ହଟ ଛାଡ଼ ହଟିଆ ଠାକୁର - ଘନଶ୍ୟାମ ସାହୁ

0

ହଟ ଛାଡ଼ ହଟିଆ ଠାକୁର
ହାଟ ମଝିରେ ଠିଆ ନକର ॥୦॥
ହଟହଟା ନ କର ଆଉ
ଅସମ୍ଭାଳ ହେଲାଣି ଦାଉ
ହାରିଗଲେ ଏହି ଜୀବନ ହାଟରେ
ହେବ ସିନା ନିନ୍ଦା ହେ ଚକ୍ରଧର ॥୧॥
ହତାଶ ହୋଇଲି ମୁଁ ଡାକି
ନ ଶୁଣ ତିଳେ ଚକାଆଖି
ହେବ ବୋଲି ସାହା ମିଛେ ଆଶ୍ରା କଲି
ହଇରାଣ ହେବା ହୋଇଲା ସାର ॥୨॥
ହିସାବ କରୁଛ କି ଆଉ
ପାପ ପୁଣ୍ୟର ମହାବାହୁ
ହେତୁ ପାଇଲା ଠୁ ଶୁଣି ଆସିଛି ମୁଁ
ହରି ନାମ ଗାନେ ପାତକ ଦୂର ॥୩॥
ହରି ହରି ଭଜି ଏ ଜୀବ
ଭବ ସିନ୍ଧୁ ପାରି ହୋଇବ
ହାତ ବଢ଼େଇବ କୋଳେ ଟାଣି ନେବ
ହେବ ସତେ ଆଶା ପୂରଣ ମୋର ! ॥୪॥

Post a Comment

0Comments
Post a Comment (0)