ଅଣସର ନୀତି ଲାଗି
କଳାକାହ୍ନୁ କଳା କରୁଛି ବାଉଳା
ମନ ଝୁରଇ ତା'ଲାଗି ॥୧॥
କିମ୍ପାଇଁ ବିଡୁଛ ଭକ୍ତ ମୁହିଁ ମ୍ଳେଚ୍ଛ
ନଜାଣେ ଯତନ କରି
ଖୋଜଇ ଶ୍ରୀମୁଖ ଆନନ୍ଦ ମୟୂଖ
ଦେଖି ହେବି ଭବୁ ପାରି ॥୨॥
ବିଶ୍ଵମ୍ବରା କୋଳେ କିଏ ହେବ ହେଳେ
ତୁମ ପରି ଜଗବନ୍ଧୁ
ତୁମେ କି ଏକାକୀ ରହି ପାରିବ କି
ନଟବର କୃପାସିନ୍ଧୁ ॥୩॥
ଶିଖଣ୍ଡଚୂଳିଆ ଭକତ ମେଳିଆ
ହଟିଆ ଠାକୁର ତୁମେ
ଗହଳ ଚହଳ ବିନା ନୀଳାଚଳ
ଭଲ କି ଲାଗଇ ତୁମେ ॥୪॥
ତୁମ ଦରଶନ ଲାଗି ଏଇ ଦୀନ
ଚାହେଁ ବସି ନିରବଧି
କିବା ଅପରାଧ ଲାଗି କଲ କ୍ରୋଧ
ନିରମ୍ବୁ କ୍ଷମାବାରିଧି ॥୫॥
ରସାତଳଦେବେ ଯେଉଁ ବନ୍ଧୁ ଭାବେ
ରହିଲେ ତୁମ ସେବାରେ
ସେ ସେବା ଅପୂର୍ବ ଦିଅ ହେ ମାଧବ
ପଦପୀୟୂଷଘଟିରେ ॥୬॥
ମନ ମଧୁଲିଟ ତୁମରି ନିକଟ
ଉଡ଼ିଯାଏ ଖୋଲି ପକ୍ଷ
ଆହେ ରଙ୍ଗାଧର ତା'ରେ କୃପା କର
ହେଉ ହେ ସାଯୁଜ୍ୟମୋକ୍ଷ ॥୭॥
ଛତ୍ରଗଡ, ବାଲୁଗାଁ, ଖୋରଧା
ଦୂରଭାଷ - ୯୯୩୭୩୦୦୪୧୨