ତୋ ବଡ ଦେଉଳ ବାଇଶି ପାହଚ
କଳ୍ପବଟ ମୂଳ ଛାଇ
ମୁକତି ମଣ୍ଡପ ଅମୁହାଁ ମନ୍ଦିର
କେତେ କଥା ଦିଏ କହି ॥
ବିମଳାଙ୍କ ପାଖେ ଦଣ୍ଡେ ଅଟକିଲେ
ପୁଣ୍ୟ ଫଳ ମିଳିଥାଇ
ଲକ୍ଷ୍ମୀ ସାଆନ୍ତାଣୀ ଆଳତି ସମୟେ
ଦେହେ ରୋମାଞ୍ଚ ଭରଇ ॥
ପାର୍ଶ୍ୱ ଦେବା ଦେବୀ ଦରଶନ ପରେ
ରତ୍ନ ସିଂହାସନେ ଦେଖି
ଭକତିରେ ମନ ପ୍ରଫୁଲ୍ଲିତ ହୁଏ
କି ସୁନ୍ଦର ଚକାଆକ୍ଷି ॥
କି ଲୀଳା ତୋହର ଜଗତ ଠାକୁର
ମହୋଦଧି ବନ୍ଦେ ନିତି
ସୂର୍ଯ୍ୟ ଚନ୍ଦ୍ର ତାରା ଚାମର କରନ୍ତି
ଅନୁପମ ତୋର କାନ୍ତି ॥
ଏଇ ଭିକ୍ଷା ମାଗେ ତୋ ସିଂହ ଦୁଆରେ
ନ ହେଉ ପୁନର ଜନ୍ମ
ମୋର ଆତ୍ମା ମିଶୁ ପରମାତ୍ମା ସାଥେ
ଛିନ୍ନ କର ଏ ବନ୍ଧନ ॥
ଅବସରପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି, ରଣପୁର, ନୟାଗଡ଼