ତା' ଠାରୁ ବଡ କେ ନାହିଁ
ବୀର ଭାରତରେ ଅମ୍ଳାନ ଯା' କୀର୍ତ୍ତି
ଅତୀତର ଗଡ ସେହି ।।
କୋଳେ ଧରିଥିଲା ବୀର ପାଇକଙ୍କୁ
ପାଳିଥିଲା ପୁତ୍ର ପରି
ଦେଇଥିଲା ହାତେ ଢାଲ ବର୍ଚ୍ଛା ଗଦା
ସମରେ ସଜ୍ଜିତ ଶିରୀ ।।
ଅତୀତ ଗାଥାର ମୁକସାକ୍ଷୀ ହୋଇ
ଆଜି ସେ ଗୁମୁରି କାନ୍ଦେ
ଅନେକ ବ୍ୟଥାର କାହାଣୀ ଛାପିଛି
ସୁନା କଷଟିର ହୃଦେ ।।
କହିବାକୁ ଭାବି କହି ପାରୁନାହିଁ
ହେ ଭବିଷ୍ୟ କର୍ଣ୍ଣଧାର
ଶୁଣିବକି କୁହ ଲହୁ ଲୁହ ଦାନ
ସେ ସମୟ ବିଦ୍ରୋହର ।।
ମୋ ଛାତି ବକ୍ଷରେ ଚଲା ଶିଖାଇଲି
ଦେଇଥିଲି ମହାଶିକ୍ଷା
ସେ ଶିକ୍ଷା ବଳରେ ଗୋରା ହଲି ଥିଲେ
ଭବ୍ୟ ସମରର ଦୀକ୍ଷା ।।
କେତେ ବୀର ମୋର ସହୀଦ୍ ହୋଇଲେ
ଯୋଦ୍ଧା ମହାବୀର ବଳି
ଇଂରେଜ ସେନାର ହଜାଇଲେ ନିଦ
ଯମାଳୟେ ଦେଇ ଶୁଳି ।।
କର୍ପୂରର ବାସ୍ନା ଉଡି ସିନା ଗଲା
କନା ଅଛି ତା'ର ପଡି
ଏ ମାଟିକୁ ଥରେ ହାତେ ତୋଳି ଦେଖ
ଶୁଭିବ ପାଇକ ରଡି ।।
ରଡି ନୁହେଁ ଥିଲା ମାତୃଭୂମି ପ୍ରେମ
ଦେଶଭକ୍ତି ସୁଧା ସ୍ୱର
ହୁଁକାର ଶବ୍ଦର ଦୁନ୍ଦୁଭି କି ସରି
ହେବ ସତେ ସାତପର ।।
ଏ ମାଟିକୁ ଥରେ ଚିପୁଡିଲେ କୁହେ
ପାଇକର ଇତିହାସ
ଜୟୀ ରାଜଗୁରୁ ଛୁଆଳସିଂହ ଓ
ଦଳବେହେରାଙ୍କ ଘୋଷ ।।
ବୀର ମାଟି ପରେ ବୀରଙ୍କ ଜନମ
ବୀର ଭୋଗେ ବସୁନ୍ଧରା
କହେ ଲାଲ ଗଡ ସ୍ମୃତିର ସମାଧି
ଉତ୍କଳେ ଖୋରଧା ହୀରା ।।