ଅଣସରଘର ବନାମ ଏକାନ୍ତ ବାସ - କଳ୍ପନା ରାଉତ

0

ସ୍ନାନ ପୂର୍ଣ୍ଣିମାରେ ଶହେ ଆଠ ଗରା
ସୁନାକୂଅର ଜଳରେ,
ସ୍ନାନ କରିଥାନ୍ତି ଚତୁର୍ଦ୍ଧାମୂରତୀ 
ବରଷକେ ମାତ୍ର ଥରେ ॥୧॥

ସେଦିନ ଭକ୍ତଙ୍କୁ ଗଜାନନ ବେଶେ 
ଦର୍ଶନ ଦିଅନ୍ତି ହରି,
ଧନ୍ୟ ହୋଇଯାଏ ଭକତ ପରାଣ 
ପ୍ରଭୁଙ୍କୁ ଦର୍ଶନ କରି ॥୨॥

ରତ୍ନସିଂହାସନେ ନଫେରି ଶ୍ରୀଜୀଉ 
ଅଣସରରେ ରୁହନ୍ତି,
ପନ୍ଦରଦିନ ସେ ଏକାନ୍ତ ବାସରେ 
ସ୍ଵତନ୍ତ୍ର ପୂଜା ପାଆନ୍ତି ॥୩॥

ଅଣସର ଘରେ ଅହରହ ଏକ
ଦୀପଟିଏ ଜଳୁଥାଏ, 
ଦଇତା ସେବକ କରିଥାନ୍ତି ସେବା
ଛୁଆଁ ଅଛୁଆଁ ନଥାଏ ॥୪॥

ମହାଅଣସର ପଇଁଚାଳିଶ ଦିନ
ବାରବର୍ଷେ ପଡେ ଥରେ,
ନବକଳେବର ପୂର୍ବରୁ ପାଳିତ 
ହୁଅଇ ଶିରୀକ୍ଷେତ୍ରରେ ॥୫॥

ଓଡ଼ିଆ ଜାତିର ଆରାଧ୍ୟ  ଦେବତା
ଜଗନ୍ନାଥ ମହାପ୍ରଭୁ,
ପୁରୁଷ ଉତ୍ତମ ପ୍ରଭୁ ଜଗନ୍ନାଥ 
ମାନବୀୟ ଲୀଳା ଯୋଗୁଁ ॥୬॥

ଯେପରି ମାନବ ଜନମ, ଯନ୍ତ୍ରଣା 
ରୋଗ, ଶୋକେ ବିବନ୍ଧିତ,
ସମଦଶା ଭୋଗ କରନ୍ତି ସେ ଯେଣୁ
ମାନବ ରୂପେ କଳ୍ପିତ ॥୭॥

ସ୍ନାହାନ ଜନିତ ଜ୍ଵର ଲାଗି ଜୀଉ
ଅଣସର ଘରେ ରହି,
ଏକାନ୍ତେ ବିଶ୍ରାମ କରନ୍ତି ଯେଉଁଠି
କୋଳାହଳ ଶୁଭେ ନାହିଁ ॥୮॥

ପ୍ରଭୁଙ୍କର ଜ୍ଵର କାଳୀନ ସେବାରେ
ନିଯୋଗ ଦଇତାପତି,
ଫଳମୂଳ ପଣା ପାଣି ମହୌଷଧି 
ଚେରମୂଳି ଦେଇଥାନ୍ତି ॥୯॥

ଚତୁଃର୍ଭୁଜ ନାରାୟଣ ପଟ୍ଟି ଦିଅଁ
ଜଗନ୍ନାଥଙ୍କ ପ୍ରତୀକ, 
ବଳଭଦ୍ରଙ୍କର ଚିହ୍ନ ବାସୁଦେବ
ଭୁବନେଶ୍ଵରୀ ସୁଭଦ୍ରାଙ୍କ ॥୧୦॥

ପଟି ଦେବତାଙ୍କ ପୂଜା କରାଯାଏ 
ପ୍ରଭୁଙ୍କ ଅବର୍ତ୍ତମାନେ, 
ଭକତ ନିଜକୁ ଭାଗ୍ୟବାନ ମଣେ 
ପଟି ଦିଅଁଙ୍କ ଦର୍ଶନେ ॥୧୧॥

ଅଣସର ଘରେ ପ୍ରଥମ ଦିନରେ
ହୁଅଇ କରାଳ କର୍ମ,
ଦ୍ଵିତୀୟେ ଫୁଲ୍ଲୋରୀ ତେଲ ଲାଗି ସେବା
ତୃତୀୟେ ପଟି ବନ୍ଧନ ॥୧୨॥

ଚତୁର୍ଥେ ମସୃଣ ଲେପନ ପଞ୍ଚମେ 
ଚକା ବିଜେ ନୀତି ହୁଏ, 
ଷଷ୍ଠରେ ଚନ୍ଦନ ଲାଗି ସପ୍ତମରେ
ଓଷ ଲାଗି ହୋଇଥାଏ ॥୧୩॥

ଅଷ୍ଟମରେ ଅଣସର ତ୍ରୟୋଦଶୀ 
ଘଣାଲାଗି ପାଦ ପୂଜା, 
ଚତୁର୍ଦ୍ଦଶୀରେ ବନକ ଲାଗି ତାହା
ପରେ ଉଭା ଅମାବାସ୍ୟା ॥୧୪॥ 

ଏହି ଦିନେ ନବ ଯୌବନ ଦର୍ଶନ 
ତା'ପରେ ଯେ ନେତ୍ରୋତ୍ସବ, 
ତହିଁ ପରଦିନ ଗୁଣ୍ଡିଚା ଯାତରା 
କରିଥାନ୍ତି ଜଗଦ୍ଦେବ ॥୧୫॥

ଏକାଦଶୀ ଦିନ ରାଘବ ଦାସର
ମଠୁ ଷାଢେ ସାତ ଶେର,
ଚନ୍ଦନ ଆସିଣ ଲାଗି ହୋଇଥାଏ 
ଶରୀରେ ଶ୍ରୀଜୀଉଙ୍କର ॥୧୬॥

ଅଣସର ଅବା ରଥଯାତ୍ରା ତା'ଙ୍କ 
ଅଭିନବ କଳପନା
ମାୟାଧର ସିଏ ତାହାଙ୍କର ମାୟା 
କେବଳ ତାଙ୍କୁ ହିଁ ଜଣା ॥୧୭॥

ବ୍ରହ୍ମପୁରା, ବାଙ୍କୀ, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ