
ନିଜେ ସ୍ୱୟଂ ପରଂବ୍ରହ୍ମ
ଏ ମର୍ତ୍ତ୍ୟ ଧାମରେ ଲୀଳା କରୁଅଛୁ
ରୂପ ତୋର ଦାରୁ ବ୍ରହ୍ମ ॥୧॥
ବଡ଼ ଦେଉଳରେ ଚତୁର୍ଦ୍ଧା ମୂରତି
ବିଜେ ରତ୍ନ ସିଂହାସନ
ଭାଇ ବଳଦେବ ଭଉଣୀ ସୁଭଦ୍ରା
ସୁଖରେ କାଟନ୍ତି ଦିନ ॥୨॥
ଜାତି ଧର୍ମ ବର୍ଣ୍ଣ ତୋର ପାଖେ ନାହିଁ
ସର୍ବ ଧର୍ମ ସମନ୍ୱୟ
ସମସ୍ତେ ତୁମକୁ ଶ୍ରଦ୍ଧାରେ ପୂଜନ୍ତି
ତୁହି ସଭିଙ୍କର ପ୍ରିୟ ॥୩॥
ଚକାଡୋଳିଆ ସେ କରୁଣା ସାଗର
ଉଡେ ନୀଳାଚଳେ ନେତ
ସଭିଙ୍କ ଗୁହାରୀ ଶୁଣେ ସେ କର୍ଣ୍ଣରେ
ସେତ ନ୍ୟାୟ ଧର୍ମ ସତ୍ୟ ॥୪॥
ପାପୀ ଙ୍କୁ ତାରନ୍ତି କରୁଣା ସ୍ରୋତରେ
ଦେଇ କୃପାବିନ୍ଦୁ ନୀର
ଅଧର୍ମକୁ ନାଶି ଧର୍ମର ସ୍ଥାପନା
ଯୁଗେ ଯୁଗେ ସେ ସତ୍ୟର ॥୫॥
ଭକତ ବତ୍ସଳ ଭାବଗ୍ରାହୀ ସିଏ
ଶୁଣେ ସବୁରିଙ୍କ ଦୁଃଖ
ତୋର ଦରଶନେ ଦୁଃଖ ଭୁଲି ଯାଏ
ତୁ ପରା ପ୍ରାଣୀର ସୁଖ ॥୬॥
ତୋ ନାମ ଧରିଲେ ପାପ ଦୂରେ ଯାଏ
ମିଳେ ପୂଣ୍ୟର ପସରା
ରୋଗ ଦୁଃଖ ଶୋକ କ୍ଷଣେ ଚାଲି ଯାଏ
ତୁ ପରା ଦୁଃଖ ପାଶୋରା ॥୭॥
ବରଷକୁ ଥରେ ବଡଦାଣ୍ଡେ ଦେଖୁ
ରଥଯାତ୍ରା ହୁଏ ତୋର
ଚଳନ୍ତି ରଥକୁ ଦରଶନ କଲେ
ମୁକ୍ତି ମିଳେ ଜୀବନର ॥୮॥
ମନ କଥା ତୁହି ବୁଝି ପାରୁ ବୋଲି
ହେଲୁ ତୁ ଶ୍ରେଷ୍ଠ ସଂସାରେ
କି ଗୁଣ ଗାଇବି ଅକୀଞ୍ଚନ ମୁହିଁ
ଦୟା ରଖି ଥିବୁ ବାରେ ॥୯॥
ନିର୍ମାଲ୍ୟ ତୋହର ନିର୍ବାଣର ମାର୍ଗ
ଦରଶନେ ମିଳେ ଶାନ୍ତି
ଏ ଭବ ସାଗରୁ ବିଦାୟର ବେଳେ
ପାଖେ ରହି ଦେବୁ ମୁକ୍ତି ॥୧୦॥
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର