ଜଳଦାନ ମହାପୁଣ୍ୟ - ବିନୋଦିନୀ ଦାଶ

0
ତପନ ତାତିରେ ଗ୍ରୀଷମ ଝାଞ୍ଜିରେ
ଜଳଦାନ ମହାପୁଣ୍ୟ
ପଥପ୍ରାନ୍ତ ଧାରେ ଜଳଛତ୍ର ମେଲେ
ସେଥିପାଇଁ ପୁଣ୍ୟବାନ ।

ତୃଷାରେ ତୃଷିତ ହୋଇ ଅସ୍ତବ୍ୟସ୍ତ
ପିଇଦେଲେ ଦୁଇ ଢୋକ
ଆତ୍ମା ହୁଏ ତୃପ୍ତି ମିଳଇ ପ୍ରଶାନ୍ତି
ଲିଭିଯାଏ ତୃଷା ଦୁଃଖ ।

ଆଶିଷର ଝର ଝାରାଇ ଅନ୍ତର
ତୁଣ୍ଡରେ ବୋଲି ପ୍ରଶଂସା
ଦାନୀ ଜନଟିର ମନାସି ମଙ୍ଗଳ
ଚାଲିଯାଏ ନିଜ ଦିଶା ।

କରୁଣାଦ୍ର ଚିତ୍ତ ହୁଏ ବ୍ୟାକୁଳିତ
ପଶୁପକ୍ଷ୍ୟାଦିଙ୍କ ପାଇଁ
ଭରି ଜଳପାତ୍ର କରିଥାଏ ତୃପ୍ତ
ଯେଣୁ ଚେତନଟେ ସେହି ।

ପ୍ରକୃତିର ମିତ୍ର ସାଜନ୍ତି କେତେକ
ବୃକ୍ଷେ କରି ଜଳଦାନ
ବଞ୍ଚାଇ ତାହାଙ୍କୁ ଗ୍ରୀଷମ ତାପରୁ
ଲଭନ୍ତି ବି ମହାପୁଣ୍ୟ ।

ବିନୋଦିନୀ ଦାଶ

କୁରୁଆଁ, ମୁଗପାଳ, ଯାଜପୁର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ