ଭକ୍ତର ଅଭିମାନ - ଗୋଲକ ବିହାରୀ ରଥ

0
କିଏ କହେ ପ୍ରଭୁ ତୁମେ ଅଟ ବଡ଼ଇ ନିଷ୍ଠୁର
ମିଛରେ ସିନା ଭକତ ଦେହୁ ଝରେ ଲୁହଧାର ॥୦॥
ଭକତ କାନ୍ଦିଲେ ତୁମ କାନ୍ଦିବା ନଦେଖେ କେହି
ପଥର ପରାଏ ପଡ଼ି ରହେ ତୁମ ଘାତ ସହି
କପାଳରେ ମାରି କର ପୋଛଇ ନିଜ ଲୋତକ
କିପରି ବା ଦେବ ଦୋଷ ତୁମେ ପରା ତା ପାଳକ
ଭକତ ଅଧୀନ ବୋଲି ଉଡେ ବାନା ଫରଫର ॥୧॥
ଯେଦିନ ତୋ କଥା ଭାଳି ଝରଇ ଜଳ
ତୁଚ୍ଛାଟାରେ ହେଲେ ତାର ପୁରଇ ସେ ଦିନ କାଳ
ଭକତ ଚିନ୍ତିଲେ ତୁମ ହୃଦୟରେ ଚିନ୍ତା ନାହିଁ
ଦଣ୍ଡ ଦେଇ ଭଣ୍ଡି ତୁଣ୍ଡରେ ଶୁଣୁଛ ଭାବଗ୍ରାହୀ 
ଆପଣାର ନୁହଁ ବୋଲି କର ପାତର ଅନ୍ତର ॥୨॥
ଆକୁଳରେ ଡାକି ତୁମ ଚରଣେ ନେଲେ ଶରଣ
ଶରଣ ଛଳରେ କର ଜୀବନ ତା ଅକାରଣ
କଣ୍ଠେ ବିକଳେ ଧରିଲେ ଶ୍ରୀନନ୍ଦନନ୍ଦନ ବାରେ
ପଡ଼ିଯାଏ କଣ୍ଠ ପଡି ତଵ ଦୟା ପାରାବାରେ
ଦୟାର ସାଗର ବୋଲି କରିଦିଅ ପାଶୁ ଦୂର ॥୩॥
ଅପାର କରୁଣା ସିନ୍ଧୁ ସିନ୍ଧୁ ତନୟାର କୋଳେ
ଶୟନେ ଯାଇଛ ଭୁଲି ସବୁ ସିନା ନୀଳାଚଳେ
କାହା ପାଇଁ ଆଉ ମାନ ସରି ଯାଉଛି ଜୀବନ
ଗଲେକି ଫେରିବ ଆଉ ପାଇବାକୁ ଦରଶନ
କପଟ ନକର ଆଉ ଯୋଡ଼େ କର ବଂଶୀଧର ॥୪॥
ମରଣୁ କଷଣ ବଳିଲାଣି ଦୁଃଖ ହୃଦୟର 
ଅନାଥର ନାଥ ହୋଇ ପାଲଟି ଗଲ ପଥର
ଶେଷଥର ପାଇଁ ବାରେ ଖୋଲ କମଳ ଲୋଚନ 
ଚିନ୍ତୁ ଚିନ୍ତୁ ଯାଉ ଜୀବ ଦେଖି ସେ ବାଙ୍କ ନୟନ
କହେ ଗୋଲି ଏ ଭଵ ସାଗରୁ ବାରେ ପାରି କର ॥୫॥

ଗୋଲକ ବିହାରୀ ରଥ, ଟାଙ୍ଗି, ଖୋର୍ଦ୍ଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ