ହିତୋପଦେଶ - ବନ୍ଧୁତ୍ଵ

0
ରାମପୁର ଗାଆଁ ନିକଟରେ ଏକ ଛୋଟିଆ ଜଙ୍ଗଲଟିଏ ଥାଏ । ସେହି ଜଙ୍ଗଲରେ ଗୋଟିଏ ହରିଣ ଏବଂ ଗୋଟିଏ କୁଆ ବାସ କରୁଥାଆନ୍ତି । ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ ଥିଲା ଯେ, କେହି କାହାକୁ ପାଖଛଡା କରୁନଥାନ୍ତି । ଦିନେ ହରିଣକୁ ଦେଖି ଶୃଗାଳ ମନରେ ଲୋଭ ଜାତ ହେଲା । କେଉଁ ଉପାୟରେ ତାକୁ ମାରିବ ବୋଲି ଚିନ୍ତା କଲା । ମନେ ମନେ ଭାବିଲା, ସତରେ ଏହି ହରିଣଟି କେତେ ହୃଷ୍ଟପୁଷ୍ଟ ଓ କୋମଳ ହୋଇଛି, ଏହାର ମାଂସ କେତେ ସୁଆଦ ନ ଲାଗିବ ! ଯେମିତି ହେଲେ ୟାକୁ ଦିନେ ମାରି ଖାଇବି ।

ଏହି କଥା ଚିନ୍ତା କରି ଶୃଗାଳ ହରିଣ ପାଖରେ ଯାଇ ପହଞ୍ଚିଲା ଓ ତାକୁ କହିଲା, “ହରିଣ ଭାଇ ! ମୁଁ ତୁମ ସହିତ ବନ୍ଧୁତା କରିବାକୁ ଚାହୁଁଛି । ତୁମେ ଦୟାକରି ମୋର ବନ୍ଧୁତ୍ୱକୁ ଗ୍ରହଣ କରିବ ବୋଲି ମୋର ଆଶା । ମୋର ବିଶ୍ୱାସ ତୁମେ ମୋତେ କଦାପି ହତାଶ କରିବ ନାହିଁ ।” ଶୃଗାଳର କଥା ଶୁଣି ହରିଣଟି ପ୍ରଥମେ ହତବାକ୍ ହୋଇଗଲା । ସେ ପ୍ରଥମେ ଶୃଗାଳକୁ ପଚାରିଲା, “ଭାଇ ! ତୁମେ ପ୍ରକୃତରେ କିଏ ? ମୁଁ ତ ତୁମକୁ ଆଗରୁ କେବେ ଏଠାରେ ଦେଖି ନଥିଲି ।” ହରିଣର କଥା ଶୁଣି ଶୃଗାଳ କହିଲା, “ମୁଁ ହେଉଛି ଏକ ଶୃଗାଳ । ମୁଁ ମୋର ସମସ୍ତ ସମ୍ପର୍କୀୟଙ୍କୁ ହରାଇ ଏହି ଜଙ୍ଗଲରେ ଏକାକୀ ବାସ କରୁଛି । ଏଠାରେ କେହି ନାହାଁନ୍ତି ମୋର ସୁଖ ଦୁଃଖରେ ଭାଗୀଦାର ହେବାପାଇଁ । ପ୍ରକୃତରେ ମୁଁ ଏକ ହତଭାଗ୍ୟ ପଶୁ । ଏହି ଜଙ୍ଗଲରେ ମୁଁ ଏକାକୀ କିପରି ବାସ କରିବି ? ସଂସାରରେ ଆଜି ପର୍ଯ୍ୟନ୍ତ କେହି ଏକାକୀ ବାସ କରିପାରିନାହାଁନ୍ତି । ମୁଁ ତ ଛାର ଏକ ପଶୁ । ଦିନେ ନା ଦିନେ ଜଣେ ଅନ୍ୟ ଜଣଙ୍କର ସାହାଯ୍ୟ ଲୋଡିଥାଏ । ମୁଁ ତୁମର ବନ୍ଧୁ ହେବାକୁ ନିଜକୁ ଉପଯୁକ୍ତ ମନେ କରୁଛି ଏବଂ ତୁମର ସୁଖ ଦୁଃଖରେ ଭାଗୀଦାର ହେବାକୁ ଚାହୁଁଛି ।” ଏହା କହି ଶୃଗାଳ କହିଲା, “କ’ଣ ହରିଣ ଭାଇ, ମୁଁ ଯାହା କହୁଛି କ’ଣ ଠିକ୍ କହୁନି ।” ଶୃଗାଳର କଥା ଶୁଣି ହରିଣ ସଙ୍ଗେ ସଙ୍ଗେ ତା’ କଥାରେ ରାଜି ହୋଇଗଲା ।

ଏହାପରେ ଉଭୟେ ସାଙ୍ଗ ହୋଇ ବସାକୁ ଫେରିଲେ । କିଛି ସମୟପରେ କୁଆଟି ମଧ୍ୟ ବସାକୁ ଫେରିଆସିଲା । ବସାରେ ଶୃଗାଳକୁ ଦେଖି ହରିଣକୁ ପଚାରିଲା, “ଭାଇ ! ଏହି ଜନ୍ତୁଟି କିଏ ଆମ ବସାରେ ଆସି ରହିଲାଣି ।” କୁଆର କଥା ଶୁଣି ହରିଣ କହିଲା, “ଭାଇ ! ଏ ହେଉଛି ଏକ ଶୃଗାଳ, ସେ ଆମ ସହିତ ବନ୍ଧୁତା ସ୍ଥାପନା କରି ରହିବାକୁ ଚାହୁଁଛି । କୁଆ ତ’ ମହା ଚତୁର । ସେ ହରିଣକୁ ଏକାକୀ ପାଖକୁ ଡାକି କହିଲା, “ଦେଖ ଭାଇ ! ଆମେ ସେହି ଶୃଗାଳ ସମ୍ପର୍କରେ କିଛି ଜାଣିନାହୁଁ । ଅଜଣା ଅଶୁଣା ବ୍ୟକ୍ତିକୁ କଦାପି ଗୃହରେ ଆଶ୍ରୟ ଦେବା ଉଚିତ୍ ନୁହେଁ । ସୁବିଧା ସୁଯୋଗ ଦେଖି ସେ ଗୃହସ୍ଥକୁ ବିପଦରେ ପକାଇଥାଏ । ତେଣୁ ଆମେ ଗୋଟିଏ କାମ କରିବା, ଶୃଗାଳ ଯେତେବେଳେ ଏଠାରେ ଆସି ରହିଲାଣି ତାକୁ ତ’ ଆମେ ବାହାର କରିଦେଇ ପାରିବାନି । ଆମେ ଏହି ସ୍ଥାନ ଛାଡି ଚାଲ ଅନ୍ୟତ୍ର ପଳାଇବା । କୁଆର କଥାକୁ ହରିଣ ଠିକ୍ ବୁଝିପାରିଲା । କିନ୍ତୁ ନିଜ ବାସସ୍ଥାନ ଛାଡି ଯିବାକୁ ମନ କଲା ନାହିଁ । ଦିନେ ଶୃଗାଳକୁ ପାଖକୁ ଡାକି କହିଲା, “ବନ୍ଧୁ ! ତୁମର ଏଠାରେ କୌଣସି ଆବଶ୍ୟକତା ନାହିଁ । ମୁଁ ତୁମ ସହିତ ମିତ୍ରତା କରିବାକୁ ଚାହୁଁନି । ତୁମେ ଦୟାକରି ଏଠାରୁ ଦୂରେଇ ଯାଅ ।” ହରିଣର କଥା ଶୁଣି ଶୃଗାଳଟି ହରିଣଙ୍କୁ ନିଜ ପ୍ରକୃତ ରୂପ ଦେଖାଇ ଆକ୍ରମଣ କରନ୍ତେ, ହରିଣଟି ଦ୍ରୁତ ଗତିରେ ଜଙ୍ଗଲକୁ ଦୌଡ଼ି ପଳାଇଲା । ତେଣୁ ପ୍ରକୃତ ବନ୍ଧୁ ହିଁ ଠିକ୍ ଉପାୟ ବତାଏ ।

 

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ