ବି । ଏବେ ମୋ ପାଖରେ ଏତେ ସମୟ ବଳକା ଯେ, ତୁମେ ସମୟ ମାଗିବା ବେଳେ ଦେଇ ପାରିନଥିଲି ତୁମକୁ । ନିଜ ଉପରେ ଭାରି ରାଗ ଆସୁଛି । ଯାହା ମନମାନି କରୁଥିଲି ସବୁ ମନେ ପଡ଼ି ଭାରି ଦୁଃଖ ଲାଗୁଛି । ସବୁ ତ ସହଜରେ ଭୋଳା ମହେଶ୍ୱର ଭଳି ଗ୍ରହଣ କରି ନେଉଥିଲ । ହସ ହସ ମୁହଁରେ ତୁମର ଅଫିସ ଫେରନ୍ତା ସମୟକୁ ଅପେକ୍ଷା କରିଥାଏ ମୁଁ ବାଲକୋନୀ ରେ । ତୁମେ କେବେ ଫେର ସିନେମା ଟିକେଟ ଧରି ତ ପୁଣି କେବେ ଫେର ଗରମ୍ ଗରମ୍ ପୋକଡା ଧରି, ଆଉ କେବେ ବି ଫୁଲର ଗଜରା ବଢାଇ ଦିଅ । ଲୁଚାଇ ଲୁଚାଇ ଉପହାର ଆଣ ଦାମୀ ଶାଢ଼ୀ ଓ ଗହଣା । କୁହ ଏମିତି ଦେବାର ମଜା ବି ଅଲଗା । ସାଙ୍ଗରେ ଗଲେ ଜାଣିଦେବ ଆଗରୁ । ଅବଶ୍ୟ ସେଇ ଗୁଡ଼ା ଖାସ୍ ଦିନ ପାଇଁ । କିଛି ଜନ୍ମଦିନ ବା ମେରେଜ୍ ଆନିଭରସାରି ଥିଲେ । କେତେ ବାହାରେ ଖାଉଥିଲେ ବୁଲୁଥିଲେ ପାର୍କରେ, ସବୁ ମନେ ପଡୁଛି ଗୋଟି ଗୋଟି । ରାତି ପାହିବା ପାହିବା ହେଉଛି । ଆଖି ପତା ଭାରି ଲାଗିଲାଣି ।

ଆଜି ଥାଉ ଏତିକି..., କାଲି ପୁଣି ପୃଷ୍ଠା ଲେଉଟାଇବି ଶୁଭ । ଶୁଣିବ ଉପରେ ଥାଇ । ଦେଖିବ ମିନୁ ତୁମର କେତେ ମନେରଖେ ସବୁ କଥା ଟିକିନିଖି । ଉପରକୁ ଖାମ ଖିଆଲି ଲାଗେ ସିନା ପ୍ରକୃତରେ ନୁହେଁ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ