ଅନୁରାଗ ଉପାୟନ - ଡଃ ମହେନ୍ଦ୍ର ପ୍ରସାଦ ଦାସ

0
ଶୁଆଇ ଦେଲାନି ପ୍ରଭାତର ଘଣ୍ଟି
ଘରଣୀ ବଜାଇ ଦେଲେ
ଉଠ ଉଠ ମଠ କରନାହିଁ ଆଉ
ଆଦିତ୍ୟ ପୂର୍ବେ ଉଇଁଲେ
ଶଯ୍ୟା ତ୍ୟାଗ ନକରିଲେ
ଶାରୀରିକ ଭାବେ ଅବସ ଲାଗିବ
ଅଳସ ପଣ ହୋଇଲେ ।।

ଜୀବନ ଜଞ୍ଜାଳ ବଡ ଶିକ୍ଷାଳୟ
ଠାରୁ ନାହିଁ କିଛି ବଡ
ଉତରା ଚଢାରେ ସମୟ ତାଳରେ
ଭାଙ୍ଗିଯାଏ ସବୁ ତୋଡ
କେତେବେଳେ ହୁଅ ବଡ
କିବେଳରେ ପୁଣି ସର୍ବସ୍ଵ ହରାଇ
ହେଉଥିବା ଲଡବଡ ।।

ଜୀବନ ଜଞ୍ଜାଳ କରମ ପଥରେ
ବହୁ କଷ୍ଟ ହେଉଥିଲେ
ସେହି କଷ୍ଟ ଦିଏ ଅନେକ ସୁଖକୁ
କଠୋରତା ସହିଗଲେ
ସଂସାର ପରୀକ୍ଷା ବଳି
ଅତିତରେ ସ୍ମୃତି ଚମତ୍କାର ଦେଖି
ସୁଖେ ଦୁଃଖେ ଯାଅ ଚଳି ।।

କାଳକ୍ରମ ଅଟେ ଏମିତି ଗୁରୁଜୀ
ଆସୁଥାଏ ଯାଉଥାଏ
ଯିବା ଆସିବାର ତିର୍ଯ୍ୟକ ମୋଡରେ
ବହୁତ କିଛି ଶିଖାଏ
ତହିଁ ନଶିଖେ ଯିଏ
ଜୀବନ ଯାକର ଆଖିର ଲୁହକୁ
ଚିବୁକ ତାହାର ପିଏ ।।

ଆମ ସ୍ଵାଭିମାନ ଆମର ଆନନ୍ଦ
ଦୁଃଖେ ଅବା ସୁଖେ ଥାଅ
ଅନ୍ୟାୟ ପଥରେ ଆସୁଥିବା ଧନ
କେବେ ସେ ଆମର ନୁହଁ
ଶେଷେ ଦେଇଥାଏ କୋହ
ସତକର୍ମରେ ଧନ ଦିଅଇ ଆନନ୍ଦ
ଶାନ୍ତି ବାସେ ମହମହ ।।

ଡଃ ମହେନ୍ଦ୍ର ପ୍ରସାଦ ଦାସ (ଦୂର୍ବାଦଳ)

ବୈପାରିଗୁଡା, କୋରାପୁଟ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ