ମହାପ୍ରଭୁ !
ଦେଖାଇ ହେବା ତୁମ ଗୁଣ ।
ସ୍ନାନ କରୁଥିଲ ନିତ୍ୟ ମନ୍ଦିର ଭିତରେ
ମଣ୍ଡପରେ କିଆଁ ଗୋଟିଏ ଦିନ ?
ଦେଖାଇ ହେବା ଗୁଣ ନୁହଁ କି ?
ମର୍ତ୍ତ୍ୟ ପୁରେ ଥିଲେ ଜ୍ୱର ବ୍ୟାଧି ଆସେ
ପଥିରେ ସଭିଏଁ ରହନ୍ତି ।
ସୁସ୍ଥ ହେବା ପରେ ନୂଆ ଜାମା ପିନ୍ଧି
ବୁଲିବାକୁ କିଏ ଯାଉଛି ??
ଦେଖାଇ ହେବା ଗୁଣ ନୁହଁ କି ?
ସାଧାରଣ ଯାନ ସବୁଠି ରହିଛି
ଗମନାଗମନ ପାଇଁ ।
ଉଚ୍ଚା ରଥପରେ ଭିଡ଼େ କିଏ ଯାଏ ?
ଭକତଙ୍କ ନାମ ନେଇ ?
ଘଣ୍ଟକୁ ବାଡେଇ ଗହଳି ବଢ଼ାଇ
ଲୋକ ଦେଖାଣିଆ ନୁହଁ କି ?
ଦେଖାଇ ହେବ ଗୁଣ ନୁହଁ କି ??
ଆଡ଼ପ ମଣ୍ଡପେ ବେଶ ଭଳି ଭଳି
ନଅ ଦିନେ କିଏ ଫେରେକି ?
ଅଜବ ସଉକି ରଖିଛ ହେ ପ୍ରଭୁ
ସୁନା ବେଶ ଦାଣ୍ଡେ ପଡିକି ।
ଦେଖାଇ ହେବା ଗୁଣ ନୁହଁ କି ?
ସବୁ ବର୍ଷ ଯାତ୍ରା କରୁଛ ହେ ସାଇଁ
ବୁଝେ କି ଜଗତ ମରମ ?
ସଂହତି ଏକତା ମମତା ସାଧୁତା
ବଞ୍ଚାଇବା ବଡ଼ ଧରମ ।
ଓଡ଼ିଆ ଜାତିର ବିଶ୍ୱ ବାରତା
ବିତରିବା ଗୁଣ ରଖିକି
ଏହା କ'ଣ ଦେଖାଇହେବା ଗୁଣ କି ?
ବାହୁଡା ବେଳରେ ସାଆନ୍ତାଣୀ ଡାକି
ଦାଣ୍ତ ମଝିଟାରେ ଓଃ ! କି କଳି
ନୀଳାଦ୍ରି ବିଜେରେ ମନ୍ଦିର ବେଢାରେ
ମନ ଧର କର ଧରି ।
ସବୁ ଲୀଳା ପ୍ରଭୁ ଜଗତର ପାଇଁ
ଅଜବ ଏ ଜୀବ ବୁଝେ କି ?
ଜମା ଦେଖାଇବା ଗୁଣ ନୁହଁ ଟି ?
ଚିକିଟୀ ଗଡ଼, ଗଞ୍ଜାମ
ଦୂରଭାଷ - ୮୨୪୯୪୮୬୪୫୫