କ୍ଷୁଦ୍ରଗଳ୍ପ - ମାନସାଙ୍କ - ଅମିୟ ବେଜ

0

ନେପଥ୍ୟା ତାକୁ ଏମିତି ଗୁହାରି ଟିଏ କରିବ, ଯେଉଁଥିରେ ସିଏ ନା ହଁ କରିପାରିବ ନା ମନାକରିବା ସମ୍ଭବ ହେଉଥିବ । ଏଇ ଝିଅଟିକୁ ବର୍ଷକ ଭିତରେ ଯେତିକି ବୁଝିଲାଣି ସମ୍ଭବା, ତାର ସାରାଂଶ ହେଲା, ନେପଥ୍ୟା ଥରୁଟେ ରୁଷି ଗଲେ, ତାକୁ ମନାଇବା ତୁରନ୍ତ ସହଜ ନୁହେଁ ।

ନେପଥ୍ୟା ର ପ୍ରେମିକଟିଏ ଅଛି । ଏକଥା ସମ୍ଭବା କୁ ସିଏ କହିଥିଲା । ସାଉଥ୍ ଇଣ୍ଡିଆନ୍ । ହାଇଦ୍ରାବାଦର ପିଲା । ଇଞ୍ଜିନିୟରିଂ ପଢା ସରିଛି ଓ ଚାକିରୀଟିଏ ମଧ୍ୟ କଲାଣି । ନେପଥ୍ୟା କୁହେ, ନିଜପାଇଁ ସେ ନିଜେ ପ୍ରେମିକ ଖୋଜିନଥିଲା । ଗୋଟେ ଚଳନ୍ତା ଗାଡିରୁ ତାକୁ ମିଳିଥିଲା । ସତେ ଯେମିତି ପ୍ରେମିକଟିଏ ଗୋଟେ ପଦାର୍ଥ ! ସମ୍ଭବା ସେତେବେଳ ଯାଏଁ ଅପଦାର୍ଥ ପ୍ରେମିକ ମାନଙ୍କ ଗପ ଖୁବ୍ ଏଠୁସେଠୁ ଶୁଣିଥିଲା । 

ଟ୍ରେନ ବଗି ଭିତରେ ଟୟଲେଟ୍ କିଏ ଆଗ ଯିବ, ତାକୁ ନେଇ ଦ୍ଵନ୍ଦ ଯେବେ ଉଠିଲା, ପିଲାଟା ହିଁ ନେପଥ୍ୟାକୁ ପ୍ରଥମେ ବାଟ ଛାଡିଦେଇଥିଲା । ସେଦିନ ତା'ର ଥାର୍ଡ ଡେ ପିରିୟଡ଼ । ତାକୁ ତୁରନ୍ତ ଚେଞ୍ଜ କରିବା ଜରୁରୀ ଥିଲା । 

ଟୟଲେଟରୁ ବାହାରି, ଅପେକ୍ଷାରେ ଥିବା ଭଦ୍ର ପିଲାଟିକୁ ନେପଥ୍ୟା ପ୍ରଥମେ ନୀରବ କୃତଜ୍ଞତା ଜଣାଇବାକୁ ଭୁଲିଲାନି । 

ଏଇପରି ଏକ ସାମାନ୍ୟ ଘଟଣାରୁ ଯେ ପ୍ରେମ ହୋଇଯିବ, ଏକଥାଟିକୁ ସମ୍ଭବା ଆଦୌ ବିଶ୍ୱାସ କଲାନି ଓ ନେପଥ୍ୟା କୁ କହିଲା -

- ଏମିତି ଘଟଣା ତ ମୋ'ସହ ବହୁଥର ଗାଡିରେ ଘଟିଛି । ଯେହେତୁ ଟ୍ରେନ୍ ଭିତରେ ଝିଅପିଲାଙ୍କ ପାଇଁ ସ୍ଵତନ୍ତ୍ର ଟୟଲେଟ୍ ବ୍ୟବସ୍ଥା ଏଯାବତ ହେଇନି, ତେଣୁ ତୁମକୁ ବାଟ ଛାଡିବାକୁ ଅବା ତୁମ ଅପେକ୍ଷାରେ ଥିବା ମଣିଷଟି, ପୁଅଟିଏ ହେବାରେ ଅସ୍ଵାଭାବିକତା କିଛି ନାହିଁ । 

କିନ୍ତୁ ପ୍ରେମ ? 

ପ୍ରେମ କେବେ ଘଟଣାରୁ ଘଟେନି । ପ୍ରେମ ପାଇଁ ଦୁର୍ଘଟଣାଟିଏ ଅପରିହାର୍ଯ୍ୟ । କହ ଟ୍ରେନ୍ ଭିତରେ ଆଉକଣ ଘଟିଥିଲା ଯାହା ତୋତେ ପ୍ରେମିକା ସଜାଇଦେଲା ?

- ସେଇତକ ତ ରହସ୍ୟ ଦିଦି । କଣ ଘଟୁଛି ବୁଝିବା ଆଗରୁ ମୋତେ ପ୍ରେମ ହୋଇସାରିଥିଲା । ମୁଁ ମୋ ପରିବାର ସହ ଥିଲି ଓ ପିଲାଟି ଏକୁଟିଆ ଯାତ୍ରା କରୁଥିଲା । ପୁଅପିଲାଙ୍କ ସବୁତକ ଗୁଣ ପସନ୍ଦଯୋଗ୍ୟ ହେବା ଜରୁରୀ ନଥାଏ ବରଂ କୌଣସି ଏକ ନିର୍ଦ୍ଧିଷ୍ଟ କାରଣଟିଏ ମଧ୍ୟ ଝିଅଟିଏକୁ ବିଗଳିତ କରିବାକୁ ଯଥେଷ୍ଟ ହୋଇପଡେ । ସିଏ ଆକର୍ଷିତ ହୁଏ ଓ ପ୍ରେମ ଭୋଗେ । 

ଏମିତିକି କାହାର ଟିକିଏ ସୌଜନ୍ୟତା, ସମବେଦନା, ଉଦାରତା, ସମ୍ମାନ ଅବା ଯତ୍ନ-ଦାୟିତ୍ଵ ଇତ୍ୟାଦି ।

- ନେପଥ୍ୟା, ଦୂର ପର୍ବତର ସବୁଜିମା, ଉଚ୍ଚ ଆକାଶର ଚନ୍ଦ୍ରମା, ଗଭୀର ସମୁଦ୍ରର ନିଳିମା ଯେମିତି ଅପହଞ୍ଚ, ତୋ ଏଇ ସାଉଥ୍ ଇଣ୍ଡିଆନ୍ ଲଭ୍ ଷ୍ଟୋରୀ ସେତିକ ବିଫଳ । ଏସବୁ ସିନେମାରେ ଭଲ । ଇନଫାଚ୍ୟୁଏସନ୍ ଓନଲ୍ଲି । ଏସବୁ ପ୍ରେମପରି ବୋଧ ହୁଏ । ଅଥଚ ତୁଚ୍ଛା ଭ୍ରମ । 

ଯେଉଁ ସମ୍ପର୍କ ଗଢିବାପାଇଁ ପର୍ଯ୍ୟାପ୍ତ ସମୟ ନେଇନଥାଏ, ସେ ସମ୍ପର୍କ ଭାଙ୍ଗିଯିବା ପାଇଁ ସମୟକୁ ଅପେକ୍ଷା କରେନି । ପ୍ରେମ ଏକ ସ୍ଥିର ଓ ସ୍ଥାୟୀ ବ୍ୟାପାର । ତାକୁ ଉପଲଵ୍ଧି କରିବାକୁ ଏକ ଚଳନ୍ତା ଗାଡିର ଦୀର୍ଘ ଯାତ୍ରା ପଥ ଯଥେଷ୍ଟ ନୁହେଁ । ପ୍ରେମ ବାସ୍ତବରେ ଘଟିଛି କି ନାହିଁ ତାକୁ ଜାଣିବାକୁ ବର୍ଷ ବର୍ଷର ସମୟ କେବେକେବେ କମ୍ ପଡିଯାଏ ।

ସମ୍ପର୍କ ଗଢିବା ସହଜ । ପ୍ରେମ ହେବା ତ ଏକ ପ୍ରକ୍ରିୟା । ପ୍ରେମ, ନିକଟରେ ଆଖପାଖରେ ହୁଏ । ଜଣାଶୁଣାରେ । ଆଖିର ପହଞ୍ଚଯାଏଁ । ଯେମିତି ପାଖ ଗଳିର ସେଇ ଲାଜୁଆ ପୁ , ଅବା ପଡିଶା ଘରକୁ ବାରବାର ଆସୁଥିବା ଭାଉଜଙ୍କ ସାନଭାଇ । କିନ୍ତୁ ଜଣେ ଯାତ୍ରାପଥର ହାଇଦ୍ରାଵାଦୀ ହିରୋ ! ସେ ତତକ୍ଷଣାତ୍ ବନ୍ଧୁଟିଏ ହୋଇପାରେ କେବଳ । ପ୍ରେମିକ ହୁଅନ୍ତା ବା କାହିଁକି ? ଏଇ ଧାରଣା ତୋତେ ଅନିଦ୍ରାରୋଗରେ ଆକ୍ରାନ୍ତ କରିପାରେ ଅବଶ୍ୟ । 

ଧାରଣା ବଦଳା ନେପଥ୍ୟା । ଧାରଣା ବଦଳା...

ନେପଥ୍ୟା ବୟସରେ ସାନ ସମ୍ଭବା ଠୁଁ । ସିଏ ହସେ । ଆଖି ବଡ଼ କରେ । ପାଖକୁ ଘୁଞ୍ଚିଆସେ । ସମ୍ଭବା ଗାଲରୁ ଚୁମାଖାଏ । ଆଉ କୁହେ - 

- ନଟ୍ ପସିବଲ୍ ଦିଦି । ପ୍ରେମରେ ପଡି ସାରି , ପୁଣି ସେଠୁ ପଛକୁ ଫେରିବା ଅସମ୍ଭବ । ସିଏ ମୋ ପ୍ରେମିକ । ଆଉ ମୁଁ ତା'ର । ବାସ୍ । ନିରନ୍ତର ପ୍ରେମ , ନିସ୍ବାର୍ଥ ପ୍ରେମ , ନିର୍ବିକାର ପ୍ରେମ ଆଦିଙ୍କୁ ବୁଝି , ଜୀବନ ସ୍ରୋତ ରେ ସାମିଲ କରାଇବାକୁ ଏଇ ନିରୀହ ଜୀବନଟି ଯଥେଷ୍ଟ ନୁହେଁ । ପୁନର୍ଜନ୍ମ ପାଇଁ ସେସବୁ ଥାଉ । ପୁଣି ବନ୍ଧୁ ହେବାପାଇଁ ଯାହାକିଛି ବାଧ୍ୟ ଯୋଗ୍ୟତା , ପ୍ରେମିକଟିଏ ପାଖରେ ସେସବୁ ଆସିବ କୁଆଡୁ ଦିଦି ? 

ନେପଥ୍ୟା ର ଅଣଲେଉଟା ପ୍ରେମ ସେଯାଏଁ ଠିକ୍ ଠାକ୍ ଥିଲା । ରୁମ୍ ମେଟ୍ ହିସାବରେ ସମ୍ଭବା ତାକୁ ସମ୍ଭାଳୁଥିଲା । କିନ୍ତୁ ସିଏ ଯେ ଏମିତି ଗୋଟେ ଆଗ୍ରହ କରିବସିବ ଆଉ ତାକୁ ନିବେଦନ କରିବ ଏକଥା ବିବ୍ରତ କରାଇଲା ସମ୍ଭବା କୁ ବେଶି ।

- ଶ୍ରୀନିବାସ ଭୁବନେଶ୍ୱର ଆସୁଛି । ଖାସ୍ ମୋତେ ଦେଖା କରିବାକୁ । ଦି, ସିଏ ଏଇଠି ରହିବ । ଆମ ରୁମ୍ ରେ । ମନା କରିବନି ।

ଅନୁରୋଧ ନୁହେଁ, ନେପଥ୍ୟା ଯେମିତି ତାକୁ ହକ୍ ମାଗୁଥିଲା । ପିଜି ଲାଷ୍ଟ ଇୟର୍ ସମ୍ଭବା ର । ଫାଇନାଲ୍ ଇୟର୍ ଗ୍ରାଜୁଏସନରେ ନେପଥ୍ୟା । ନଗରର ଏକ ସ୍ଵୟଂଶାସିତ ବିଶ୍ଵବିଦ୍ୟାଳୟରେ ଦୁହେଁ ସିନିୟର ଓ ଜୁନିୟର । ଦୁହିଁଙ୍କୁ ହଷ୍ଟେଲ ସୁହାଏନି । ସମ୍ଭବା ପ୍ରଥମେ ଭଡା ନେଇଥିଲା ୱାନ୍ ବିଏଚ୍ କେ । ନେପଥ୍ୟା ର ଭାଇ, ସମ୍ଭବା ର ବଡ଼ ଭାଇଙ୍କୁ ଜାଣନ୍ତି ପୂର୍ବରୁ । 

ଭାଇ କହିଲେ - ଏକୁଟିଆ ରହନି । ରୁମ୍ ସେୟାର୍ କରିନେ । ଏ ଝିଅଟି ଚିହ୍ନା । ସୁବିଧା ଅସୁବିଧାରେ ପରସ୍ପର ସହାୟ ହେବ ।

ଶ୍ରୀନିବାସ । ନେପଥ୍ୟାର ତଥାକଥିତ ପ୍ରେମିକ, କୌଣସି ଏକ ହୋଟେଲରେ ରହିପାରନ୍ତା ରାତିରେ । ପୁଣି ସକାଳୁ ଉଠି ସଞ୍ଜଯାଏଁ ତା ପାଗେଳି ପ୍ରେମିକା ନେପଥ୍ୟାକୁ ଧରି ସାରା ସହରକୁ ଖେଦି ପକାନ୍ତା । ଥକି ଯାଆନ୍ତା ଓ ସଞ୍ଜରେ ଫେରିବା ଗାଡିରେ ତା ଦକ୍ଷିଣ ସହରକୁ ଫେରିଯାଆନ୍ତା । 

ଅଵା, ସେମାନଙ୍କୁ ଏକତ୍ର ରହିବାର ଅନଧିକାର ସ୍ଵୀକୃତି ଦେଇ ସମ୍ଭବା ଚାଲିଯାଆନ୍ତା ଛୁଟି ନେଇ ନିଜ ଘରକୁ । ବାଲେଶ୍ଵର ।

ଏମିତି ସମାଧାନର ରାସ୍ତା ଅନେକ । ଅଥଚ ସେମିଷ୍ଟର ଚାଲୁଥିବାରୁ ଆଉ ରାଜଧାନୀର ହୋଟେଲ ମାନଙ୍କର ଅତ୍ୟଧିକ ପରିଚୟ ଖୋଳତାଡ଼ ଯୋଗୁଁ ଏଇଟି ହିଁ ସହଜ ସମାଧାନ ବୋଲି ନେପଥ୍ୟା ଧରିନେଇଥିଲା । କହିଲା -

- ଟିକିଏ କମ୍ପ୍ରମାଇଜ୍ କରିନେବା ଦି । ସମସ୍ତେ ରହିଯିବା । ମୋର ଅଡୁଆ ନାହିଁ । ଶ୍ରୀନିବାସ ରାଜି ହୋଇଯିବ । ତୁମେ ମାନିଯାଅ ।

ଅନୁଭୂତି କୁହେ, ଯିଏ ପଛରେ ପଡିରୁହେ ସେ ଆଦୌ ପ୍ରେମିକ ନୁହଁ । ବରଂ ଯିଏ ତୁମକୁ ନିଜ ପଛରେ ପକାଇବାର ଦକ୍ଷତା ରଖିଥାଏ ସିଏ ଯୋଗ୍ୟ । 

ସିଏ ଈ' ପ୍ରେମିକ । 

ତତକ୍ଷଣାତ୍ ସମ୍ପର୍କ ରେ ଗୁଣବତ୍ତା କିଛି ନଥାଏ । ବରଂଚ ସବୁ ଭଲ ଲାଗି ଯାଉଥିବା ଆଉ କାହାର ମୂଲ୍ୟବାନ ଚିଜ ନିଜର ନୁହେଁ । 

ଯୁକ୍ତ ତିନି ପ୍ରଥମବର୍ଷରେ ଦିନେ ସୋମେଶ୍ ପାଢୀ ତାକୁ ଭଲ ଲାଗିଗଲା । କଲେଜ ଛକରେ ତା'ର ଠିଆହୋଇ ରହିବାର ଅଦ୍ଭୁତ ଭଙ୍ଗୀ ସମ୍ଭବାକୁ ସମ୍ଭବତଃ ଆକର୍ଷିତ କରିନେଲା । ଏମିତି ଭଙ୍ଗୀରେ ଛିଡା ରହିବା ଅବସ୍ଥାରେ କେବଳ ଜଣେ ଦେଵତାଙ୍କୁ ସିଏ ସେଯାଏଁ ଦେଖିଥିଲା । ନଚେତ୍ ପୁଅପିଲାଏ ଝିଅ ମାନଙ୍କ ସାମ୍ନାରେ ସଳଖ ହୋଇ ଛିଡା ହୋଇପାରିବା ନିହାତି ଏକ ବିସ୍ମୟ ଘଟଣା ହୋଇପାରେ । 

ଯେହେତୁ ସୋମେଶ୍ ପାଢୀ ଦେବତା ନଥିଲା ବରଂ ଜଣେ ସାଧାରଣ ମାନବ ଥିଲା, ସେଥିପାଇଁ ତାକୁ ପ୍ରେମ କରିହୁଅନ୍ତା ପରି ଏକ ନୀରବ ପୀଡା ସମ୍ଭବା ଆଚାର୍ଯ୍ୟର ସବୁଜ ଛାତିରେ ଅନୁଭୂତ ହେଲା । କିଛିଦିନ ଗଲାରୁ ସେଇ କଷ୍ଟ ଆସି ହୃଦୟ ସନ୍ଧିରେ କେନ୍ଦ୍ରିଭୂତ ହେଇ ସମ୍ଭବାକୁ କବଳିତ କରିନେଲା । କଲବଲ କଲା । ଏସବୁ ଏତେ ଗୋପନରେ,ଏତେ ସନ୍ତର୍ପଣରେ ଘଟୁଥିଲା ଯେ, ସମ୍ଭବାକୁ ନିଜପ୍ରତି ଦିନେ ଅବିଶ୍ଵାସ ହେବାରେ ଲାଗିଲା ।

ସୋମେଶ୍ ପାଢ଼ୀକୁ ଛକ ଉପରେ ନଦେଖିଲେ ସମ୍ଭବା ଆଚାର୍ଯ୍ୟକୁ ଲାଗୁଥିଲା ସମୟ ସେବେଯାଏଁ ସ୍ଥିର ହୋଇ ରୁହନ୍ତା, ଯେ ଯାଏଁ ସୋମେଶ୍ ପାଢ଼ୀ ଛକକୁ ଆସିନି । କାହାଠାରୁ ସେ ସେଇବେଳେ ଶୁଣିସାରିଥିଲା, ଖୋଜାପଣର ଅର୍ଥ ହିଁ ପ୍ରେମ । ଯେଉଁଠି ଖୋଜିବାର ଅନ୍ତ ଘଟିଛି, ସେଇଠି ପ୍ରେମର ଦେହାନ୍ତ ହେବା ଥୟ । ପୁଣି ପ୍ରେମର ମୃତ୍ୟୁ ପରେ ଆଉ କୌଣସି ଏକ ସମ୍ପର୍କର ସୃଷ୍ଟି ହୋଇପାରେ । 

ଯାହା କିନ୍ତୁ ପ୍ରେମ ନୁହେଁ ।

ସୋମେଶ୍ କୁ ଦିନେ ଚାରିଛକ ଉପରେ ନପାଇ, ସମ୍ଭବା ତା ଆଖି ପହଞ୍ଚ ଯାଏଁ ଏପଟ ସେପଟରେ ଖୋଜିଲା । ତାର ବିଶ୍ୱାସ ଥିଲା କଲେଜ ଛକ ବ୍ୟତିରକେ ସୋମେଶ୍ ପାଢ଼ୀର ଅନ୍ୟତ୍ର ବସାଟିଏ ନାହିଁ । ଅଥଚ ସେଇଦିନ ହିଁ ସୋମେଶ୍ କୁ ସମ୍ଭବା ତୃତୀୟ ନଷ୍ଟଗଳିରୁ ପାଇଲା । ଭିନ୍ନ ଏକ ଭଙ୍ଗୀ ରେ । ତା ଚାରିପାର୍ଶ୍ଵରେ ଧୂଆଁ ଓ ଧୂଆଁ । ଝିଅମାନଙ୍କୁ ଆଦୌ ପସନ୍ଦ ହେଉନଥିବା ଚାରି-ଛ'ଟା ଲଫଙ୍ଗାଙ୍କ ଭିଡ଼ ଭିତରେ । 

ଘୃଣା ଆଉ ପ୍ରେମ ଭିତରର ପରଦାଟି ଏତେ ପାରଦର୍ଶୀ ସତେ ? ପ୍ରେମର ଗଳା ଚିପି ଦେବା ଅର୍ଥ, ଜନ୍ମିତ ସନ୍ତାନର ତଣ୍ଟି ଚିପିଦେବା ପରି କଷ୍ଟ । ପ୍ରେମ ବୋଧେ ସର୍ବକାଳ ଅବୈଧ । 

କୋମଳ ବୟସର ଦୁଃଖ ସବୁ ଚିରସ୍ଥାୟୀ । ଯାହା ସ୍ମୃତି ପଟଳରେ ଅଲିଭା କାଳିରେ ଟିପି ହୋଇରୁହେ ।

ବହୁଦିନ ପରେ ସାଙ୍ଗଟିଏ ଆସି କହିଥିଲା, ସୋମେଶ୍ ପାଢ଼ୀ ତା ଦ୍ଵିତୀୟ ସୁଯୋଗରେ ଜାତୀୟ ପ୍ରଦ୍ୟୋତିକ ଅନୁଷ୍ଠାନ ପାଇଁ ଚୟନ ହୋଇଯାଇଛି । ଏଠୁ ଯିବା ଆଗରୁ ଥରୁଟେ ସମ୍ଭବା କୁ ଭେଟ କରିବାକୁ ଇଛା କରୁଛି । 

ସମ୍ଭବା ଆଚାର୍ଯ୍ୟର ଛୋଟିଆ ନାରୀ ଜୀବନରେ, ପ୍ରଥମ ଅସ୍ଵୀକାର ହେଉଛି ସୋମେଶ୍ ପାଢ଼ୀ । ସିଏ ବଡ଼ 'ନା' ଟିଏ କହି ଫେରାଇ ଦେଇଥିଲା ପ୍ରିୟ ସାଙ୍ଗଟିକୁ । 

ପ୍ରେମ କହିଲେ ଏଇମିତି ବୁଝେ ସମ୍ଭବା । 

ଥରେ ନେପଥ୍ୟା ତାକୁ କହିଥିଲା -

- ଦିଦି, ମୋ ବଡ଼ଭାଇଙ୍କ ବାହାଘର ସଅଳ ସରିଗଲା । ଯଦି ଏପର୍ଯ୍ୟନ୍ତ ନହେଇଥାନ୍ତା, ତେବେ ତୁମକୁ ମୋ ବଡ଼ ଭାଉଜ କରିବାକୁ ଯାହାସବୁ ବାଧାବିଘ୍ନ ଆସିଥାନ୍ତା ମୁଁ ଫୁ' କରି ଉଡାଇ ନେଇଥାନ୍ତି । ଏତେ ସହିଷ୍ଣୁ ଏତେ ସୁନ୍ଦର ଝିଅ କଣ ଏ ମିଛ ପୃଥିବୀରେ ସମ୍ଭବ ଦିଦି ! ବରଂ ନଥିଲେ ଭଲ । ତୁମେ ହଜାରେ ଝିଅଙ୍କୁ ଭୁଲାଇଦେବାର କ୍ଷମତା ରଖିଛ । 

ସମ୍ଭବା ତା'ପ୍ରତି ନେପଥ୍ୟା ର ଏ ସମ୍ମୁଖ ପ୍ରଶଂସାରେ ବେଶି ଖୁସି ନହୋଇ ତାକୁ ବୁଝାଇଲା -

- ଯାହାଠାରେ ଖୁଣ ନାହିଁ ତା'ଠାରେ ଗୁଣ କାହିଁ ନେପଥ୍ୟା ? ମୁଁ ତୋ ଭାଉଜଙ୍କୁ ଦେଖିଛି । ତୋ ଭାଇଙ୍କ ସହ ଯୋଡି ସ୍ଵର୍ଗରୁ ଗଢା ହେଇଛି ନିଶ୍ଚିତ । ଖୁଣିବାରେ ନାହିଁ କିଛି ।

ନେପଥ୍ୟା ର ଭାଇ ଜଣେ ଯୁବ ଡାକ୍ତର । ଏ ସହରକୁ ନିଜ ପ୍ରାକ୍ଟିସ ପାଇଁ ହପ୍ତାକରେ ଦିନଟିଏ ଆସନ୍ତି । ସମୟ ନିକାଲି ନିଜ ପାଠପଢୁଥିବା ସାନ ଭଉଣୀ ପାଖକୁ ଦେଖାରଖା ପାଇଁ ମଧ୍ୟ ଆସନ୍ତି । 

ତେବେ ଯେଉଁ ଗୋପନ ସତ୍ୟ ଟି ବିଚରା ନେପଥ୍ୟାକୁ ଅଗୋଚର, ସେଇ କଥାଟିକୁ ଗୁପ୍ତ ରଖିବାକୁ ସମ୍ଭବା ବାଧ୍ୟ ।

ଝିଅପିଲାଙ୍କ ଆଖି ଗୋଟିଏ ପରିମାପକ ଯନ୍ତ୍ର । କାହାକୁ ପଢିନେବାରେ ସେ ଯନ୍ତ୍ରଟି ବିଳମ୍ବ କରେନି । ଏଇ ସତ୍ୟଟି ପାଇଁ ସମଗ୍ର ପୁରୁଷ ଜାତି ନିହାତି ଅସହାୟ ।

ସାଇତି ରଖିବା ଏକ କଳା । ଘରେ ନିଜ ଅନିନ୍ଦ୍ୟ ସୁନ୍ଦରୀ ପତ୍ନୀକୁ ସାଇତି ଦେଇ, ବାହାରେ ସାତସାନ ଝିଅ ମାନଙ୍କୁ ପରଖିବା ଏକ ଡାକ୍ତରୀୟ ବିଦ୍ୟା କୌଶଳ ନା ସମ୍ଭ୍ରାନ୍ତୀୟ ବ୍ୟଭିଚାର ? ନେପଥ୍ୟାର ଭାଇ ଜଣେ ଚର୍ମରୋଗ ବିଶେଷଜ୍ଞ । କଥାଛଳରେ ସିଏ ସମ୍ଭବାର ବେଦାଗ ତ୍ଵଚାକୁ ଅତିରିକ୍ତ ପ୍ରଶଂସା କରିବାକୁ ଭୁଲିନଥାନ୍ତି । ପୁଣି ନିଜ ସାନ ଭଉଣୀ ନେପଥ୍ୟା ସାମ୍ନାରେ ଥାଇ ମଧ୍ୟ । ୟା'କୁ କୁହାଯାଏ ପୁରୁଷର ନିଜ ଉପରୁ ନିୟନ୍ତ୍ରଣ ହରାଇଵା । ଯାହାକୁ ସ୍ଥାନ-କାଳ-ପାତ୍ର ଜଣାନଥାଏ । 

ଦିନେ ସମ୍ଭବାକୁ ମେସେଜ୍ କରନ୍ତି ନେପଥ୍ୟାର ଡାକ୍ତର ଭାଇ । ରୂପଯୌବନର ଗୁଣଗାନ କରି, ମାଙ୍କଡ଼ କୁମ୍ଭୀର ଗପ ଶୁଣାନ୍ତି ଓ ପଚାରନ୍ତି -

- ଜାମୁକୋଳି ଯଦି ଏତେ ମିଠା, କଲିଜାଟି କେତେ ନ'ହୋଇଥିବ ସତେ ସୁନ୍ଦରୀ ?

ସମ୍ଭବା ଉତ୍ତର ଫେରାଏ -

- ଆପଣ ଚିକିତ୍ସକ । କୁଆଡେ ଦ୍ଵିତୀୟ ଈଶ୍ୱର ମଧ୍ୟ । ଏକାଧିକ ସୁନ୍ଦରୀ ନିଜ ଦେହର ଚର୍ମ ସମସ୍ୟା ନେଇ ଆପଣଙ୍କ ଦ୍ଵାରସ୍ଥ । ତଥାପି ଆପଣ ନିଜ ସାନ ଭଉଣୀର ସାଙ୍ଗ କଲିଜା ପାଇଁ ଅତୀବ ଆଗ୍ରହ ରଖିବା, ଆପଣଙ୍କ ପ୍ରତିଷ୍ଠା ଉପରେ ପ୍ରଶ୍ନ ଉଠାଉନି ଡାକ୍ତର ସାବ୍ ? 

- ପ୍ରଥମ ଈଶ୍ୱର ବି ତ ବାସନା ବିବର୍ଜିତ ହୋଇ ପାରିନାହାନ୍ତି । ମୁଁ ତ ଦ୍ଵିତୀୟ ମାତ୍ର । ଏସବୁ ରହିବ । ଏକରୁ ଆରେକ ସୁନ୍ଦରୀ ରୋଗିଣୀଙ୍କୁ ପଛରେ ପକାଇ ତୁମେ ଘୋଡାରେସ୍ ରେ ପ୍ରଥମ । କେହି ଜାଣିବେନି । ଏପରିକି ନେପଥ୍ୟା ମଧ୍ୟ । ଦୁନିଆର ସବୁ ଖୁସି ମୁଁ ନେଇ ଥୋଇଦେବି ତୁମ ପାଦତଳେ ସମ୍ଭବା । ମାନିଯାଅ । ଥରୁଟେ ଭଲପାଅ କହିଦିଅ । 

ଡାକ୍ତର ର ଏଇଟି ସମ୍ଭବା ପ୍ରତି ଥିଲା ଶେଷ ମେସେଜ୍ । ଏ ବିବାହିତ ଲୋକଟା ଯେ କେବଳ କାମନା ଜର୍ଜରିତ ହୋଇ, ନିଜ ପ୍ରତିଷ୍ଠାକୁ ଢାଲ କରି ବାହାରକୁ ନମ୍ର-ଭଦ୍ର-ଆମାୟିକ ସାଜି, ନାରୀଶୋଷଣରେ ଲିପ୍ତ ରହୁଛି, ତାକୁ ନିଜ ସାଙ୍ଗର ଭାଇ ବୋଲି କ୍ଷମା ଦେଇଦେବାରେ ରହିଛି ପାପ । ତା ନମ୍ବର କୁ ବ୍ଲକ୍ କରିବା ପୂର୍ବରୁ ମେସେଜଟିଏ କଲା ସମ୍ଭବା । "ଛି" ।

କେବେ କେବେ ଗୋଟାଏ ଅକ୍ଷର, ଗୋଟିଏ ଶବ୍ଦ ଅବା ବାକ୍ୟଟିଏ ଭାରି ପଡିଯାଏ କାମାସୁରଙ୍କ ପ୍ରତି । ତଥାପି ସମ୍ଭବା, ବଡ଼ ଭଉଣୀ ତୁଲ୍ୟ ନେପଥ୍ୟାକୁ ଆଦର କରେ, ଯତ୍ନରେ ରଖିଥାଏ ଓ ତା ଦାୟିତ୍ୱ ବୁଝେ । ଜଣେ ଲମ୍ଫଟ ନଂପୁସକ ଭାଇ ପାଇଁ ତା ନିର୍ଦୋଷ ସରଳ ଭଉଣୀଟିକୁ ସିଏ ଅପସନ୍ଦ କରନ୍ତା କାହିଁକି ଭଲା ?

ସୁଯୋଗ ଅଧିକ ନେବା ପୂର୍ବରୁ ସୋମେଶ୍ ପାଢ଼ୀ ପରି ଏ ଲୋକଟାର ତଣ୍ଟି ଚିପି ସାରିଛି ସମ୍ଭବା ଆଚାର୍ଯ୍ୟ ଏକାକୀ । ସେତକ ଯଥେଷ୍ଟ । କାହାକୁ ଖବର ହୋଇନି ଯାହା । 

ଏଇତ ନାରୀ ରହସ୍ୟ ।

ନେପଥ୍ୟା ଚେତାଇ ଦେଲା ପୁଣି ଥରେ -

- ଦିଦି, ଶ୍ରୀନୁ ଆଜି ସନ୍ଧ୍ୟାରେ ପହଞ୍ଚୁଛି । ତାକୁ ସିଧାସଳଖ ଏଠାକୁ ଆସିବାର ରାସ୍ତା ବତାଇଛି ମୁଁ । ତାର ଦାୟିତ୍ୱ ନେବାକୁ ପଡିବ ।

ପ୍ରେମ ଏକ ବ୍ୟାଧି । ଯେତିକି ସଜାଡେ ଅଧିକ ବିଗାଡେ । ସମ୍ଭବା କୁ ଲାଗିଲା, ବିଗିଡିବାକୁ ଯେମିତି ନେପଥ୍ୟା ଆଜି ନିଜକୁ ପ୍ରସ୍ତୁତ କରି ନେଇଛି । ନାରୀ ଦେହର ସେଇ ସଂରକ୍ଷିତ ହରମୋନ ଯେବେ କ୍ଷରିତ ହୋଇ ସମଗ୍ର ସତ୍ତାକୁ ଆବୋରି ନିଏ ସିଏ ଭୁଲ୍ ରୁ ଭଲ ପହଞ୍ଚ ହେବାକୁ ମୁହୁର୍ତ୍ତେ ସଯୟ ନେଇନଥାଏ । 

ଏଇ ସନ୍ଧିକ୍ଷଣର ଅପେକ୍ଷାରେ ଚତୁର ଚାତକ ଚାହିଁ ବସିଥାଏ । 

ନିଶା ବ୍ୟବସାୟରେ ନଷ୍ଟ ହୋଇ ସାରିଥିବା ଉଦୀୟମାନ ସୋମେଶ୍ ପାଢ଼ୀ ଅବା ନେପଥ୍ୟାର ଏଇ କାମାତୁର ଭାଇ ଡାକ୍ତରଟି, ଏମାନେ ହେଉଛନ୍ତି ଗୋଟିଏ ଗୋଟିଏ ନଦୀବନ୍ଧ । ନିଜ ନିର୍ବୋଧପଣ ଯୋଗୁଁ ଏମାନେ ଯୁଗେ ଯୁଗେ ନାରୀ ସମଗ୍ରକୁ ଅଲକ୍ଷ୍ୟରେ ସତର୍କ କରାଉଥାନ୍ତି । 

ତଥାପି ଜଳସ୍ତରର ନିମ୍ନଚାପ ଯୋଗୁଁ ଦୁର୍ବଳ ନଦୀବନ୍ଧ ଭାଙ୍ଗିଯାଏ ଅବା ସବଳ ବନ୍ଧ ହେବା ସତ୍ତ୍ଵେ ମାତ୍ରାଧିକ ବନ୍ୟାଜଳ ଜଳାଶୟରୁ ଉଛୁଳି ପଡେ । 

ଏସବୁରୁ ନିସ୍ତାର କାହିଁ ?

ପ୍ରଣୟ ଙ୍କ ଘରଲୋକ ସମ୍ଭବା ର ପି.ଜି ପଢା ସରିବାକୁ ଅପେକ୍ଷା କରି ବସିଛନ୍ତି । ନିର୍ବନ୍ଧ ସରିଛି । ସରିସାରିଛି ସବୁ ଆୟୋଜନ ମଧ୍ୟ । ବାହାଘରର ଦିନ ଧାର୍ଯ୍ୟ । ଓଡିଶା ଲୋକସେବା ଆୟୋଗରୁ କୃତକାର୍ଯ୍ୟ ହେବାପରେ ପ୍ରଣୟ ଏବେ ଜଣେ ଚର୍ଚ୍ଚିତ ବ୍ୟସ୍ତ ସରକାରୀ ଯୁବ କର୍ମଚାରୀ । 

ପ୍ରଣୟଙ୍କୁ ନେଇ ସମ୍ଭବା ସ୍ଵପ୍ନ ଦେଖେ । ନିଦ ଭାଙ୍ଗେ । ମୋଵାଇଲରୁ ଫଟୋ କାଢି ଚୁମାଖାଏ । ସମ୍ଭବା ଇଛାକରେ ତାଙ୍କ ସହ ନିର୍ଧୁମ୍ ଖିଅ ନଥିବା ଗପ ଗପିବାକୁ । ଅକଥାକୁ ନେଇ ମିଛ ଝଗଡିବାକୁ । ଦରଭଙ୍ଗା ଟୁ-ହ୍ବିଲ୍ଲର ର ପଛରେ ବସି, ପ୍ରଣୟଙ୍କ ପିଠିରେ ମୁହଁ ଥୋଇ, ଏକ ନଦୀ କୂଳର ଦୀର୍ଘ ପଥ ଅତିକ୍ରମିବାକୁ । କେଉଁ ଏକ ଶସ୍ତା ଅପରିଚ୍ଛନ୍ନ ଠେଲା ବିକାଳି ସହ ଅଧିକ ଗୁପଚୁପ୍ ଟିଏ ପାଇଁ କଳି କରିବାକୁ । ଏକ ଅଳ୍ପ ପ୍ରଚାରିତ ଦେବାଳୟକୁ ଯାଇ, ଦେବତାଙ୍କୁ ଦ୍ଵୀପଟିଏ ଜାଳି ପ୍ରଣୟଙ୍କ ଦେବତ୍ଵକୁ ସ୍ଵୀକାରି ନେବାକୁ । ସାରାରାତି ପ୍ରଣୟଙ୍କ ସହ ନିଷିଦ୍ଧ କଥାସବୁଙ୍କୁ ଆଲୋଚନା କରି ଉତ୍ତେଜିତ ହେବାକୁ । ବିବାହ ପରବର୍ତ୍ତୀ ଶୀତଳ ଭ୍ରମଣରେ ଯାଇ ସ୍ଵପ୍ନ ମଞ୍ଜି ବୁଣି ଆସିବାକୁ । ପ୍ରଣୟଙ୍କ ବେସୁରା କଣ୍ଠର ପ୍ରେମଗୀତରେ ଭିଜିଯିବାକୁ ।

ଅହରହ ପ୍ରଣୟ ବୁଝୁଥାନ୍ତେ, ସମ୍ଭବା ର ଦିନଚର୍ଯ୍ୟା, ସଜାବଜା, ଉଦାସି ବେଳାର ରହସ୍ୟ ମାନଙ୍କୁ । 

କିନ୍ତୁ ପ୍ରଣୟ...

ପ୍ରଣୟଙ୍କୁ ଏପରି ଅନୁଭବ ଟିକେ ହୁଅନ୍ତାନି ? ନା ପୁଅପିଲାମାନେ ଭାବନାକୁ ପରିପ୍ରକାଶିବାରେ ଅକ୍ଷମ ଥାନ୍ତି ସତରେ ? ପ୍ରଶ୍ନହୀନ ଆଉ ସଂକ୍ଷିପ୍ତ ଉତ୍ତରକୁ ନେଇ ପ୍ରଣୟ ସନ୍ତୁଷ୍ଟ । 

ଅହରହ କାମଚାପରେ ରହୁଥିବା ମଣିଷ ମାନେ ବିବାହ ପରି ଏକ ସାମାଜିକ କର୍ମକୁ କାହିଁକି ସ୍ଵୀକାର କରନ୍ତି ଯେ ? 

ବଞ୍ଚିବାର ସୁତ୍ର ନଜାଣି, ଜୀବନକୁ ଏକ ଜଟିଳ ଅଙ୍କକଷାରେ ଛନ୍ଦି ଦେବା ଅପେକ୍ଷା ସରଳ ସହଜ ମାନସାଙ୍କକୁ ନେଇ ସନ୍ତୁଷ୍ଟ ହୋଇପଡିବା ବୁଦ୍ଧିମାନର କାମ ନୁହେଁ କି ? ସତରେ କଣ ବିବାହତ୍ତୋର ସମ୍ପର୍କ ପ୍ରଣୟଙ୍କ ସହ ସ୍ଵାଦହୀନ ହୋଇଯିବାର ସମ୍ଭାବନା ଅଧିକ ରହିଛି କି ? ସମ୍ଭବା ଏବେ ଏଇ କଷ୍ଟ ନେଇ ବଞ୍ଚିରୁହେ । 

ବୟସରେ ସାନ ନେପଥ୍ୟା ତା ବଡ଼ଭାଇ ପରି ଚତୁର । ଦିହେଁ ସନ୍ତର୍ପଣରେ ନିଜ ନିଜର ଗୁପ୍ତ ସମ୍ପର୍କକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରି ରଖିଛନ୍ତି । ଯେଉଁଥିରେ ନିଜ ଲାଳସା ଚରିତାର୍ଥ ହେଉଥିବ ଅଥଚ ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ନହେବ । ସେଥିପାଇଁ ଜଣେ ଅଭାଷି, ଦୂରବାସୀ, ପ୍ରେମିକଟିଏ ନିଜ ପାଇଁ ଖଞ୍ଜିଛି ନେପଥ୍ୟା । ସିଏ ଏତକ ବି ଜାଣେ ଏଇ ସମ୍ପର୍କ ଚିରସ୍ଥାୟୀ ନହେଲେ ବି ଡାକ୍ତର ଭାଇ ତା ପାଇଁ କେଉଁ ଏକ ସମ୍ଭ୍ରାନ୍ତ ଘରେ ବନ୍ଧୁ ବାନ୍ଧି ନିଜ ଭଉଣୀର ଭବିଷ୍ୟତ ସଜାଡି ଦେବ । ସେଥିପାଇଁ ବର୍ତ୍ତମାନଟି ମନମୁତାବକ ରହୁ । 

ସମ୍ଭବା କୁ ଲାଗେ, ଏକ ଘନ ଅନ୍ଧକାର ରୁ ଉଜ୍ଵଳ ଦିବାଲୋକ ଯାଏଁ ଅତିକ୍ରମ କରିବାକୁ ଥିବା ଦୂରତ୍ଵ ହେଉଛି ପ୍ରେମପଥ । ଆଲୁଅରୁ ଅନ୍ଧାରକୁ ଟାଣୁଥିବା ପ୍ରେମ ସର୍ବକାଳ ଅସତ୍ । ନିଜ ସଦ୍ୟବିବାହିତ ଧର୍ମପତ୍ନୀ ବ୍ୟତୀତ ଅନ୍ୟତ୍ର ସମ୍ପର୍କ ଟିକିଏ ରଖିବାର ଗୁପ୍ତଲୋଭ ରଖୁଥିବା ଭାଇଟି ହେଉ ଅବା ତା ଗେହ୍ଲି ସାନ ଭଉଣୀ ନେପଥ୍ୟାର ଦରଚିହ୍ନା ପ୍ରେମିକ ସହ ଅନ୍ତରଙ୍ଗ ହେବାର ବ୍ୟାକୁଳତା, ସବୁଥିରେ ସେଇ ନିଷିଦ୍ଧ ଫଳ ଭକ୍ଷଣ କରିବାର ଦୁର୍ବାର ଲୋଭ ଓ ମାଙ୍କଡ଼ର ମିଠା କଲିଜା ଖାଇବାର ଅତିନ୍ଦ୍ରିୟ ସୁଖ । 

ଉଭୟ ଭାଈ-ଭଉଣୀଙ୍କ ସମାନ ପଥ, ସମାନ ଲକ୍ଷ୍ୟ ।

ବାସନା ବିହୀନ ସମ୍ପର୍କ ପାଣିଚିଆ । ପ୍ରତି ସଜୀବର କ୍ରିୟା-ପ୍ରତିକ୍ରିୟା ରହିବା ବାଞ୍ଛାନୀୟ । ଅତିରିକ୍ତ ମହତାକାଂକ୍ଷି ସାଜି ଜୀବନର କୋମଳପଣକୁ ହତ୍ୟା କରିଦେଵା ଏକ ଅପରାଧ ହୋଇପାରେ ମଧ୍ୟ । ଆକର୍ଷିତ ହେବା ଓ ଆକର୍ଷଣ କରିବା ସାମାନ୍ୟ ଘଟଣା । ପ୍ରଣୟଙ୍କ ବାଗଦତ୍ତା ସମ୍ଭବା । ନିହାତି ନିକଟରେ ସେ ରୁହନ୍ତି ଏଠି । ଆବଶ୍ୟକ ଥିଲେ ପ୍ରତିଦିନ ସୁଖ ମୁହୁର୍ତ୍ତ ବିତାଇବାରେ ଅଡୁଆ କିଛି ନାହିଁ । ତଥାପି ଆବଶ୍ୟକ ପଡେନି ପ୍ରଣୟଙ୍କୁ ? 

ଧୈର୍ଯ୍ୟ ରଖିବା ଦେବପଣ ନା ନିରୁତ୍ସାହିତ ସଙ୍କଟ ?

ତଥାପି ଜୀବନର ସବୁତକ ଆବର୍ଜନାକୁ ଏକପାଖରେ ସଂଗ୍ରହ କରିନେଲା ପରେ ଆରପାଖଟି ହେଉଛି ସୁନ୍ଦର । ପ୍ରଣୟ ହେଉଛନ୍ତି ଜୀବନର ସୁନ୍ଦର ପୁରା ପାଖ । କେଉଁ ଏକ ଅସମ୍ଭବ ସଂଯମତାକୁ ମନ୍ତ୍ର କରି ସମ୍ଭବା ସମୃଦ୍ଧ ହୋଇ ରହିଛି । ନାରୀ ଦେହର ବନ୍ଧ ଲଂଘୁଥିବା ସେଇ ସଂଗୋପିତ ହରମୋନ୍ କୁ ଗମ୍ଭିରି ଘରେ କୋଲପ ମାରି ଦେଇଛି । ମାୟାମିରିଗର କପଟତା ତାକୁ ସ୍ପର୍ଶ କରିପାରିନି । ପ୍ରଣୟ ତାକୁ କୋଲପ ଖୋଲି ଉଦ୍ଧାର କରନ୍ତୁ ଆସି । 

ଯଦି ଚାବିକାଠି ହଜିଗଲା ? ଯଦି ପ୍ରଣୟଙ୍କ ଠାରେ ସେସବୁ ଆଗ୍ରହ ନରହିଲା ତେବେ...?

- ସମ୍ଭବା ନଛୋଡବନ୍ଧା ହୋଇ ପ୍ରଣୟଙ୍କୁ ନିଜ ରୁମ୍ କୁ ଡାକିଛି । ରାତିଏ ରହିଯିବାକୁ ବାଧ୍ୟ କରିପକାଇଛି । ଅନୁଭବ, ଅନୁଭୂତିରୁ ଆଖି ଅନ୍ଧାରରେ ଵି ସ୍ପଷ୍ଟ ଦେଖିନିଏ । ମୁହଁ ବୁଲାଇ ନେପଥ୍ୟା କାନ୍ଥ ଆଡ଼କୁ ଶୋଇରହିଛି । ସମ୍ଭବା ଏଥିପାଇଁ ନିହାତି ବେଖାତିର୍ । ପ୍ରଣୟଙ୍କ ମୁକୁଳା ଛାତିରେ ନିଜ ଭିଜାମୁହଁକୁ ଥୋଇ ଦୁଷ୍ଟାମି କରୁଛି ।

ସେପାଖରେ ଅବଶ୍ୟ ନେପଥ୍ୟା ଶୋଇଛି । 

ଏତେଦିନୁ ପ୍ରଣୟଙ୍କ ପ୍ରତି ଭୁଲ୍ ଧାରଣାରେ ରହିଥିବା ସମ୍ଭବା ଆଜି ଉପଲବ୍ଧି କରିପାରୁଛି କାଗଜବାଘରୁ ପୁରୁଷଟିଏ ହିଂସ୍ର ହେବାର ରୂପାନ୍ତରଣକୁ । ସତେକି ଦୁହିଁଙ୍କୁ ଆଜିପରି ସୁଖରାତିଟିଏ ଆଗକୁ ମିଳିବାର ସମ୍ଭାବନା ନାହିଁ । ସେଇପରି ନିଷ୍ଠୁର, କ୍ରୁର, କଠୋର ।

ସେପାଖରେ ହୁଏତ ନେପଥ୍ୟା ନିଘୋଡ଼ ନିଦରେ ଶୋଇଥିବ । ଅବା ନଥିବ । ପରବାଏ ନାହିଁ କିଛି । ଏକ ବନ୍ଦ ଅନ୍ଧାର ଘରେ ତିନୋଟି ପ୍ରାପ୍ତବୟସ୍କ । ସମ୍ଭବା-ପ୍ରଣୟ-ନେପଥ୍ୟା । ଆଉ ଧିରେଧିରେ ରାତି ସରି ଆସୁଛି ।

ଅଭ୍ୟାସଗତ ଭାବେ ସମ୍ଭବା ସକାଳୁ ସ୍ଵପ୍ନ ଭାଙ୍ଗି, ନିଦ ଭାଙ୍ଗି ଉଠି ସାରିଲାଣି । ସ୍ନାନ ସାରି ଠାକୁରଙ୍କୁ ପୂଜା ସାରିଲାଣି । ସିଏ ଏବେ ଶୁଦ୍ଧ, ସ୍ଵଚ୍ଛ, ପବିତ୍ର । 

ଅଳସେଇ ନେପଥ୍ୟା ର ଶୋଇ ରହିବା ଭଙ୍ଗୀ କୁ ଆସି ସଜାଡି ଦେଲା ସମ୍ଭବା ଟିକିଏ ।

ଦୁଇକପ୍ ବାମ୍ଫ ଉଠୁଥିବା କଫି କପ୍ ଧରି ବାଲକୋନିକୁ ଆସିଛି ଏବେଏବେ ସମ୍ଭବା ଆଚାର୍ଯ୍ୟ । ବାଲକୋନିରେ ଛିଡାହୋଇ ଦିଗବଳୟ ଆଡକୁ ସିଗ୍ରେଟର ଧୂଆଁ ଛାଡୁଛି ନେପଥ୍ୟାର ପରଦେଶୀ ପ୍ରେମିକ । 

ଶ୍ରୀନିବାସ ।

ଦୁହେଁ କଫିମଗ୍ ଧରି ସାମାନ୍ୟ ହସୁଛନ୍ତି ପରସ୍ପରକୁ । ତା ଭିନ୍ନ ଆଉକିଛି ଆଦାନ ପ୍ରଦାନର ମାଧ୍ୟମ ନାହିଁ । ପିଲାଟି ଭାଷା ବୁଝେନି ବରଂ ଭାବ ବୁଝିନିଏ । 

ପ୍ରେମିକା ନେପଥ୍ୟା ଶୋଇଛି ଯଦି ଆହୁରି ଶୋଇଥାଉ...।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ