
ଆଲୋ ଏ ବଦନାମ ଗଳିର ଝିଅ !!
ତତେ କଣ କଷ୍ଟ ହୁଏନି
ନିଇତି ସେଇ ନର ରାକ୍ଷସ ମାନଙ୍କୁ
ତୋ ଶରୀର ଦେଇ ଶାନ୍ତ କଲାବେଳେ ?
ତତେ କଣ କେବେ କଷ୍ଟ ହୁଏନି
କିଛି ଟଙ୍କା ବିନିମୟରେ
କାହା ଶରୀରର ଭୋକ ମେଣ୍ଟାଇବାକୁ ଯାଇ
କୋଉ ସ୍ତ୍ରୀ'ର ସଂସାର ବୁଡେଇଲା ବେଳେ ?
ତତେ କଣ କେବେ କଷ୍ଟ ହୁଏନି
ନବ କଳିକା ସମ ଦେଖା ଯାଉଥିବା
ତୋ ଶିଶୁ ଯେବେ ତା' ବାପାର ନାଁ ପଚାରେ
ଆଉ ତୁ ଉତ୍ତର ଦେବାରେ ଅସମର୍ଥ ହେଲାବେଳେ ?
ତତେ କଣ କେବେ କଷ୍ଟ ହୁଏନି
ନାନା କଟୁକଥା କହି
ଏ ସମାଜ ତତେ ନାଚବାଲି, ବେଶ୍ୟା ବୋଲି କହି
ସମ୍ବୋଧନ କଲାବେଳେ ?
ତତେ କଣ କେବେ କଷ୍ଟ ହୁଏନି
ତୋ ଠିକଣା ଜାଗାରେ
ସଭ୍ୟ ସମାଜଠୁ ବହୁଦୂରରେ ଥିବା
ସେଇ ଅନ୍ଧାରୁଆ ବଦନାମ ଗଳିର ଠିକଣା ଦେଲାବେଳେ ?
ଏତେ ସବୁ କଥା ସହୁଛୁ କେମିତି
କଣ କେବେ ତୋ ଆଖିରେ ଆସେନି ଲୁହ ?
ଜାଣିବାକୁ ଚାହେଁ ତୋ ଠୁ ଆଜି ମୁଁ
ଉତ୍ତର ଦେ.. ଆଲୋ ! ବଦନାମ ଗଳିର ଝିଅ ।
ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ