ଦାର୍ଢ୍ୟତା ଭକ୍ତି - ଭକ୍ତଶ୍ରେଷ୍ଠ ରାଜା କୁଳଶେଖର - ଘନଶ୍ୟାମ ସାହୁ

0

ଭକ୍ତ ଶିରୋମଣି ଧର୍ମ ପରାୟଣ ପ୍ରଜାରଞ୍ଜନ ରାଜା କୁଳଶେଖରଙ୍କ ଜୟ ଧ୍ୱନିରେ ପ୍ରକକମ୍ପି ଉଠୁଥିଲା ଉତ୍ସବସ୍ଥଳୀ । ପ୍ରାନ୍ତରର ମଧ୍ୟ ଭାଗରେ ଥିବା ଅଗ୍ନିକୁଣ୍ଡର ଲେଲିହାନ ଶିଖା ଗଗନ ପବନ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲା ଯେପରି । ତା'ମଧ୍ୟରେ ଏକ ବାର ହାତ ଲମ୍ବର ତାମ୍ର ଫଳକ ପୋତା ଯାଇଥିବା ଚାରୋଟି ତାମ୍ର ନିର୍ମିତ ଖମ୍ବ ଉପରେ ଦୃଢ଼ ଭାବରେ ସଂଯୁକ୍ତ କରା ଯାଇଥିଲା । ଅଗ୍ନିଶିଖା ଓ ଜଳନ୍ତା କାଠର ରଡ଼ ନିଆଁର ଉତ୍ତାପରେ ତମ୍ବା ପଟାଟି ଉତ୍ତପ୍ତ ହୋଇ ଲାଲ୍ ରଙ୍ଗ ଧାରଣ କରି ସାରିଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଜନ ସାଧାରଣ ଏକତ୍ରିତ ହୋଇ ନିଜ ପ୍ରିୟ ନରପତିଙ୍କ ଏହି କଠୋର ବ୍ରତକୁ ମନେ ମନେ ବିରୋଧ କରୁଥିଲେ । କେତେକ ପ୍ରଜା କାନ୍ଦି କାନ୍ଦି ରାଜାଙ୍କୁ ଏ କଠୋର ବ୍ରତରୁ ଓହରି ଆସିବା ପାଇଁ ବିନମ୍ର ଅନୁରୋଧ କରୁଥିଲେ । ସେ ସମୟରେ ସବୁଠାରୁ ଶକ୍ତିଶାଳୀ, ବିତ୍ତଶାଳୀ, ଜ୍ଞାନୀ, ଦାନଶୀଳ, ଧର୍ମ ପରାୟଣ ଓଡ଼ିଶାର ରାଜା କୁଳଶେଖର ହିଁ ଥିଲେ ଅଦ୍ୱିତୀୟ । ପ୍ରଜାମାନଙ୍କ ଜୟ ଧ୍ୱନି ସହିତ ରାଜା କୁଳଶେଖର ମନ୍ତ୍ରୀ ପୁରୋହିତ ମାନଙ୍କ ଗହଣରେ ପୂଜା ସ୍ଥାନରେ ଉପସ୍ଥିତ ହେଲେ । ସାଧାରଣ ତପସ୍ୱୀ ପରି ସରଳ ବେଶ ଦେଖି କେହି ତାଙ୍କୁ ରାଜା ବୋଲି ଚିହ୍ନି ପାରିବା କଷ୍ଟକର ଥିଲା । ଅମଳାନ ପାଟ ଧୋତି ସହିତ ଏକ ଉତ୍ତରୀୟ ସ୍କନ୍ଧରୁ ଗ୍ରୀବା ର ଉଭୟ ପାର୍ଶ୍ଵରେ ଝୁଲି ପଡି ତା'ଉପରେ ଶୋଭା ପାଉଥିଲା ରୁଦ୍ରାକ୍ଷର ମାଳା । କପାଳରେ ରାମାନନ୍ଦୀ ଚିତା ଶୋଭା ପାଉଥିଲା । ଖାଲି ପାଦରେ ରାଜା ପ୍ରଜାଙ୍କ ସମ୍ମୁଖକୁ ଆସିଲେ । କେହି କେହି ପ୍ରଜା ଅସାଧ୍ୟ ବ୍ରତ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବାରୁ ରାଜା ନିଜେ ପ୍ରଜାମାନଙ୍କ ଉଦ୍ଦେଶ୍ୟରେ ବ୍ରତ ପାଳନ କରିବା ପୂର୍ବରୁ କହିଲେ, "ପ୍ରିୟ ପ୍ରଜାଗଣ, ମୋର ଏହି ବ୍ରତ ବିଷୟରେ ଅନେକଙ୍କ ମନରେ ଉତ୍ସୁକତାର ଭାବ ତଥା ଅନେକଙ୍କ ମୋ ପ୍ରତି ବିଶେଷ ଭଲ ପାଇବା ଦେଖି ମୁଁ ଅଭିଭୂତ ହୋଇ ଯାଇଛି । ତୁମ ସମସ୍ତଙ୍କ ସମ୍ମୁଖରେ ମୁଁ ମୋ ବ୍ରତ ବିଷୟରେ କହିବାକୁ ଯାଉଛି । ଥରେ ରାଜସଭାରେ ମୋର ପରମ ପୂଜ୍ୟ ଗୁରୁଦେବ ହଠାତ୍ ପହଞ୍ଚିଗଲେ । ମୁଁ ସିଂହାସନରୁ ଓହ୍ଲାଇ ଗୁରୁଦେବଙ୍କୁ ପ୍ରଣାମ କରି ତାଙ୍କ ଚରଣ ଧୂଳି ମଥାରେ ଗ୍ରହଣ କଲି । ଗୁରୁଦେବଙ୍କୁ  ଅର୍ଘ୍ୟ, ଆସନ ଦେଇ କୁଶଳ ବାର୍ତ୍ତା ପଚାରିଲି । ଗୁରୁଦେବ ମୋ ବ୍ୟବହାରରେ ପ୍ରୀତ ହୋଇ କଲ୍ୟାଣ କଲେ । ଏହି ସମୟରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଲା । ମାଛିଟିଏ କେଉଁଆଡୁ ଉଡ଼ି ଆସି ମୋ କପାଳରେ ବସି ଆଘାତ ଦେବାରୁ ଅଜାଣତରେ ମୋ ହାତ କପାଳ ଆଡ଼କୁ ଚାଲିଗଲା ଏବଂ ଚରଣ ଧୂଳି ମଥାରୁ ତଳକୁ ଖସି ପଡ଼ିଲା । ଗୁରୁଦେବ ଦୁଃଖିତ ହୋଇପଡ଼ିଲେ ଏବଂ ଏହି ଘଟଣାର ଅଜାଣତରେ ହେଉ ପଛେ ଗୁରୁତର ଅପରାଧ ହୋଇଯାଇଛି କହି ତତକ୍ଷଣାତ ସଭାସ୍ଥଳ ପରିତ୍ୟାଗ କଲେ । ଏ ପ୍ରକାର ଗୁରୁଦ୍ରୋହ ଅପରାଧର ପ୍ରାୟଶ୍ଚିତ ପାଇଁ ପଣ୍ଡିତ ମାନଙ୍କୁ ପଚାରିବାରୁ ସେମାନେ ଶାସ୍ତ୍ର ସମ୍ମତ ଏ ପ୍ରକାର କଷ୍ଟସାଧ୍ୟ ହେଉ ପଛେ, ପ୍ରତିକାର ବ୍ୟବସ୍ଥା ଦର୍ଶାଇ ଥିବାରୁ ମୁଁ ଅତ୍ୟନ୍ତ ପ୍ରୀତ । ଗୁରୁଦ୍ରୋହୀ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର ଭାବି ଏ ପ୍ରକାର ପ୍ରତିକାର ପାଇଁ ମନସ୍ଥ କରି ନେଲି । ମୋର ପ୍ରିୟ ପ୍ରଜାଗଣ ! ମୋର ଏହି ସଂକଳ୍ପ ପାଇଁ ମୋତେ ଉତ୍ସାହିତ କରନ୍ତୁ । ମହାପ୍ରଭୁଙ୍କ କୃପା ହେଲେ ମୁଁ ଏଭଳି ପ୍ରତିକାର ସହଜରେ ପାଳନ କରିପାରିବି । ସମସ୍ତ ପ୍ରକାରର ଯଦି ଏକ ସ୍ୱରରେ ପ୍ରଭୁଙ୍କୁ ପ୍ରାର୍ଥନା କରିବା ତେବେ ଏ ସଙ୍କଟଜନକ ପରିସ୍ଥିତିରୁ ରକ୍ଷା ପାଇ ପାରିବା । ବର୍ତ୍ତମାନ ମୁଁ ମୋର ସଂକଳ୍ପ ରକ୍ଷା କରିବା ପାଇଁ ଯାଉଛି । ସମସ୍ତେ ହରିବୋଲ ହୁଳହୁଳି ଦେଇ ମୋତେ ମୋର ସଂକଳ୍ପ ରକ୍ଷା କରିବା ପାଇଁ ପ୍ରେରଣା ଦିଅନ୍ତୁ । କେହି ଏଥିରେ ଅଯଥା ଚିନ୍ତା କରନ୍ତୁ ନାହିଁ । ଭଗବାନ ନିଶ୍ଚୟ ଆମର ଡ଼ାକ ଶୁଣିବେ ।" ଏହା କହି ରାଜା କୁଳଶେଖର ଉତ୍ତପ୍ତ ଅଗ୍ନିକୁଣ୍ଡ ତଥା ବିଶେଷ ଭାବରେ ନିର୍ମିତ ତାମ୍ର ଫଳକ ଆଡ଼କୁ ଅଗ୍ରସର ହେବା ପୂର୍ବରୁ ଆର୍ତ୍ତବଲ୍ଲଭ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ।

"ହେ ମହାବାହୁ ବଳିୟାରଭୁଜ ଅଜାଣତରେ ହେଉ ପଛେ, ଗୁରୁଦ୍ରୋହ ଅପରାଧରୁ ମୁକ୍ତିଲାଭ ପାଇଁ କରିଥିବା ସଂକଳ୍ପ ରକ୍ଷା କରିବା ପାଇଁ ମୋତେ ଶକ୍ତି ପ୍ରଦାନ କରନ୍ତୁ । ଏହି ସଂକଳ୍ପ ରକ୍ଷା ନିମନ୍ତେ ଯଦି ମୋର ପ୍ରାଣ ମଧ୍ୟ ଚାଲିଯାଏ, ତେବେ ମଧ୍ୟ ମୁଁ ଗୁରୁଦ୍ରୋହୀ ହୋଇ ବଞ୍ଚି ରହିବା ଅପେକ୍ଷା ଯଥେଷ୍ଟ ଭଲ । ହେ ପ୍ରଭୁ ଜଗନ୍ନାଥ କଳଙ୍କିତ ଜୀବନ ନେଇ ମୁଁ ବଞ୍ଚି ରହିପାରିବି ନାହିଁ । ନିଜ ଭକ୍ତ ମାନଙ୍କର ମାନ ରକ୍ଷା କରିବା ପାଇଁ ରତ୍ନ ସିଂହାସନକୁ ତ୍ୟାଗ କରି ଆପଣ ଭକ୍ତ ମାନଙ୍କ ନିକଟକୁ ଆସି ସହାୟତା କରିଥିବା ମୁଁ ଅନେକ ସାଧୁ ସନ୍ଥଙ୍କ ଠାରୁ ଶୁଣିଛି । ହେ ଭକ୍ତ ବତ୍ସଳ ଭାବଗ୍ରାହୀ ମୋର ସଂକଳ୍ପ ରକ୍ଷା ନିମନ୍ତେ ମୋତେ ସହାୟ ହୁଅନ୍ତୁ ।" ଏହିପରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉର୍ଦ୍ଧ୍ଵ ବାହୁ ହୋଇ ପ୍ରଣାମ କରି ଯଜ୍ଞ ସ୍ଥଳରେ ଥିବା ଉତ୍ତପ୍ତ ତାମ୍ର ଫଳକ ଆଡ଼କୁ ଅଗ୍ରସର ହେଲେ । ନିୟମ ଅନୁସାରେ ଏକଶତ ଆଠ ଥର ତାମ୍ର ଫଳକ ସ୍ପର୍ଶ କରି ପ୍ରଣାମ କଲେ ଯାଇ ଗୁରୁଦ୍ରୋହ ଅପରାଧରୁ ମୁକ୍ତି ପାଇପାରିବେ । ପ୍ରଭୁଙ୍କ ନାମ ନେଇ ପ୍ରଥମ ଥର ପ୍ରଣାମ କରୁ କରୁ ଉତ୍ତପ୍ତ ତାମ୍ର ଫଳକରେ ଅର୍ଦ୍ଧାଧିକ ଶରୀର ପୋଡ଼ି ନଷ୍ଟ ହୋଇଗଲା । ସେଥିରେ ଭ୍ରୁକ୍ଷେପ ନକରି ରାଜା ଦ୍ୱିତୀୟବାର ପ୍ରଣାମ କରିବା ପାଇଁ ଅଗ୍ରସର ହେଲେ । ପ୍ରଭୁଙ୍କର ସିଂହାସନ ଥରି ଉଠିଲା । ଭକ୍ତର ପ୍ରାର୍ଥନା ତାଙ୍କ ହୃଦୟକୁ ସ୍ପର୍ଶ କଲା । ତାଙ୍କ ଅନୁକମ୍ପା ଯୋଗୁଁ ଜନତାଙ୍କୁ ତାମ୍ର ଫଳକ ଯେତେ ଉତ୍ତପ୍ତ ଦେଖାଗଲେ ମଧ୍ୟ, ରାଜା କୁଳଶେଖରଙ୍କୁ ତାହା ଶୀତଳ ବୋଧ ହେଲା । ପୋଡ଼ି ନଷ୍ଟ ହୋଇ ଯାଇଥିବା ଶରୀର ପୁଣି କଅଁଳିବାକୁ ଲାଗିଲା । ଏକଶତ ଆଠ ଥର ତାମ୍ର ଫଳକ ସ୍ପର୍ଶ କରି ପ୍ରଣାମ କରି ସାରିବା ବେଳକୁ ମହାପ୍ରଭୁ ବ୍ରାହ୍ମଣ ବେଶରେ ରାଜା କୁଳଶେଖରଙ୍କ ନିକଟରେ ଉପସ୍ଥିତ ହୋଇ ନିଜ ପ୍ରକୃତ ସ୍ୱରୂପରେ ଦର୍ଶନ ଦେଇ ତାଙ୍କ ସଂକଳ୍ପ ରକ୍ଷା ହୋଇ ସାରିବା କଥା କହିଲେ । ତାଙ୍କୁ ପ୍ରଣାମ କରି ରାଜା କୃତ୍ୟ କୃତ୍ୟ ହୋଇ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ହିଁ ସେ ଏହି କଠିନ ସଂକଳ୍ପ ରକ୍ଷା କରିବାକୁ ସମର୍ଥ ହୋଇ ପାରିଲେ ବୋଲି କହିଲେ । ପ୍ରଭୁ ତାଙ୍କୁ ଏ ଜନ୍ମ ଶେଷ ହେଲା ମାତ୍ରକେ ଜୀବନ ଚକ୍ରରୁ ମୁକ୍ତି ପାଇ ବୈକୁଣ୍ଠ ପୁରକୁ ଗମନ କରିବାକୁ ବର ପ୍ରଦାନ କଲେ ଏବଂ ନିଜ ପୁରକୁ ଗମନ କଲେ । ପ୍ରଭୁଙ୍କ ମାୟାରେ ଏହି ବିଷୟରେ ପ୍ରଜାମାନେ ଜାଣି ପାରିଲେ ନାହିଁ । କେବଳ ଏତିକି ବୁଝିପାରିଲେ ଯେ, ତାଙ୍କ ଡ଼ାକ ଭଗବାନ ଶୁଣି ପାରିଲେ ଏବଂ ତାଙ୍କୁ ଏବଂ ତାଙ୍କ ପ୍ରିୟ ରାଜାଙ୍କୁ ରକ୍ଷାକଲେ ।  "ଜୟ ଭକ୍ତ ଶିରୋମଣି ରାଜା କୁଳଶେଖରଙ୍କ ଜୟ" ଶବ୍ଦରେ ଉତ୍ସବ ସ୍ଥଳ ମୁଖରିତ ହୋଇଉଠିଲା । ରାଜା ସମସ୍ତ ପ୍ରଜାମାନଙ୍କୁ ତାଙ୍କ ଭଲପାଇବା ଏବଂ ସଂକଳ୍ପ ରକ୍ଷା କରିବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରି ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଲେ । ତାଙ୍କର ଏହି କୀର୍ତ୍ତି ଯୁଗ ଯୁଗ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଲା । ଜୟ ଜଗନ୍ନାଥ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ