ସ୍ଵାଭିମାନ - ସୁଦର୍ଶନ ମହାପାତ୍ର

0
ଯାହାଙ୍କୁ ଆମେ ମାଉସୀ ବୋଲି ଏଠି ଡାକୁଛୁ ସେ ପ୍ରକୃତରେ ଆମ ତଳଘରେ ଭଡାଟିଆ ଭାବେ ରହୁଛନ୍ତି । ବୟସ ପ୍ରାୟ ସତୁରୀ ପାର କରି ସାରିଛି । ଆମେ ତାଙ୍କରି ଠାରୁ ହିଁ ଶୁଣିଛୁ, ସ୍ଵାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ବେଳକୁ ଦୁଇଟି ଝିଅ ଏବଂ ଗୋଟିଏ ପୁଅର ଦାୟିତ୍ଵ ପଡିଥିଲା ମାଉସୀଙ୍କ ଉପରେ । ସେତେବେଳେ ସେ ନା ଶ୍ଵଶୁର ଘର ନା ବାପଘର ଲୋକଙ୍କ ଉପରେ ବୋଝ ହେବାକୁ ପସନ୍ଦ କରିଥିଲେ । ସ୍ଵାମୀଙ୍କ ମୃତ୍ୟୁର ବର୍ଷଟିଏ ନ ପୁରୁଣୁ ଏକମାତ୍ର ପୁଅଟି ଅଜଣା ରୋଗରେ ଆରପାରିକୁ ଚାଲିଗଲା । ବିଧିର ବିଧାନକୁ ମାନିନେଇ ସବୁ ଦୁଃଖକୁ ପଛକରି ଜୀବନ ସଂଘର୍ଷରେ ନିଜକୁ ସାମିଲ କରିଥିଲେ ମାଉସୀ । କହିବା ବାହୁଲ୍ୟ ଏଠି ମାଉସୀ ତାଙ୍କ ସରଳ ଅମାୟିକ ବ୍ୟବହାରରେ ଆମ ହୃଦୟରେ ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।

ସ୍ଵାମୀ ଯେଉଁ ଠିକାଦାର ପାଖରେ ରାଜମିସ୍ତ୍ରୀ କାମ କରୁଥିଲେ, ସେଇ ଠିକାଦାର ପାଖରେ ଦିନ ମଜୁରିଆ ଭାବରେ କାମ ଆରମ୍ଭ କରିଥିଲେ ମାଉସୀ । ସଞ୍ଜକୁ କାମରୁ ଆସି ନିଜ ପିଲାଙ୍କ ସହ ଅନ୍ୟ ଛୋଟ ପିଲାମାନଙ୍କୁ ପଢାଇ କିଛି ପଇସା ରୋଜଗାର କରିବାକୁ ସକ୍ଷମ ହୋଇଥିଲେ । କୌଣସି ମତେ ଦୁଇଟି ଝିଅଙ୍କୁ ନେଇ ସଂସାରରେ ନିଜ ସ୍ୱାଭିମାନ ସହ ତିଷ୍ଠି ରହିଥିଲେ ମାଉସୀ । କିଛି ପଇସା ସଞ୍ଚୟ କରି ବଡଝିଅଟିର ବାହାଘର କାମ ବି ସାରିଲେ । ହେଲେ ନିୟତି ତାଙ୍କ ପାଇଁ ରଖିଥିଲା ଆହୁରି ଦୁଃଖ । ନାତିଟିଏ ଜନ୍ମ ହେବାର କିଛି ଦିନ ପରେ ଶୁଣିଲେ ଝିଅର ମୃତ୍ୟୁ ଖବର । କିନ୍ତୁ ସବୁଦିନ ପାଇଁ ରହସ୍ୟମୟ ରହିଗଲା ମୃତ୍ୟୁର କାରଣ । କୋର୍ଟରେ ଲଢ଼ିବାକୁ ତାଙ୍କର ତାକତ ନଥିଲା । ନାତିଟିକୁ ମାଉସୀ ନିଜ ପାଖକୁ ନେଇ ଆସିଲେ ତା'ର ଲାଳନ ପାଳନ ପାଇଁ ।

ତିରିଶ ବର୍ଷ ପର୍ଯ୍ୟନ୍ତ ମା କୁ ଛାଡି ଯିବନି ବୋଲି ଅଡ଼ି ବସିଥିବା ସାନଝିଅକୁ କୌଣସି ମତେ ରାଜି କରେଇ ଏଇଠି ଆମ ଘରେ ରହି ବାହା ଦେଇଛନ୍ତି କେଇ ମାସ ଆଗରୁ । ସୁଧାର ପିଲାଟିଏ ଜୋଇଁ ରୂପେ ପାଇଛନ୍ତି ବୋଲି ମାଉସୀ ଖୁସି ବ୍ୟକ୍ତ କରନ୍ତି । ଏ ପରିଣତ ବୟସରେ ମାଉସୀ ଘର କାମକୁ ମୂଲିଆ ହୋଇ ଯାଉଛନ୍ତି ଶୁଣି ଦୁଃଖ ଲାଗେ । ନାତିର ପାଠ ପଢା ସରିବା ପର୍ଯ୍ୟନ୍ତ କାମ କରି ପାରୁଥାଏ ବୋଲି ଈଶ୍ଵରଙ୍କୁ ଯାଚନା କରନ୍ତି ମାଉସୀ । ତାଙ୍କର ଝିଅ ପାଖରେ ରହିବାର କଥା ଆମେ ଥରେ ମାତ୍ର ଯାହା କହିଥିଲୁ । "ବଳ ହଟିଗଲେ ସିନା କାହାର ଆଶ୍ରା ଲୋଡିବି" ହସି ହସି ସେଦିନ ଆମକୁ ଉତ୍ତର ଫେରେଇ ଥିଲେ ମାଉସୀ । ତାଙ୍କ ସ୍ଵାଭିମାନ ଆମକୁ ଆଶ୍ଚର୍ଯ୍ୟ କରି ଦେଇଥିଲା ସେଦିନ ।

ଆମ ପୁଅର ସାଇକେଲଟି ଅବ୍ୟବହୃତ ହୋଇ ପଡ଼ି ରହିଥିଲା କେତେ ଦିନ ହେବ । ତାଙ୍କ ନାତି ସ୍କୁଲ ଯିବାଆସିବା ପାଇଁ ସେଇ ସାଇକେଲଟି ବାଧ୍ୟ କରି ଦେଇଥିଲୁ । ରେସିଂ ସାଇକେଲର ଦାମ ନାତି ଠାରୁ ବୁଝି "କେତେ ପଇସା ଦେବି" ବୋଲି ଆସି ପଚାରି ଥିଲେ ସେ । ଆମେ ଶ୍ରଦ୍ଧାରେ ତୁମ ନାତିକୁ ଦେଇଛୁ, ପଇସା କଥା କାହିଁକି କହୁଛନ୍ତି ବୋଲି କହି ତାଙ୍କୁ ବୁଝେଇବାକୁ ଚେଷ୍ଟା କଲୁ । ହେଲେ ସେବେଠାରୁ ପ୍ରତ୍ୟେକ ଦିନ ଘରର ଚାରିପାଖ ସଫା କରିବା, ଗୁରୁବାର, ସଂକ୍ରାନ୍ତି ଆଦି ଭଲ ଦିନ ମାନଙ୍କରେ ପିଣ୍ଡା ଇତ୍ୟାଦି ଧୁଆଧୋଇ କାମ ଆଉ ସେ ପତ୍ନୀ (ରୂପା)ଙ୍କୁ କରାଇ ଦିଅନ୍ତି ନାହିଁ ।

ସେ ଦୁଇଟି ରୁମ ପାଇଁ ମାସିକ ଦେଉଥିବା ଦୁଇ ହଜାର ଟଙ୍କା ପ୍ରତି ମାସ ଦଶ ତାରିଖ ଦିନ ଦେଇ ଯାଆନ୍ତି । ଦୀର୍ଘ ଚାରି ବର୍ଷ ମଧ୍ୟରେ କେବେ ସେ ଏଥିରେ ହେଳା କରି ନାହାନ୍ତି । କରୋନା ସମୟରେ ଯେତେ ମନାକଲେ ମଧ୍ୟ ସେ ଯଥାରୀତି ଘରଭଢା ଦେବାକୁ ଭୁଲନ୍ତି ନାହିଁ । ସେଇ ସମୟରେ ଫୁଲ ଏବଂ ମାଳ ଇତ୍ୟାଦି ଆମ ବଜାର ଛକରେ ବିକ୍ରି କରୁଥିବାର ମୁଁ ଜାଣେ । କାର୍ତ୍ତିକ ମାସରେ ଚଉଁରା ରଙ୍ଗ କରିବା, ନୂତନ ବସ୍ତ୍ର ପିନ୍ଧାଇବା ଠାରୁ ଆରମ୍ଭ କରି ମୁରୁଜ ପକାଇବା କାମ ମଧ୍ୟ ପ୍ରଚଣ୍ଡ ଈଶ୍ଵର ବିଶ୍ଵାସୀ ମାଉସୀ କରିଦିଅନ୍ତି । ଏସବୁ ବାବଦରେ ଆମେ ଠାକୁରଙ୍କ ପାଇଁ ଦେଉଛୁ କହି ରୂପା ତାଙ୍କୁ ଜାଣିଶୁଣି ଥରେ ଅଧିକା ଟଙ୍କା ଦେଇଥିଲେ । ହେଲେ ସମସ୍ତ ହିସାବ ସହ ବଳକା ଟଙ୍କା ଫେରାଇଦେଇ ଗଲେ ମାଉସୀ ।

ଏବେ ଅଳ୍ପଦିନ ତଳର ଗୋଟିଏ ଘଟଣା ଆଡକୁ ଆସିଲେ ଭଲ ହେବ ।

ପଡିଶା ବିଶ୍ଵାଳ ବାବୁଙ୍କ ପୁଅ ବାହାଘରକୁ ମଙ୍ଗଳପାଗ ଦିନ ସବୁ ସ୍ତ୍ରୀ ଲୋକଙ୍କ ସହିତ ମାଉସୀଙ୍କୁ ମଧ୍ୟ ସେମାନେ ଡାକିଥିଲେ । ତାଙ୍କ କଥା ରଖି ସେଦିନ କାମକୁ ନଯାଇ ମାଉସୀ ସେଠାକୁ ଯାଇଥିଲେ । ଅନ୍ୟ ସ୍ତ୍ରୀ ଲୋକମାନେ ମଙ୍ଗୁଳା ମଙ୍ଗୁଳିରେ ବ୍ୟସ୍ତ ଥିବାବେଳେ ମାଉସୀ ରୋଷେଇ କାମରେ ସାହାଯ୍ୟ କରୁଥିଲେ । ସେଦିନ ଅନ୍ୟ ମାନଙ୍କ ସହିତ ମାଉସୀ ମଧ୍ୟ ତାଙ୍କ ଘରେ ଖାଇକରି ଫେରିଥିଲେ ।

ବାହାଘରର ଦୁଇ ଦିନ ପରେ ଥିଲା ରିସେପସନ ।  "ଆଃ.. ଖୁବ୍ ଭଲ ଭୋଜି ହୋଇଥିଲା" ବୋଲି ନିଜଆଡୁ ଭୋଜି ପର ଦିନ ବିଶ୍ଵାଳ ବାବୁଙ୍କୁ ଦେଖି କହିଲି, ଖାସ୍ ତାଙ୍କୁ ଖୁସି କରିବା ପାଇଁ । 
- "ପ୍ଲେଟ ପିଛା ନଅଶହ ପଚାଶ ପଡିଲା ପରା !" ଉତଫୁଲ୍ଲିତ ହୋଇ କହିଲେ ସେ ।
- "ତୁମେ ଭୋଜିକୁ ତ ଯାଇ ନଥଲ ।" ଘର ସାମନା ରାସ୍ତାକୁ ପହଁରୁଥିବା ମାଉସୀଙ୍କ ଉଦ୍ଦେଶ୍ୟରେ କହିଲେ ବିଶ୍ଵାଳ ବାବୁ ।
- "ମୋତେ ତ କେହି କହି ନାହାନ୍ତି କିମ୍ବା ନିମନ୍ତ୍ରଣ କାର୍ଡ ଦେଇ ନାହାନ୍ତି, ବାବୁ । ଭୋଜି କୁ କେମିତି ଯାଇଥାନ୍ତି ।" ଏମିତି ସ୍ପଷ୍ଟ କଥା ଶୁଣି ବିଶ୍ଵାଳ ବାବୁ ଯେମିତି ସ୍ଥାଣୁ ପାଲଟିଗଲେ ।
- "ତୁମେ ଆମ ନିଜ ଲୋକ । ଭୋଜିକୁ ଯାଇଥାନ୍ତ ନା !" କଥା ହାଲକା କରିବାକୁ କହିଲେ ବିଶ୍ଵାଳ ବାବୁ ।
- "ନା ବାବୁ, ମୁଁ ବିଧବା ଲୋକ । ମାଛ, ଆଇଁଷ ତ ଖାଏନା । ସେଇ ନାତି ଟୋକାଟା ଯାହା ଯାଇଥାନ୍ତା । ଛାଡ ମ ବାବୁ । ମା' ମଙ୍ଗଳପାଗ ଦିନ ଡାକିଥିଲେ ପରା । ସେଦିନ ତ ଯାଇ ତୁମ ଘରେ ଖାଇ ଆସିଥିଲି ।" ହସି ହସି କହିଲେ ମାଉସୀ ।

ଘର ସାମ୍ନା ରାସ୍ତାରେ ପଡୁଥିବା ଅସନାକୁ ସବୁଦିନ ପରିଷ୍କାର କରୁଥିବା, ନିତି ମୂଲ ଲାଗିବାକୁ ଯାଉଥିବା ଲୋକଙ୍କୁ ଏତେ ଦାମୀ କାର୍ଡ ଦେଇ ନିମନ୍ତ୍ରଣ କରିନଥିବା ବିଶ୍ଵାଳ ବାବୁଙ୍କ ପତ୍ନୀ ଅଷ୍ଟମଙ୍ଗୁଳା ଦିନ ଆସି ମାଉସୀଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଗଲେ ଏବଂ ଶାଢ଼ୀ ଖଣ୍ଡେ ଦେଇଗଲେ ଜୋର କରି । ହେଲେ ସେଦିନ ମାଉସୀ କାମକୁ ବାହାରିଗଲେ ଯେ ଫେରୁ ଫେରୁ ରାତି । ପରଦିନ ସଞ୍ଜକୁ ଆମ ଘରକୁ ଆସି ରୂପାଙ୍କୁ ଡାକି ବିଶ୍ଵାଳ ବାବୁଙ୍କ ବୋହୂକୁ ଦେଖିବାକୁ ଗଲେ ମାଉସୀ ।

- "ମା ତୋତେ ନୂଆ ଦେଖୁଛି । ଏ ଗରିବ ମାଉସୀ ତୋତେ କଲ୍ୟାଣ କରୁଛି ।" ଏତିକି କହିଲା ଭିତରେ ନୂଆବୋହୂ ହାତରେ ପାଞ୍ଚ ଶହ ଟଙ୍କାର ନୋଟଟିଏ ଗୁଞ୍ଜିଦେଲେ ମାଉସୀ । ଏ ଘଟଣାରେ ବିଶ୍ଵାଳ ବାବୁଙ୍କ ପତ୍ନୀଙ୍କ ମୁହଁ ଶୁଖିଗଲା ବୋଲି ରୂପାଙ୍କୁ ମନହେଲା ବୋଲି ଘରେ ଆସି କହିଲେ ।

ଶାଢୀଟିର ବିନିମୟରେ ମାଉସୀ ଆଜି ତାଙ୍କର ଦିନକର ମଜୁରୀକୁ ମଧ୍ୟ ନିଜ ସ୍ୱାଭିମାନ ପାଇଁ ତୁଚ୍ଛ କରିବାକୁ ପଛେଇ ନାହାନ୍ତି ବୋଲି ମୋର କାହିଁକି ମନେହେଲା... !!

କୁଞ୍ଜବିହାରୀ ଲେନ, କଟକ

ଦୂରଭାଷ : ୯୪୩୮୧୭୫୫୪୨

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ