ହସ - ରମେଶ ଚନ୍ଦ୍ର ମିଶ୍ର

0

ହସର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନିରୂପଣ କରିବା ସାଧ୍ୟାତୀତ । କାରଣ ହସ ସ୍ଵର୍ଗରୁ ନରକ ପର୍ଯ୍ୟନ୍ତ ବିସ୍ତୃତ । ଆନନ୍ଦର ହସରୁ ଆରମ୍ଭ ହୋଇ କ୍ରୋଧର ହସ ପର୍ଯ୍ୟନ୍ତ ଏହାର ସୀମା । ଦୁଃଖରେ ବି ହସ ଥାଏ । ଦାନ୍ତ ଦେଖା ହସଠାରୁ ଦାନ୍ତ ନ ଦେଖାଇ ହସ, ଶବ୍ଦଯୁକ୍ତ ହସଠାରୁ ଶବ୍ଦହୀନ ହସ, ଏମିତି ବିଭାଗୀକରଣ କଲେ କେତେ ପ୍ରକାର ଯେ ହସ ହେବ, ତା'ର ଇୟତ୍ତା ନାହିଁ । ଏଇ ଯେମିତି- ପ୍ରାଣଖୋଲା ହସ, ମନଖୋଲା ହସ, ମୁରୁକି ହସ,  ମୁଚୁକୁନ୍ଦିଆ ହସ, ଖିଲି ଖିଲି ହସ, ଖଳଖଳିଆ ହସ, ମାଙ୍କଡିଆ ହସ, ଲେଫେଡା ହସ, ଭାଡୁଆ ହସ, କାଢୁଆ ହସ, ଭକୁଆ ହସ, ବ୍ୟଙ୍ଗ ହସ, ତେରଛା ହସ(ବଙ୍କିମ),  ଉପୁଡଙ୍ଗରିଆ ହସ ବା ଉପଷ୍ଟମିଆ ହସ, ଫିସ୍ ଫିସ୍ ହସ, ଉପରଠାଉରିଆ ହସ, ନଖରାମି ହସ, ପୈଶାଚିକ ହସ ଇତ୍ୟାଦି ।   

ହସ ମନକୁ ଯେମିତି ଆନନ୍ଦରେ ଜୁଆରିଆ କରେ, ଦୁଃଖରେ ବି ସେମିତି ଦିଗହରା କରେ । ବେଳେ ବେଳେ ଏଇ ହସ ମନ ଭିତରେ ଭିତରେ କତୁରି ବା ଛୁରୀ ଚଳେଇଦିଏ । ହସ ମନ ଭିତରେ ଥିବା କ୍ରୋଧର ଗ୍ରନ୍ଥିକୁ ଉତ୍ତେଜିତ କରିଦିଏ । ହସ ଶାନ୍ତିର ନିଦ ଦିଏ, ଆଖିରୁ ନିଦ ବି ଚୋରେଇ ନିଏ । ହସ ମନକୁ ହାଲୁକା କରେ, ଓଜନିଆଁ ବି କରେ, ଆନନ୍ଦ ଦିଏ, ଦୁଃଖ ବି ଦିଏ, ହସ ମନରେ ବେଳେବେଳେ ଫୁଲ ଫୁଟେଇଦିଏ, ପୁଣି ନିଆଁ ବି ଲଗେଇଦିଏ । ଏତେ ଏତେ ଗୁଣ ଯୋଉ ହସ ପାଖରେ ରହିଛି, ତା'ର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ନିରୂପଣ କେମିତି ବା କରାଯାଇ ପାରିବ । ହଁ, ଏହା ହିଁ ହୋଇପାରେ ଯେ ହସ ଏକ ପ୍ରକ୍ରିୟା, ଯାହା ମାନସିକ ପ୍ରତିକ୍ରିୟା ସୃଷ୍ଟି କରିବାର କ୍ଷମତା ରଖେ । ମନକୁ ହର୍ଷ ବା ବିଷାଦରେ ବୁଡାଇଦିଏ । ମୋଟା ମୋଟି ଉପରେ ଆମେ ହସକୁ ଦୁଇଭାଗରେ ବିଭକ୍ତ କରିପାରିବା । ମନଖୋଲା ହସ, ଯାହା ନିଜର ମନକୁ ଶାନ୍ତି ଦେବା ସହିତ ଅନ୍ୟର ମନରେ ମଧ୍ୟ ଆନନ୍ଦ ସୃଷ୍ଟି କରେ । ଏହା ସକାରାତ୍ମକ ପ୍ରତିକ୍ରିୟା (positive reaction) । ଅନ୍ୟଟି ହେଉଛି ମତଲବି ହସ, ଏହା ଅନ୍ୟର ମନରେ ନକାରାତ୍ମକ ପ୍ରତିକ୍ରିୟା(negative reaction) ସୃଷ୍ଟି କରେ । ଦୁଃଖ, ଅବସାଦ, ମାନସିକ ଆଘାତ, କ୍ରୋଧ, ଅଭିମାନ, ଈର୍ଷା ଆଦି ଏହି ଶ୍ରେଣୀଭୁକ୍ତ ।

ମୁହଁରେ ହସ ଥିଲେ ମୁହଁ ସୁନ୍ଦର ଦିଶେ । ହୃଦୟକୁ ଜୟ କରିବାର କ୍ଷମତା ଥାଏ ଏ ହସର । ଏଇ ହସ ପରକୁ ଆପଣାର କରେ ନିମିଷକରେ । ଅନ୍ୟର ପ୍ରାଣରେ ଶାନ୍ତିର ପ୍ରଲେପ ବୋଳିଦିଏ । ଅସାଧ୍ୟ କାର୍ଯ୍ୟ ଅନାୟାସରେ ସାଧ୍ୟ କରିଦିଏ । ହସ ଡାହାଣ ଖରା ଭଳି ଅନ୍ୟର ମନ ଅଗଣାରେ ଖେଳିଯାଏ ଓ ଅନ୍ତର ମନରେ ଫୁଲ ଫୁଟାଇଦିଏ । ଏହାର ବିପରୀତ ପ୍ରତିକ୍ରିୟା ମଧ୍ୟ ବଡ ଉତ୍କଟ । ଏହି ହସ ଡକାୟତରୁ ଋଷି କରିପାରେ, ଏଥିରୁ ଡକାୟତି କରିପାରେ, ଏହି ହସ ମଧ୍ୟ ଧ୍ଵଂସଯଜ୍ଞର ଆୟୋଜନ କରିପାରେ । ରାଜସୂୟ ଯଜ୍ଞରେ ଘରର ତଳ ଚଟାଣକୁ ପାଣି ମନେକରି ପାଦ ପକାଇଲାବେଳେ ଦୁର୍ଯ୍ଯୋଧନ ତଳେ ପଡିଯିବା ଫଳରେ ଦ୍ରୌପଦୀ ହସିଥିଲେ । ତାଙ୍କର ଏଇ ହସ ତାଙ୍କୁ କୁରୁ ରାଜସଭାକୁ ଟାଣିନେଇଥିଲା ।  ଯୋଗମାୟାର ହସ ମହାରାଜ କଂସକୁ ସୁଖରେ ଶୁଆଇ ଦେଇନଥିଲା । ପ୍ରାଣରେ ତାର ଜୀବନପ୍ରତି ମହାଭୟର ସଞ୍ଚାର ହୋଇଥିଲା । ବ୍ରହ୍ମା ଓ ନାରଦଙ୍କର ବଙ୍କା ହସ ରତ୍ନାକରକୁ ଡକାୟତରୁ ମହାଋଷି କରିଦେଲା । ଏହି ମତଲବି ହସ ମଣିଷକୁ ତ ଦୁଃଖ ଦିଏ, ଏମିତି ବି ସାଂସାରିକ ଆଘାତ ସହି ପାରୁନଥିବା ଦୁର୍ବଳମନା ପଳାୟନପନ୍ଥୀ  ଲୋକ ଆତ୍ମହତ୍ୟା କରିବାକୁ ଆଗେଇଯାଏ ।

ଏବେ ଆସନ୍ତୁ,  ବିଭିନ୍ନ ପ୍ରକାର ହସଗୁଡିକୁ ଆମେ ପର୍ଯ୍ୟାୟ ଭୁକ୍ତ କରିବା । ପ୍ରଥମରୁ ଆମେ ଆଲୋଚନା କରିଛନ୍ତି ସକାରାତ୍ମକ ହସ ଓ ନକାରାତ୍ମକ ହସ । ସକାରାତ୍ମକ ହସ ପର୍ଯ୍ୟାୟରେ ପ୍ରାଣଖୋଲା ହସ, ମନଖୋଲା ହସ, ଖଳଖଳିଆ ହସ, ଖିଲି ଖିଲି ହସ ଆଦିକୁ ନେଇ ପାରିବା । ବାକି ଅନ୍ୟସବୁ ନକାରାତ୍ମକ ହସ ପର୍ଯ୍ୟାୟରେ ଯିବ । ମୁଚୁକୁନ୍ଦିଆ ହସ କୃତ୍ରିମ ହୋଇଥିବାବେଳେ, ମୁରୁକି ହସ ଓ ତେରେଛା ହସ ଭିତରେ କିଛି ଗୋପନୀୟ ତତ୍ତ୍ଵ ଲୁଚିରହିଥାଏ । ମୁଚୁକୁନ୍ଦିଆ ହସ ବେଶୀ ଦେଖାଯାଏ ଫଟାରସିକମାନଙ୍କ ପାଖରେ । ହସ ହିଁ  ସେମାନଙ୍କର ସମ୍ପର୍କର ବିଜ୍ଞାପନ ହୋଇଥାଏ । ମୁରୁକି ହସ ଛାଏଁ ଛାଏଁ ଠେକୁଆ ବୁଦାମୂଳୁ ଡେଇଁ ପଳେଇଲା ପରି ଓଠପାଙ୍କରୁ ଡିଆଁମାରି ବାହାରକୁ ପଳେଇଆସେ । ଇଚ୍ଛା ଥାଉ ବା ନଥାଉ  । ହଠାତ୍ କାହାସହ ଦେଖା ହୋଇଗଲେ ଟାୟାରରେ କଣ୍ଟ।ଫୋଡି ହୋଇଗଲେ ପବନ ବାହାରି ଆସିଲା ପରି ଏଇ ମୁରିକି ହସ ଓଠସନ୍ଧିରୁ ବାହାରିଆସେ । ଏହା ସାଧାରଣ ସୌଜନ୍ୟ ପର୍ଯ୍ୟାୟଭୁକ୍ତ । ତେରେଛା ହସର ଅନ୍ୟନାମ ବଙ୍କିମ ହସ । ଏଇ ହସରେ ଓସ୍ତାଦ୍ ଶ୍ରୀକୃଷ୍ଣ । ତାଙ୍କରି ଏଇ ବଙ୍କା ହସ ଭିତରେ ଲୁଚିରହିଥାଏ ଅନେକ କଥା । ଶ୍ରୀକୃଷ୍ଣଙ୍କ ମୁହଁରେ ସବୁବେଳେ ସବୁ କଥାରେ ବଙ୍କା ସ୍ମିତ ହସର ବା ମୁରୁକି ହସର ଛୋଟ ରେଖାଟିଏ ଦେଖାଯାଏ । ଏହା ଇଙ୍ଗିତଧର୍ମୀ । ସୃଷ୍ଟିରେ ଘଟୁଥିବା ଘଟଣାର ଅସଲ ଉଦ୍ଦେଶ୍ୟକୁ ବୁଝି ନପାରି ପ୍ରାଣୀ କିପରି ମାୟାରେ ପଡି ଛଟପଟ ହେଉଛି, ଇଙ୍ଗିତର ଅର୍ଥ ହିଁ ଏଇଆ ଥାଏ । ଏଭଳି ହସ ହସି ପାରନ୍ତି ଇନ୍ଦ୍ରିୟ ସବୁକୁ ନିଜ ନିୟନ୍ତ୍ରଣରେ ରଖିପାରିଥିବା ମହାଯୋଗୀମାନେ ।କାରଣ ସେମାନେ ସୃଷ୍ଟିର ରହସ୍ୟ ଭେଦ କରିପାରିଥାନ୍ତି । ମାଙ୍କଡ଼ିଆ ହସ ଓ ନଖରାମି ହସ ହେଉଛି ସବୁଠାରୁ ଶସ୍ତା ହସ । ଏ ହସ ସାଧାରଣତଃ ପିଲାମାନଙ୍କର । ଏ ହସରେ ଶବ୍ଦ ଅପେକ୍ଷା ଦାନ୍ତ ବେଶି ଦିଶେ । ରାସ୍ତାରେ ଯାଉ ଯାଉ କିଏ ଝୁଣ୍ଟି ପଡିଲେ, କାମଟିଏ କରୁ କରୁ କିଏ ବିଫଳ ହୋଇଗଲେ, ଶ୍ରେଣୀରେ ଜଣେ ଭୁଲ୍ ଉତ୍ତର ଦେଇଦେଲେ, ଏକାଠି ବସିଥିବା ସାଙ୍ଗମାନଙ୍କ ଭିତରେ କିଏ ଅଧୋବାୟୁ ଛାଡିଦେଲେ କିଛି ସାଙ୍ଗ ହସିଦିଅନ୍ତି । ଏହା ମାଙ୍କଡ଼ିଆ ହସ ଶ୍ରେଣୀଭୁକ୍ତ ।ଅବଶ୍ୟ ଏଭଳି ହସ ମଧ୍ୟ କେତେକ ବୟସ୍କ ବ୍ୟକ୍ତିଙ୍କ ଓଠରେ ଶୋଭାପାଏ । ବୟସରେ ଅଧିକ ହେଲେ ମଧ୍ୟ ଏମାନଙ୍କର ବାଲ୍ୟ ଚପଳତା ରହିଛି ବୋଲି ଧରିନିଆଯାଏ । ଫିସ୍ ଫିସ୍ ହସ ଏହି ପର୍ଯ୍ୟାୟରେ ଗଣାଯାଏ । ଏହା ଅବଶ୍ୟ ଝିଅ, କିଶୋରୀ, ଯୁବତୀ ଓ କିଛି ବୟସ୍କା ମହିଳାମାନଙ୍କ ଓଠର ସୌନ୍ଦର୍ଯ୍ୟ ବୃଦ୍ଧି କରେ ।

ବୁଦ୍ଧିରେ ଯୋଉମାନେ ଟିକିଏ ତଳେ, ସେମାନଙ୍କର ଭୂଷଣ ହେଉଛି ଭକୁଆ ହସ । କଥାରେ ଅଛି, ଭକୁଆ ବା ବୋକାମାନେ ତିନିଥର ହସନ୍ତି । କଥା ଶୁଣୁ ଶୁଣୁ ହସନ୍ତି, ବୁଝିଲାପରେ ହସନ୍ତି ଓ ଶେଷକୁ କଥାର ଅର୍ଥକୁ ମନେ ପକାଇ ହସନ୍ତି । ନିଜକୁ ଚାଲାକ୍ ଭାବୁଥିବା ଲୋକମାନେ ଉପରଠାଉରିଆ ହସ ହସନ୍ତି । ଅନ୍ୟର ମନକୁ ଜୟ କରିବାକୁ ଚେଷ୍ଟା କରିବାର ଅପପ୍ରୟାସ କରନ୍ତି । ଉପୁଡଙ୍ଗରିଆ ହସ ବା ଉପଷ୍ଟମିଆ ହସ ହସନ୍ତି ଗର୍ବୀ ଲୋକମାନେ । ନିଜକୁ ଅନ୍ୟଠାରୁ ଶ୍ରେଷ୍ଠ ଭାବୁଥିବା ଲୋକମାନେ ଓଠର ହସରେ କିଛି ରଙ୍ଗ ବୋଳି ହସନ୍ତି । କଥାରେ କଥାରେ ଏଇ ଉପୁଡଙ୍ଗରିଆ ହସ ବା ଉପଷ୍ଟମିଆ ହସ ହସି ନିଜର ଆତ୍ମବଡିମା ପ୍ରକାଶ କରନ୍ତି । ସେମାନଙ୍କ ବିଚାରରେ ସାଧାରଣ ଲୋକଠାରୁ ଟିକିଏ ଅଲଗା ଓ ସ୍ଵତନ୍ତ୍ର ହେଲେ ସିନା ସେମାନଙ୍କ ବଡଲୋକୀପଣିଆ ସିଦ୍ଧ ହେବ । କିନ୍ତୁ ସେମାନଙ୍କର ଏଇ ହସ ସାଧାରଣ ଲୋକଙ୍କଠାରୁ ବ୍ୟବଧାନ ସୃଷ୍ଟି କରେ । କାଢୁଆ ହସ ତ ହସନ୍ତି ସେଇମାନେ, ଯୋଉମାନେ ମନ ଭିତରେ କିଛି ଗୂଢ ଉଦ୍ଦେଶ୍ୟ ରଖି ଅନ୍ୟ ପାଇଁ କାର୍ଯ୍ୟ କରନ୍ତି ଓ କାର୍ଯ୍ୟରେ ସଫଳତା ପାଅନ୍ତି । ସେଇ କଥା ବୟାନ କଲାବେଳେ ସେମାନେ ଛାତିକୁ, ନିଶକୁ ଅଧିକ ଫୁଲାଇ ହୋ ହୋ ହସ ଭିତରେ ନିଜର ଦକ୍ଷତା ପ୍ରମାଣିତ କରନ୍ତି ।

ଅଲାଜୁକିଆ ଶ୍ରେଣୀର ଲୋକଙ୍କର ମୁଖର ଅଳଙ୍କାର ହେଉଛି ଲେଫେଡା ହସ, ଭାଡୁଆ ହସ । ଅଲାଜୁକିଆ ମାନେ ଅପମାନ ପାଇବାପରେ ବି ଯେଉଁ ହସ ହସନ୍ତି, ତାକୁ ଲେଫଡିଆ ହସ କୁହାଯାଏ । ଦୋକାନୀକୁ ବାକି ମାଗିବା ବେଳେ, ନିଜ ଭୁଲ୍ କାମ ସର୍ବ ସାଧାରଣରେ ଧରାପଡିଯିବା ପରେ ଭୁଲର ଅନୁଶୋଚନା ଅପେକ୍ଷା ଏମାନଙ୍କ ମୁହଁରେ ହସଟା ବେଶି ଫୁଟି ଦିଶେ । ଆହା, ବିଚରା ! ଫଳରେ ଏଇ ହସ ହିଁ ସେମାନଙ୍କ ଦଣ୍ଡକୁ ଅଧିକ କଠୋର କରିଦିଏ । ପୈଶାଚିକ ହସ ଓ ବ୍ୟଙ୍ଗ ହସରେ କଲିଜା ଫାଡି ହୋଇଯାଏ । ଅନ୍ୟର କ୍ଷତିରେ ଆନନ୍ଦ ପାଉଥିବା ମଣିଷରୂପୀ ରାକ୍ଷସମାନେ ଏଇ ହସକୁ ଆପଣେଇ ଥାନ୍ତି । ଏମାନେ ନିରୋଳାରେ ହସନ୍ତି, ବହୁତ । ଏଇ ଯେମିତି ଶକୁନୀ । ତା'ର ହସରେ ଥାଏ କ୍ରୁରତା ।ପ୍ରତିଶୋଧର ପ୍ରତ୍ୟେକଟି ଯୋଜନା ସଫଳତା ଆଡକୁ ଯାଉଛି, ସେଥିପାଇଁ ପରିତୃପ୍ତିର ହସ । ଆଉ ଏକ ହସ ଦେଖାଯାଏ ପାଗଳମାନଙ୍କ ମୁହଁରେ । ପ୍ରତି ନିମିଷରେ ପାଗଳର ଭାବ ବଦଳୁଥାଏ । ହସୁ ହସୁ କାନ୍ଦୁଥାଏ ତ ପୁଣି କାନ୍ଦୁ କାନ୍ଦୁ ହସୁଥାଏ । ଏ ହସକୁ କୌଣସି ପର୍ଯ୍ୟାୟଭୁକ୍ତ କରିବା ଦୁଷ୍କର । ଏ ହସର ଏକ ଅନ୍ତର୍ଭେଦୀ ଶକ୍ତି ରହିଥାଏ । କେବଳ ସମ୍ବେଦନଶୀଳ ମନୋବୈଜ୍ଞାନିକମାନେ ଏ ହସର ତାତ୍ପର୍ଯ୍ୟ ବୁଝିପାରିଥାନ୍ତି ।

ଏବେ ଆସନ୍ତୁ ବିଚାର କରିବା ଯୁବତୀ ମୁହଁର ହସ ସମ୍ପର୍କରେ । ଫୁଲ ଧରିଥିବା ସୋରିଷ ଆଟରେ ପବନର ଦୋଳିଖେଳ ଭଳି ଯୁବତୀର ହସ । ଦର୍ଶକ ଯେମିତି ମୁଗ୍ଧ  ହୋଇଯାଏ ସୋରିଷ ଆଟରେ ପବନର ଦୋଳିଖେଳ ଦେଖି, ଠିକ୍ ସେମିତି କେବଳ ତରୁଣମାନେ କାହିଁକି, ଆଚ୍ଛା ଆଚ୍ଛା ମୁନିଋଷିମାନେ ମଧ୍ୟ ଏ ହସରେ ନିଜକୁ ଭୁଲିଯାନ୍ତି । ବିଶ୍ଵାମିତ୍ର ମେନକାର ଏଇ ହସରେ ଘୋର ତପସ୍ୟା ଛାଡି ପ୍ରେମରେ ମାତିଗଲେ, ଜନ୍ମ ନେଲେ ଶକୁନ୍ତଳା । ଏମିତି ଅନେକ ଉଦାହରଣ ଆମେ ଖାଲି ପୁରାଣ କାହିଁକି, ଆମ ନିତିଦିନିଆ ସମାଜରେ ଦେଖିଥାଉ । ଯୁବତୀର ହସ ସବୁଠାରୁ ଶକ୍ତିଶାଳୀ । ପରିବାରରେ, ପରିଚିତ ପରିସରରେ ଏଇ ହସ ସମ୍ପର୍କର ସେତୁ ପାଲଟୁଥିବାବେଳେ ଅପରିଚିତଙ୍କ ନିକଟରେ ଏହା ଯେତେବଡ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ଚୁଟ୍କିରେ ହାସଲ କରିଦେଇଥାଏ । ସେଥିପାଇଁତ ଗୁପ୍ତଚର ବୃତ୍ତିରେ ନିଯୁକ୍ତ ହୁଅନ୍ତି ସୁନ୍ଦରୀ ଯୁବତୀମାନେ । ନିଜର ଯାଦୁକରୀ ହସରେ ଶତ୍ରୁପକ୍ଷର ସୈନ୍ୟକୁ ବିମୋହିତ କରି କାର୍ଯ୍ୟ ହାସଲ କରନ୍ତି  । ଉଡାଜାହାଜରେ ପରିଚାରିକା ଭାବରେ ନିଯୁକ୍ତି ପାଆନ୍ତି ସୁନ୍ଦରୀ ତରୁଣୀମାନେ । ଏହି ମୋହିନୀ ହସରେ ଦୁର୍ବଳ ସଜାଇ ମା ମହାମାୟା ଦୁର୍ଗା ରୂପରେ ନିଧନ କରିଥିଲେ ଅପରାଜେୟ ଅତ୍ୟାଚାରୀ ମହିଁଷାସୁରକୁ ।

ଛୋଟ ଶିଶୁର ହସହିଁ ହେଉଛି ମୌଳିକ । ଏଇ ହସରେ କୌଣସି ଖାଦ ନଥାଏ । ବୁଢିମାନେ କହନ୍ତି, ଶିଶୁକୁ ଷଠୀମାଆ ହସାଉଛି । ପୁରାଣରେ ଲେଖାହୋଇଛି, ଶ୍ରୀକୃଷ୍ଣ ଗୋପରେ ବଢିବା ସମୟରେ ଏଇ ବାଳୁତ ହସକୁ ଦେଖିବାପାଇଁ ସ୍ଵର୍ଗରୁ ସବୁ ଦେବତାମାନେ ଗୋପକୁ ଆସିଥିଲେ । ନିଜେ ମହାଯୋଗୀ ଶିବ ଶଙ୍କର ତ ଆସି ଯଶୋଦା ମାଆଙ୍କ ପାଖରେ କେତେ ନେହୁରା ହୋଇଥିଲେ । ଛୋଟ ଶିଶୁ ମୁହଁରେ ଏଇ ହସକୁ ଦେଖିବାପାଇଁ ପରିବାରର ଲୋକମାନେ ଚାହିଁ ରହିଁଥାନ୍ତି ।

ଭଗବାନ ଯେତେବେଳେ ମଣିଷକୁ ସୃଷ୍ଟିକଲେ, ସେତେବେଳେ ଏଇ ଅମୂଲ୍ୟ ପଦାର୍ଥଟିକୁ ମଣିଷଙ୍କୁ ଦେଲେ । ଏଇ ହସରେ ତାକୁ ପୃଥିବୀ ଜୟ କରିବାର କୌଶଳ ଶିଖାଇଲେ । ହସର ଅମୃତ ବାଣ୍ଟି ପରକୁ ଆପଣାର କରିବାର ବିଦ୍ୟା ମଧ୍ୟ ବତାଇଲେ । କିଛି ତ ମାନିଲେ, ମାତ୍ର ନିଜକୁ ଅଧିକ ଚାଲାକ୍ ଭାବୁଥିବା ମଣିଷମାନେ ଏଇ ହସକୁ ନେଇ ବେପାର କଲେ । ସୃଷ୍ଟିକୁ ସୁନ୍ଦର କରିବା ପାଇଁ ସୃଷ୍ଟି ହୋଇଥିବା ଏଇ ହସ ପ୍ରପଞ୍ଚଙ୍କ ହାତରେ ଏକ ଅସ୍ତ୍ର ପାଲଟିଗଲା । ଯେମିତି ବିଦ୍ୟୁତ ହେଉଛି ଆମକୁ ଆଲୋକ ଦେବାପାଇଁ ଓ ଏହି ଶକ୍ତି ବଳରେ କଳ କାରଖାନା ଚାଲେ, ମାତ୍ର ବିଦ୍ୟୁତ ତାର ଛୁଇଁ ଲୋକେ ଯେ ଆତ୍ମହତ୍ୟା କରିବେ, ଏ କଥା କ'ଣ ସେଦିନ ବିଦ୍ୟୁତ ଶକ୍ତି ଉଦ୍ଭାବନ କରିଥିବା ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଭାବିଥିଲେ ? ରେଳଗାଡି ତିଆରି ହୋଇଛି ଗମନା ଗମନ ପାଇଁ । ତା' ଧାରଣାରେ ବେକ ଦେଖାଇବା ପାଇଁ ନୁହେଁ ।

ହସ ସ୍ଵାସ୍ଥ୍ୟବର୍ଦ୍ଧକ । ମୌଳିକ ହସ ଆୟୁବର୍ଦ୍ଧକ ।ଏହା ପ୍ରାଣ ଶକ୍ତିକୁ ତେଜିଆନ୍ କରେ । ହୃଦଯନ୍ତ୍ର ରୋଗ ଉପଶମ ପାଇଁ ପ୍ରାଣଖୋଲା ହସ ଔଷଧଠାରୁ ବଳି । ସେଥିପାଇଁ ଅଧୁନା ଦେଶ ବିଦେଶରେ ହସ କ୍ଲବମାନ ଗଢିଉଠିଲାଣି । କାବ୍ୟ କବିତା, ନାଟକ, ଚଳଚ୍ଚିତ୍ର ଆଦି ମନୋରଞ୍ଜନ କ୍ଷେତ୍ରରେ, ସେ ଶ୍ରାବ୍ୟ ହେଉ ବା ଦୃଶ୍ୟ ହେଉ, ନବରସ ମଧ୍ୟରୁ ହାସ୍ୟରସକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଏ । ପିଲାମାନେ ହସିବା ପାଇଁ ଆମେ ସେମାନଙ୍କୁ ଚାଣ୍ଡଉ । ସେଥିପାଇଁ ପିଲାମାନଙ୍କ ସହିତ ଖେଳୁ । ତା' ହାତ ପାପୁଲିରୁ ଟୁଉକୁ ମୂଷିକୁ (ଆମ ଆଙ୍ଗୁଠି) ଆଙ୍ଗୁଠି ଦେଖେଇ ନାନା ଦରବ ଦେଉ, ସେଥିରେ ପୁଣି ତା ମନସାଧ ମେଣ୍ଟେନି ଯେ ହାଣ୍ଡିଶାଳକୁ (କାଖ ସନ୍ଧିକୁ) ପୂରେଇ ହାଣ୍ଡି ଧଡ ଧଡ କରିଥାଉ । (ଯଥା-ଟୁଉକୁ ମୂଷିରେ ଟୁଉକୁ ମୂଷି,ଧାନ ଭରଣକ ଖାଉଥା' ବସି, ତୁ ଥା' ମୁଁ ଯାଉଛି ରୁଷି । ଏଇଟି ଖାଇଲା ଲଡୁ, ଏଇଟି ଖାଇଲା ରସଗୋଲା, ଏଇଟି ଖାଇଲା ବରା,ଏଇଟି ଖାଇଲା ସିଙ୍ଗଡା,ଏଇଟି ଖାଇଲା ଗଜା । କାଳିଆ ବଳଦକୁ କେହି କିଛି  ଦେଲେନି, ସେ ରାତି ଅନ୍ଧାରରେ ଗଲା..ଗଲା..ଗଲା..ଗଲା, ଅନ୍ଧାରରେ ହାଣ୍ଡିଶାଳେ ପଶି ହାଣ୍ଡି ଧୁଡୁଧୁଡୁ..ହାଣ୍ଡି ଧୁଡୁଧୁଡୁ, ହାଣ୍ଡି ଧୁଡୁଧୁଡୁ  କଲା ।) ହସଦ୍ଵାରା ତ୍ରିପୁରର ସମସ୍ତେ ବଶୀଭୂତ ହୁଅନ୍ତି ।

ହସ ଉପରେ ପୃଥିବୀର ଅନେକ ବଡ ବଡ ଖ୍ୟାତନାମା ଲେଖକ ଓ ଦାର୍ଶନିକ ନିଜ ନିଜର ଅନୁକୂଳ ବିଚାର ରଖିଛନ୍ତି । ସେଗୁଡିକ ମଧ୍ୟରୁ ଦୁଇ ତିନୋଟି ଏଠାରେ ଉପସ୍ଥାପିତ କରୁଛି । 

"Always laugh when you can. It is cheap medicine." — Lord Byron

"A good laugh is sunshine in the house." — William Thackeray

"Humanity has unquestionably one really effective weapon—laughter. Power, money, persuasion, supplication, persecution—these can lift at a colossal humbug—push it a little—weaken it a little, century by century, but only laughter can blow it to rags and atoms at a blast. Against the assault of laughter nothing can stand." — Mark Twain

ଜୀବନ ଜୀଇଁବା ପାଇଁ ହସ ବା ଆନନ୍ଦ ମୁଖ୍ୟ ଉପାଦାନ ହୋଇଥିବା ବେଳେ ଏଥିରେ କିଛିଟା ଲକ୍ଷ୍ମଣ ରେଖା ମଧ୍ୟ ରହିଛି । ପୁରୁଷମାନଙ୍କୁ ଘୋଡାଭଳି ହସିବାକୁ ବାରଣ କରାଯାଏ । ଏମିତି ହସିଲେ ଏକରେ ମୁହଁ ତ ଅସୁନ୍ଦର ଦିଶେ, ଅନ୍ୟମାନେ ହାଲୁକା ଲୋକ ଓ ଅଭଦ୍ର ବୋଲି ଧରିନିଅନ୍ତି । ସଂସ୍କାରୀ ପରିବାରରେ ନାରୀମାନଙ୍କ ପାଇଁ ଏ ହସରେ ଏକ ସୀମାରେଖା ଦିଆଯାଇଛି ।କଥା କଥାକେ ନହସିବାକୁ ବାରଣ କରି ଘରେ ବୁଢିମାନେ କହନ୍ତି, - ଝିଅଲୋ, ବେଶି ହସିବୁନି, ବେଶି ବାଛିବୁନି, ବାଛି ବାଛି ହେଇଯିବୁ ବାଛନ୍ଦ ।ସବୁଠି ସଂଭ୍ରମଶୀଳ ହସ ହିଁ ପ୍ରଶଂସା ପାଇଥାଏ ।

ହସ ଏକ ଦିବ୍ୟ ଭାବ । ବୟସ ବଢିବା ପରେ ମଧ୍ୟ ଏହାକୁ ଯୌଗିକ ନକରି ଆସନ୍ତୁ, ସର୍ବଦା ମୌଳିକ ରଖିବାକୁ ଚେଷ୍ଟା କରିବା । ଯେମିତିକି ଲୋକେ କହିବେ - ତା ମୁହଁରେ ହସର ମୂଲ୍ୟ ଲକ୍ଷେଟଙ୍କା ପରା, ଅବା କହିବେ- ସେ ହସିଦେଲେ ସତେକି ସୁନାଫୁଲ ଝଡିପଡୁଛି । ତେବେ ଆସନ୍ତୁ ନା, ସେମିତି ଦାମୀକା ହସଟେ ହସିବା !

ତାପସ କୁଟୀର, ବଇଣ୍ଡା, ଅନୁଗୋଳ 
ମୋ- ୯୪୩୮୪୮୧୧୩୬ 

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ