ଜୀବନଟା ଅସମ୍ପୂର୍ଣ୍ଣ,
ଦୁଃଖ ସାଥେ ସିନା ସୁଖ ଥିଲେ ମିଶି
ଜାଣିହୁଏ ସୁଖ କଣ ॥
ଅନ୍ଧାର ଆଲୁଅ ମିଶି କରିଥିଲେ
ଜଣାପଡେ ତା ମହିମା,
ସମୟ ସହିତ ଜାଣିହୁଏ ସବୁ
କାହାର ଅସ୍ତିତ୍ତ୍ଵ ସୀମା ॥
ଦିନ ଥାଇ ଯେବେ ରାତି ଆସନ୍ତାନି
ଜାଣି କି ହୁଅନ୍ତା କିଛି,
ମଣିଷ ପାଇଁକି ଦିନ ରାତି ଲୋଡା
ସବୁତ ବିଧାନ ଅଛି ॥
ଅମାବାସ୍ୟା ପାଇଁ ଜୋଛନା ଆଲୁଅ
ରାଜ କରିପାରେ ଆସି,
ତା'ର ବିନା କଣ ଦେଖାନ୍ତା ତା ରୂପ,
ଦୁନିଆ ଭିତରେ ପଶି ॥
ପ୍ରଭୁଙ୍କ ସର୍ଜ୍ଜନା ସବୁ ଅନୁପମ
ସବୁର ମହତ୍ତ୍ଵ ଅଛି,
ଦୁନିଆର ଯେତେ ଚିରନ୍ତନ ରୀତି
ଜଣା ପଡ଼ନ୍ତାନି କିଛି ॥
ଋତୁ ଆସି ଋତୁ ବଦଳି ଯାଏ ବି
ଚାଲିଥାଏ ସୁଖ ଦୁଃଖ,
କେହି ରହେନାହିଁ ବେଶି ଦିନପାଇଁ
ବୁଲୁଛି ଚକର ଅଖ ॥
ଧନୀ ଆଉ ମାନୀ, ଗରିବ ଭିକାରୀ
ଯିବେ ତ ମଶାଣି ଦିନେ,
ତେବେ କାହାପାଇଁ କନ୍ଦଳ ଲାଗୁଛି
ଚେତନା ଜାଗୁନି ମନେ ॥