ବିରହ ଝାଞ୍ଜି - ଚିତ୍ରା ରାଣୀ ପାତ୍ର

0

ବିରହ ଝାଞ୍ଜିରେ ଜଳି ଯାଉଥିଲା
ମୋ ଦେହ ମନ,
ଦିନେ ବୋଳୁଥିଲି ଫଗୁଣେ ମଳୟ
ବାସ ଚନ୍ଦନ ॥
ଉଜୁଡ଼ା କିଆରୀ ପରି ଲାଗୁଥିଲା
ସର୍ବାଙ୍ଗ ମୋର,
ଝାଉଁଳା ମୁହଁରୁ ଝରି ପଡୁଥିଲା
ସ୍ଵେଦର ଧାର ॥
ଦେଖୁ ନଥିଲି ମୁଁ ସୁନେଲି ସପନ
ଆଉ ଦିନରେ,
ଚାନ୍ଦିନୀ ରାତିବି ଅମାବାସ୍ୟା ପରି
ଲାଗେ ସତରେ ॥
ଭାବିଦେଲେ ଏବେ ପଛ କଥାଗୁଡା
ଲାଜରେ ମରେ,
ଚାହେଁନା ପାଇବା ପ୍ରତାରଣା ଭରା
ପ୍ରେମକୁ ଡରେ ॥
ଚାହିଁ ନଥିଲି ମୁଁ କୋଠା ବାଡ଼ି ଗାଡି
ଉଆସ ଘର,
ଟିକିଏ ସ୍ନେହରେ ଗଣ୍ଠି ଦେଉଥିଲି
କରି ଆଦର ॥
ପୋଡି ଯାଉ ମନ ଜଳିଯାଉ ଦେହ
ଚିତା ବି ଜଳେ,
କାହିଁକି ହେଜି ବି ସେ ପଛ କଥାକୁ
ମରମ ତଳେ ॥

ବାଲେଶ୍ଵର, ଓଡିଶା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ