ଆଉ କେତେ କାଳ - ଘନଶ୍ୟାମ ସାହୁ

0

ଆଉ କେତେ କାଳ ନୀରବେ ଦେଖିବ
ଚକାଡୋଳା କରି ଖୋଲା
ସତରେ କି ପ୍ରଭୁ ଗଲଣି କି ଚାଲି
ଶ୍ରୀମନ୍ଦିର କରି ଢିଲା ?
ଗମ୍ଭୀରା ଭିତରେ ଥାଇ ଯଦି ଚାଲେ
ସେବକଙ୍କ ନାନା ପାଲା
ବିଶ୍ୱାସ ହେଉନି ଚୁଲି ଭଙ୍ଗା କଥା
ଅଘଟଣ ରୋଷଶାଳା ।
ସେବା ପୂଜାରେ ତ ବିଭ୍ରାଟ ଚାଲିଛି
ନିତି ଶୁଣିବାକୁ ମିଳେ
ଅହେତୁକ ନୀତି ବିଳମ୍ବ ହେଉଛି
ଚିନ୍ତା ନାହିଁ କା'ର ତିଳେ ।
ସବୁ କାଳିଆର ଇଚ୍ଛା ବୋଲି କହି
ଖସିଯାନ୍ତି ଅବହେଳେ
କହିଲେ ବି ଡର ସେବା ପୂଜା ସବୁ
ବନ୍ଦ କରିଦେବେ କାଳେ !
ରାଜନୀତି ଖେଳ ଜଗା ଆଗେ ଚାଲେ
ବିଭକ୍ତି କରଣ କରି
ସେବକଙ୍କ ମଧ୍ୟେ ଫାଟ ହୁଏ ଯଦି
ଆଧ୍ୟାତ୍ମିକ ଭାବ ମାରି
ଅଘଟଣ ନିଶ୍ଚେ ଘଟୁଥିବ ନିତି
କିଏ ଶୁଣିବ ଗୁହାରି ?
ଦେଖି ଶୁଣି ଯଦି ନୀରବ ରହିବ
ତୁଟିବ ଏ କ୍ଷେତ୍ର ଶିରି ।
ତୁମରି ଆଶ୍ରିତ ନୀରିହ ଏ ଜାତି
କରୁଅଛି  ଆଜି ଅଳି
ଦାରୁ ଭୁତ ହୋଇ ବିଶ୍ୱାସକୁ ଆମ
ଦିଅନାହିଁ ପ୍ରଭୁ ଟାଳି ।
ଅନ୍ୟାୟ ଅନୀତି ଦୁର୍ନୀତିକୁ ସବୁ
ଚକ୍ରରେ ଦିଅନ୍ତୁ ଦଳି
ସୁଖ ଶାନ୍ତି ପ୍ରୀତି ଫେରି ଆସୁ ପୁନଃ
ଶ୍ରୀକ୍ଷେତ୍ର ପଡୁ ଉଚ୍ଛୁଳି ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ