ରଫ୍‌ଖାତା - ରବିନ ଖଣ୍ଡାୟତରାୟ

0


ଯେଉଁଖାତାରେ ସବୁ ବିଷୟକୁ ସମ୍ଭାଳିବା ପାଇଁ ସାମର୍ଥ୍ୟ ଥାଏ ତା’ର ନାମ ରଫ୍‌ଖାତା । ସେଥିରେ ଗଣିତ, ଇତିହାସ, ଭୂଗୋଳ, ସାହିତ୍ୟ ସବୁକିଛି ଲେଖା ଯାଇଥାଏ । କଲମ ନଚାଲିଲେ ଗାରେଇ ଦେଇ ଚଲାଯାଏ । ଆଉ ଦରଖାସ୍ତ, ଚିଠିଲେଖିବା ପାଇଁ ଆବଶ୍ୟକ ହେଲେ ଫର୍ଦ୍ଦେ, ଦୁଇ ଫର୍ଦ୍ଦ ପୃଷ୍ଠା ଚିରା ଯାଇଥାଏ । ବିଦ୍ୟାଳୟ, ମହାବିଦ୍ୟାଳୟ ଅବା ବିଶ୍ୱବିଦ୍ୟାଳୟ ଯେଉଁଠି ପଢ଼ିଲେବି ସବୁସମୟ ଆଉ ସବୁ ପରିସ୍ଥିତିରେ, ସେହି ଗୋଟିଏ ଖାତା ଆମ ପୁରା ପାଠକୁ ଧରି ରଖିବାରେ ସହାୟକ ହୋଇଥାଏ । ଆଗ ପଛରୁ ଫାଳେ ଚିରା ଆଉ ଦେହସାରା ରଙ୍ଗବେରଙ୍ଗର ଗାର ଅଥବା କାଳି ଦାଗ ପଡ଼ିଥିବାରୁ, ପରିପାଟିରେ ସୁନ୍ଦର ପଣ ନଥିଲେ ମଧ୍ୟ ଭିତରେ ଭରିରହିଥିବା ଗୁଣଯୁକ୍ତ ବିଷୟବସ୍ତୁ ତା’ର ବାସ୍ତବ ସୁନ୍ଦରତାକୁ ବହୁଗୁଣିତ କରିଦେଇଥାଏ । ରଫ୍‌ଖାତା ବିଷୟରେ ରଚନା ଲେଖାଯାଏନି କିନ୍ତୁ ରଚନାର ବିଷୟବସ୍ତୁ ନିର୍ବାଚିତ ହୋଇ ରଚନା ଖାତାକୁ ଉଠିବା ଆଗରୁ, ଅନେକ ଥର କଟାକଟି ହୋଇ ତା’ଦେହରେ ଲେଖା ଯାଇଥାଏ । ସେ କଟାଧାଡ଼ିକୁ ସଜେଇଲାବାଲା ଆଉ ବିକ୍ଷିପ୍ତ ଭାବନାକୁ ଏକତ୍ରିତ କରି ସରସ ସୁନ୍ଦର ଭାବରେ ସଜେଇଲାବାଲା ହେଉଛି ଆମ ରଫ୍‌ଖାତା । କେତେଥର କଲମର ମୂନ ବେଖାତିର ଭାବରେ ତା’ଦେହରେ ଦାଗ ଏପରିକି କ୍ଷତସୃଷ୍ଟି କରିଛି ତା’ର ହିସାବ ନାହିଁ ତଥାପି ସେ କେବେ ପ୍ରତିବାଦ କରିନି ବରଂ ସହଯୋଗ କରି କଟା ଅକ୍ଷରକୁ ନିଜେ ରଖି ଭଲ ଅକ୍ଷରକୁ ନୋଟ ଖାତାରେ ଲେଖିବାରେ ସହଯୋଗ କରିଛି । ତା’ର ସହଯୋଗରେ, ତିଆରି ହେଉଥିବା ନୋଟ୍ ପଢ଼ି ଆମେ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେଉ ଅଥଚ ପାଠସରିଗଲେ, ରଦି କାଗଜବାଲାକୁ ଡ଼ାକି ସେ ରଫ୍‌ଖାତାକୁ କିଲୋ ଦାମ୍‌ରେ ବିକିଦେଉ । ଏମିତି ଏ ସ୍ୱାର୍ଥପର ମଣିଷର ସ୍ୱଭାବ । ଯିଏ ନିଜର କାର୍ଯ୍ୟପୂରଣ ପାଇଁ ବ୍ୟବହାର କରୁଥିବା ପଦାର୍ଥକୁ କାର୍ଯ୍ୟ ସରିଯିବା ପରେ ଆଡ଼ ଆଖିରେ ଚାହିଁ ନଥାଏ, ଠିକ୍‌ ବାହାଘର ପରେ ବେଦୀ ମୁହଁପୋଡ଼ା ପରି ।

ରଫ୍‌ଖାତା ପରି ଆମ ପରିବାରର ମୁଖ୍ୟଙ୍କ ଅବସ୍ଥା । ସେ ପ୍ରାରମ୍ଭରୁ ସମସ୍ତଙ୍କର ଅଳି, ଅର୍ଦ୍ଦଳି ସହି ସମସ୍ତଙ୍କୁ ସମ୍ଭାଳି ରଖିଥାଆନ୍ତି । ଆଉ ଯେତେବେଳେ ଯେଝା ଯେଝାର ବାଟ ଧରିନିଅନ୍ତି, ସେତେବେଳେ ନୋଟ୍‌ ଖାତା ହେବାପରେ ରଫ୍‌ଖାତା ବିକ୍ରି ହୋଇଯିବା ପରି, ସେମାନେ ଅବହେଳିତ ହୋଇଯାଆନ୍ତି । ଚିରା ପିନ୍ଧି ଭଲ ପିନ୍ଧାଉଥିବା ଆଉ ଅଧା ଖାଇ ପୁରା ଖୁଆଉଥିବା, ସେଇ ମୁରବୀ ! ବୟସର ବୋଝରେ ନଇଁ ପଡ଼ିଥିବା ସେହି ବୟସ୍କ ବାପା ଆଉ ମାଆ ! ସେମାନଙ୍କ ରୋଜଗାରିଆ ପିଲା ଥାଉ ଥାଉ ବାରଦ୍ୱାର ତେର ପିଣ୍ଢା ହୁଅନ୍ତି ନହେଲେ କୋଉ ଆଶ୍ରମର ଠିକଣା ଖୋଜନ୍ତି । ଜୀବନଯାକର ପରିଶ୍ରମ କରି ଗଢ଼ିଥିବା ଘର, ଯୋଉଠୁ ମଲାପରେ ମୁଠାଏ ମାଟି ନେଇ ସେ ମଶାଣିକୁ ଯାଇ ଥାଆନ୍ତେ, ଆଜି ଜୀବନ ଥାଉ ଥାଉ ସେ ଘର ପର ହୋଇଯାଏ ଆଉ ପରକୁ ଆପଣାର କରିବାକୁହୁଏ । ନଦୀଜଳରେ ସାଗର ପୂଜାକରିବା ଯାହା, ଯେଉଁମାନଙ୍କ ସମ୍ପତ୍ତି ସେଥିରେ ତାଙ୍କୁସନ୍ତୁଷ୍ଟ କରିବା ତାହା । ଅଥଚ ସେତକ ବି ଅନେକ ପିଲା ବୁଝିପାରନ୍ତିନି । ସବୁକୁ ଚଳୁ କରିଦେବାର ନିଶା ହେଉକି ସମୟର ଅଭାବ ଦେଖେଇ କାନ୍ଧରୁ ଦାୟୀତ୍ୱ ଖସାଇ ଦେବାର ବହପ ! କୋଉଟା ବି ଗ୍ରହଣୀୟ ନୁହେଁ । ବିନା ବିବାଦରେ ଦାୟୀତ୍ୱ ବହନ ଆଉ କର୍ତ୍ତବ୍ୟ ସମ୍ପାଦନ ସର୍ବାଦୌ ଗ୍ରହଣୀୟ । ଯଦି ସମୟର ଅଭାବ ଦେଖେଇ ଆଉ ନିଜ ଉପରୁ ଦାୟୀତ୍ୱ ଖସାଇ ଦେଇ ମାଆ ଖିର ଦେଇ ନଥାନ୍ତା କି ବାପା ଆମପାଇଁ ଦାନାକନାର ବ୍ୟବସ୍ଥା କରି ନଥାନ୍ତେ ତେବେ ନାଁ ଥାଆନ୍ତା ବାଉଁଶ କି ବାଜି ଥାଆନ୍ତା ବଇଁଶୀ । ଏତକ ଯୋଉ ପିଲା ନବୁଝିବ କି ବୁଝି ନବୁଝିବାର ଅଭିନୟ କରି ବଦଳିଯିବ, ତା’ର ଜୀବନ କାଠ ପଥରଠାରୁ ବି ହୀନ । ପଥରର ଗୁଣ, ତା’ର ଦୁର୍ବଳତା ଯେ ସେ କେବେ ତରଳେ ନାହିଁ କି କେବେ ବଦଳେ ନାହିଁ । କିନ୍ତୁ ମଣିଷ ପଥରଠାରୁ ବି ଭୟଙ୍କର, ସେ ତରଳେ ବି ଆଉ ବଦଳେ ବି । ସେହି ବଦଳୁଥିବା ଚରିତ୍ରମାନଙ୍କୁ ଚେତନା ଦେବାପାଇଁ ବ୍ୟାସକବି ଫକିରମୋହନ ସେନାପତି ଲେଖିଛନ୍ତି, “ସବୁଦିନ କା’ର ନଯାଏ ସମାନ.. ନିୟତିର ଚକ୍ର ନିତ୍ୟ ଭ୍ରାମ୍ୟମାଣ” । ଅନବରତ ଘୁରୁଥିବା ସମୟର ଚକ୍ରରେ କାଲି କ’ଣ ଘଟିବ କେହି କହିପାରିବେ ନାହିଁ । ଆଜିକୁ ତେଣୁ ଜଗିବା ଆବଶ୍ୟକ । ଆଉ ଭବିଷ୍ୟତରେ କଣ୍ଟା ନମାଡ଼ିବା ପାଇଁ ବାଟ ପରିସ୍କାର କରିବା ଆବଶ୍ୟକ ।


ଗଛ ଫଳ ଧରିଲା ପରେ ମଧ୍ୟ ମୂଳକୁ ଛାଡ଼ି ନଥାଏ । ସେ ଜାଣେ ଫଳିଥିବା ଫଳ ଆଉ କାହାର ହେଲେ ତାକୁ ଧରିଥିବା ମୂଳ ତା’ର । ସେମିତି ଆମ ଜୀବନରେ ଅନେକ ଫଳର ପ୍ରଭାବ ପଡ଼ିପାରେ କିନ୍ତୁ ନିଜର ମୂଳପିଣ୍ଡକୁ ଭୁଲିଯିବା କେମିତି ? ଅବଶୋଷ ଆଜି ଅନେକ ମୂଳଛଡ଼ା ହୋଇ, କେବଳ ନିଜ କଥା ଆଉ ନିଜ ଚିନ୍ତାରେ ବ୍ୟସ୍ତରହି ଅତୀତରେ ଯିଏ ତାଙ୍କ କଥା ଭାବୁଥିଲା ତାଙ୍କ ଚିନ୍ତା କରୁଥିଲା ସେମାନଙ୍କୁ ଭୁଲିଯାଉଛନ୍ତି । ଲୁହାକୁ ଆଉ କେହି ନୁହେଁ ତା’ର କଳଙ୍କିହିଁ ତାକୁ ନଷ୍ଟ କରିଦେଇଥାଏ । ସେହିପରି ମଣିଷକୁ ଆଉ କେହି ନୁହେଁ ତା’ର ମନୋଭାବ ହିଁ ତାକୁ ନଷ୍ଟ କରିଥାଏ । ସତ୍ୟ ସାଇବାବା କହିଲେ, “କଲ୍ୟାଣକର କଥା, କଲ୍ୟାଣକର ଚିନ୍ତା ଓ କଲ୍ୟାଣକର କର୍ମ, ଏହି ତିନୋଟି ହେଉଛି, ସୁଖୀ ଜୀବନର ମୂଳକଥା” । ଅଥଚ ଆଜି କିଏ କାହାକୁ ଭଲକଥା ପଦେ କହୁନି କି ଭଲ ଦୃଷ୍ଟିରେ ଦେଖୁନି । ନିଜ ଘର ଆଉ ପରିବାର ଭିତରେ ଯେତେବେଳେ ତିକ୍ତତା ଆଉ ଅପଡ଼, ସେତେବେଳେ ପଡ଼ୋଶୀର କଥା କିଏ ପଚାରେ ! ମାତ୍ର ପ୍ରକୃତି ହେଉଛି ଏ ସଂସାରର ଅସଲ ନିୟାମକ । ନୀତି ଆଉ ନିୟମ ଭିତରେ ସଂସାର ଚାଲିଛି । ସୂର୍ଯ୍ୟ, ଚନ୍ଦ୍ରଏହି ନୀତି, ନିୟମ ମୁତାବକ ଆତଯାତ ହେଉଥିବା ବେଳେ ଆଉ ପବନ ବହିବା, ଜଳଗଡ଼ିବା ଆଦି କାର୍ଯ୍ୟରୁ ବିରତ ହେଉନଥିବା ବେଳେ ମଣିଷ ନିଜ ନୀତି ନିୟମରୁ ବିରତ ହେବା ଶୋଭନୀୟ ନୁହେଁ । ଆଉ ଯେଉଁମାନେ କକ୍ଷଚ୍ୟୁତ, ସେମାନେ ନିଜକକ୍ଷରେ ପୁନଃ ଅବସ୍ଥାପିତ ହେବାପାଇଁ ଆତ୍ମ ସମୀକ୍ଷା କରିବା ଆବଶ୍ୟକ ।


ଶେଷକଥା, ମନର ଭାବନା ଯଦି ସୁନ୍ଦର ଆଉ ଉଚ୍ଚକୋଟୀର, ତା’ହେଲେ ସମଗ୍ର ବିଶ୍ୱ ସୁନ୍ଦର ଲାଗିବ । ଆଉ ରଫ୍‌ଖାତାକୁ ରଫ୍‌ ବ୍ୟବହାର ନକରି, କି ବାପାମାଆଙ୍କୁ ପରଦ୍ୱାରକୁ ପଠେଇ ନଦେଇ ନିଜଘରେ ନିଜପାଖରେ ରଖି ତାଙ୍କରସବୁ ଦାୟୀତ୍ୱ ନେଇ ନିଜେ ସୁଖୀହେବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିବ । କାରଣ ପୃଥିବୀର ସବୁଠାରୁ ବଡ଼ସୁଖ- ବାପାମାଆଙ୍କର ଆଦର ଆଉ ସବୁଠାରୁ ବଡ଼ କଷ୍ଟ ବାପାମାଆଙ୍କ ଆଖିର ଲୁହ । ରଫ୍‌ଖାତାର ଏହି ଶିକ୍ଷାକୁ ନୋଟ୍‌ଖାତାରେ ଟିପି ରଖି କାମରେ ଲଗାଇବାକୁ ସବିନୟ ଅନୁରୋଧ ।


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ