ଦେଖ ମଳୟକୁ ଛୁଇଁ
ଗାଅନ୍ତକି ଥରେ ଆମ ଅଗଣାରେ
ଗୀତ ପଦେ ମୋ ପାଇଁ ॥୦॥
ଆସନ୍ତ ବା ଯଦି ନବବଧୁ ସାଜି
ଡେଇଁ ମୋ ଏରୁଣ୍ଡି ବନ୍ଧ
ବିଭୋର ବେଳାରେ ସଜେଇ ଦିଅନ୍ତ
ତୋଳି ସୂର ତାଳ ଛନ୍ଦ ।
ଫେରିବା ବାଟକୁ ଅନେଇଁ ମୋର
ନିଅନ୍ତ ମୋତେ କୋଳେଇ
ବସନ୍ତ ସାଥିରେ ଫଗୁଣ ଆସିଛି
ଦେଖ ମଳୟକୁ ଛୁଇଁ ॥୧॥
ମଧୁବନ ସାରା କୋଇଲି ଗାଉଛି
ମଧୁଝରା ପରିବେଶ
ଏଇ ଯେ ସମୟ ସରିବା ଆଗରୁ
ବାହୁ ବନ୍ଧନକୁ ଆସ ।
ମଧୁର ଯନ୍ତ୍ରଣା ଦୁହେଁ ପାଉଥିବା
ଓଠରେ ଓଠ ମିଶେଇ
ବସନ୍ତ ସାଥିରେ ଫଗୁଣ ଆସିଛି
ଦେଖ ମଳୟକୁ ଛୁଇଁ ॥୨॥