କ୍ଷୁଦ୍ରଗଳ୍ପ - ଭିଡ - ଗଗନ ବିହାରୀ ନାୟକ

0

ବ୍ୟସ୍ତ ବହୁଳ ସହର । ଲୋକମାନଙ୍କର ଯାତାୟାତ ଗାଡ଼ି ଧୂଆଁ ଭିତରେ ଅଣନିଶ୍ୱସୀ ସହରବାସୀ । ତା'ଉପରେ ଡିଜେ ବଜେଇ ଶବ୍ଦ ପ୍ରଦୂଷଣ ଯେତିକି, ବାଣ ଫୁଟାଇ ବାୟୁ ପ୍ରଦୂଷଣ ମଧ୍ୟ ସେତିକି, କିଏ ଟିକିଏ ବୁଝନ୍ତି ନାହିଁ । ସମସ୍ତେ ନିଜ ନିଜ ଗୁଣ ଗାରୀମାରେ ଅଟଳ । ବେଶୀ ବାଣ ଫୁଟାଇ କି ଉଚ୍ଚ ଶବ୍ଦରେ ପ୍ରକମ୍ପିତ ବାଦ୍ୟ ଯନ୍ତ୍ର ବଜେଇ, ନିଜ ପ୍ରତିପତ୍ତି ଦେଖେଇ ହେବା ଲୋକେ ଯେ, କେତେ ସ୍ୱେଚ୍ଛେଚାରୀ ତାହା ଅନୁମେୟ । ଆମେ ଶିକ୍ଷିତ ଓ ସଭ୍ୟ ହେଇ ନିଜ ପରିବେଷ୍ଟନୀର କେତେ ଉପକାରୀ ବନ୍ଧୁ ତା'ର ଉତ୍ତର ଆମେ ନିଜେ । ତେଣୁ ନିଜେ ନିଜକୁ ସଚେତନ ରହିବାକୁ ସଭ୍ୟ ସମାଜ କୁହାଯିବ ସିନା ନଚେତ୍ ଆମେ ସତରେ କଣ ସଭ୍ୟ ବୋଲି ଦାବିଦାର ହେଇ ପାରିବା ?

ଏମିତି ଗୁଡ଼ିଏ ଯୁକ୍ତିକୁ ନେଇ ହିସାବ ନିକାସ ମନେ ମନେ କରୁଥିଲେ ବିକାଶ ବାବୁ । ପତ୍ନୀ ଚା ' କପେ ଧରେଇ ଦେଇ ଯାଉ ଯାଉ ପଚାରି ଦେଲେ - ଆଜି ତୁମର ଫେରିବା ଏତେ ଡେରି ହେଲା ଯେ ? ବିକାଶ ସଫେଇ ଦେଇ କହିଲେ, ଏଇ ଦେଖୁନ ଲୋକେ ଚାରି ଚକିଆ ଯାନ ଏତେ କିଣିଛନ୍ତି ଯେ, ସେ ଦୁଇ ଚକିଆ ବାହନ ପାଇଁ ଟିକିଏ ରାସ୍ତା ନଦେଇ, ବାମ ପଟ ଭୁଲ ରାସ୍ତାରେ ପାର୍କିଂ କରି ଦେଇଥାନ୍ତି । ସେଇ ମୁଣ୍ଡ ବିନ୍ଧାର କାରଣ । ତା'ପରେ ଆଜି କାଲି କୋଉ ମାଲିକମାନେ ଗାଡ଼ି ଚଲାଉ ନାହାନ୍ତି । ସବୁ ଚାକିରିଆ ଡ଼୍ରାଇଭର ରଖିଛନ୍ତି । ଆଉ ସେଇ ଡ଼୍ରାଇଭର ମାନେ ମାଲିକ ଗାଡ଼ି ଧରି ଏମିତି ଚଲାନ୍ତି ଯେ, ସେମାନେ ଟ୍ରାଫିକ ଛକ ମାନଙ୍କରେ ବାମ ପଟେ ଯିବାକୁ ଦେଇଥିବା ନୀଳ ତୀର ଚିହ୍ନକୁ ଦେଖିକି ବି ସମ୍ପୂର୍ଣ ଜାମ କରି ଦିଅନ୍ତି । ଦୁଇ ଚକିଆ ଯିବା ମୁସ୍କିଲ । କହିଲେ ଦୋଷ.. ଉଚ୍ଚ ଶବ୍ଦର ହର୍ଣ୍ଣ ମାରିଲେ ବି ଭୁଲ । ସେମାନେ ନିଜ ଭୁଲ ଜାଣି ସୁଦ୍ଧା ଅସଭ୍ୟ ଭାଷାରେ ଓଲଟି କହିବେ । ପତ୍ନୀ ସରଳା କହିଲେ - କାଇଁ ତମେ କିଛି କହିଲ ନାହିଁ କି ?

- କଣ କହିବି, ଆଜିକାଲି ଡ଼୍ରାଇଭର କଣ ସଞ୍ଜତରେ ଥାଆନ୍ତି । କହିଲେ ପରା ଅଶ୍ଳୀଳ ଭାଷା ଶୁଣିବାକୁ ହେବ ।

ଏମିତି କଥା ହେଉ ହେଉ ପହଞ୍ଚିଲେ ବିକାଶ ବାବୁଙ୍କ ଶଳା ସଞ୍ଜୟ । ସରଳା ଦେବୀ ଭାଇଙ୍କୁ ଦେଖି, କିଛି ଖାଇବା ଆଣୁଥିବା ଦେଖି, ବିକାଶ କହିଲେ - ଦି'ଦି  ଥାଉ । ମୁଁ ମେଡ଼ିକାଲରୁ ସିଧା ଏଠିକି ଆସିଚି । ହାତ ଗୋଡ ଧୋଇନି । ଆଶ୍ଚର୍ଯ୍ୟ ହୋଇ କଥା କଣ ପଚାରିଲେ ବିକାଶ ବାବୁ ଓ ପତ୍ନୀ ସରଳା ଦେବୀ !! ସଞ୍ଜୟ କହୁଥିଲେ - ହଠାତ୍ ଆମ ପଡୋଶୀ ସାଙ୍ଗ ଆଜି ଅସୁସ୍ଥ ହେଇ ପଡ଼ିଲା ।

- ସେ କିଏ ? ପଚାରିଲେ ସ୍ଵାମୀ ସ୍ତ୍ରୀ ଦୁହେଁ ?
- ଶରତ କୁ ତୁମେ ଚିହ୍ନିନ, ଯିଏ ଟ୍ରାଭେଲ ଗାଡ଼ି ଚଲାଏ । ସେଇ ଗାଡ଼ିରେ ପରା ତୁମେ କେତେ ଥର ତୀର୍ଥ ସ୍ଥାନ ଯାଇଛ ।
- ଆରେ ହଁ, ସେ, ସେମିତି ବି ଗାଡ଼ିଟା ଟ୍ରାଫିକ ବାମ ପାଖ ମୋଡରେ ଗାଡ଼ି ଜାମ କରି ରଖିବା ଦେଖି ତା' ଗାଡ଼ିରେ ଯିବା ଆସିବା ବନ୍ଦ କଲି ।  
- ସେଇ, ନିଜେ ଆଜି ତା' ଦେହ ଭୀଷଣ ଅସୁସ୍ଥ ହେଲା । ମେଡିକାଲ ନେଇ ଯାଉଥିଲୁ ଭିଡ ଭିତରେ ଆମ୍ବୁଲାନ୍ସ ଏମିତି ଫସିଗଲା ଯେ, ବାହାରିବା ମୁସ୍କିଲ ହେଇଗଲା । ଦୁଇ ତିନି ଜାଗା ଟ୍ରାଫିକ କ୍ଲିଅର୍ ହେଲା ବେଳକୁ ମେଡିକାଲ ପହଞ୍ଚିବା ଡେରି ହୋଇ ଯାଇଥିଲା । ତଥାପି ଡାକ୍ତରଙ୍କୁ କହି ଆଇସିୟୁ ରେ ରଖିଦେଇ ଆସିଛୁ ।

ବିକାଶ ଓ ତାଙ୍କ ପତ୍ନୀ ଦୁହେଁ ଦୁହିଁଙ୍କୁ ଚାହିଁ ଭାବୁଥିଲେ - ଶରତ ନିଜେ ଯଦି ଟ୍ରାଫିକ ନିୟମ ମାନେନି, ତା' ବେଳକୁ କେମିତି ଟ୍ରାଫିକ କ୍ଲିଅର ରହିବ ବୋଲି ଆମେ ଭାବିବା । ଏମିତି ଭିଡ ଧୂଆଁ ଭିତରେ ଅନେକ ଜୀବନ ହଜିଯାଏ ଅକ୍ଲେଶରେ...। ନିଜେ ଯଦି ଅନୁଶାସିତ ଓ ଶୃଙ୍ଖଳିତ ତେବେ ଅନୁଶାସନ ସୁଫଳ ନିଶ୍ଚିତ ମିଳିବ । ହାତରେ ଧରିଥିବା ଚା କପ୍ ଟି କ୍ରମଶଃ ଥଣ୍ଡା ହେଇ ଆସୁଥିଲା... ।

ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ