ମେଘ ମହ୍ଲାର ମୁଁ
ଫେରିଯା ମୌସୁମୀ ତୁ ତୋ ବାଟେ
ଜୀବନ ନଉକା
ଲାଗିଛି ଯେଉଁଠି
ସୁଖ ନାହିଁ ଖାଲି ଦୁଃଖ ସେ ଘାଟେ
ଲୋଡାନାହିଁ ତୋର
ଶୀତଳ ପରଶ
ନିତି ନିଦାଘରେ ଜଳୁଛି ଦେହ
ସମୟ ଧୂଳିରେ
ଧୂସର ଜୀବନ
ତୋଫା ଦିଶିବାକୁ ନାହିଁ ମୋ ମୋହ
ତୁ ଆସିଲେ ଆସେ
ବରଷା ତୋ ସାଥେ
ଭିଜାଏ ସିନା ସେ ସେଇ ଘଡିକ
ଲୁହ କିନ୍ତୁ ମୋର
ଚିରଦିନ ସାଥି
ତା' ସାଥେ ଭିଜେ ମୁଁ ବରଷ ଯାକ
ଅଧୁରା ସପନ
ନିଅଣ୍ଟିଆ ନିଶି
କିଣାବିକା ବାକି ସଂସାର ହାଟେ
ଜୀବନ ନଉକା
ଲାଗିଛି ଯେଉଁଠି
ସୁଖ ନାହିଁ ଖାଲି ଦୁଃଖ ସେ ଘାଟେ
ଚାତକ ନୁହେଁ ମୁଁ
ଅସରା ମେଘକୁ
ଚାହିଁବି କାହିଁକି ଏତେ ସରାଗେ
ସବୁଜ ସୁଷମା
ସପନ ମୋ ପାଇଁ
ରଙ୍ଗହୀନ ମୋତେ ଜୀବନ ଲାଗେ
ଅମା ଅନ୍ଧକାର
ସହୋଦର ମୋର
ବିଜୁଳି ଚମକ ଅଲୋଡା ଏଠି
ସୁଖ ଦରଜାରେ
ତାଲା ପଡିଅଛି
ଖୁସି ମୋ ଆଡକୁ କରିଛି ପିଠି
କଣ୍ଟକିତ ପଥେ
ପଥିକ ଟିଏ ମୁଁ
ଭାଗ୍ୟ ଭାବି ଭବୁ ଦୁଃଖ ସାଉଁଟେ
ଗାଇପାରିବିନି
ମେଘ ମହ୍ଲାର ମୁଁ
ଫେରିଯା ମୌସୁମୀ ତୁ ତୋ ବାଟେ
ବାଘମାରୀ, ଖୋରଧା